‘କୁନି ପରୀ’ ହେଲେ ‘ଲିଟିଲ୍‌ ମିସ୍‌ ଗାଲାକ୍ସି’

୬ ବର୍ଷୀୟ ମୃଗାକ୍ଷୀ ପିନ୍ଧିଲେ ଅନ୍ତର୍ଜାତୀୟ ସୁନ୍ଦରୀ ମୁକୁଟ

ଭଲ କରି ଚାଲି ଶିଖିବା ବୟସରେ ଚାଲୁଛନ୍ତି କ୍ୟାଟ୍‌ଓ୍ଵାକ୍‌। ଖନେଇ ଖନେଇ କଥା କହିବା ବୟସରେ ଅନ୍ତର୍ଜାତୀୟ ବିଚାରକଙ୍କ ପ୍ରଶ୍ନ ସାମ୍ନା କରୁଛନ୍ତି। ଧୂଳିଖେଳ ବୟସରେ ଟାଣୁଛନ୍ତି ଗଣମାଧ୍ୟମର ନଜର। ଏମିତି ଏକ ପ୍ରତିଭା ମାତ୍ର ୬ ବର୍ଷ ବୟସରେ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଭାରତ ତଥା ଓଡ଼ିଶା ପାଇଁ ସୁନାମ ଆଣିଥିବା ସେହି କୁନି ପ୍ରତିଭାଜଣଙ୍କ ହେଲେ ଓଡ଼ିଆ ଝିଅ ମୃଗାକ୍ଷୀ ରାଜେଶ କୁମାର। ୩୭ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ୨୦୧୮ ବର୍ଷ ପାଇଁ ‘ଲିଟିଲ୍‌ ମିସ୍‌ ଗାଲାକ୍ସି’ ପାଲଟିଛନ୍ତି। ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଋଷ୍‌ର ବୁଲ୍‌ଗେରିଆରେ ଆୟୋଜିତ ‘ଲିଟିଲ୍‌ ମିସ୍‌ ଓ ମାଷ୍ଟର୍‌ ଗ୍ୟାଲାକ୍ସି ଅଫ୍‌ ବୁଲ୍‌ଗେରିଆ-୨୦୧୮’ରେ ଭାରତର ପ୍ରତିନିଧିତ୍ୱ କରି ସେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଏହି ପୁରସ୍କାର ତାଙ୍କୁ ଆସନ୍ତା ଏପ୍ରିଲ୍‌ ୧୦ରେ ଜର୍ଜିଆରେ ଆୟୋଜିତ ହେବାକୁ ଯାଉଥିବା ‘ଲିଟିଲ୍‌ ପ୍ରିନ୍ସେସ୍‌ ଅଫ୍‌ ଓ୍ଵାର୍ଲ୍ଡ’ ପାଇଁ ମନୋନୀତ କରିଛି।

ମୃଗାକ୍ଷୀ ଭୁବନେଶ୍ୱର ସାଇ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍କୁଲ୍‌ରେ କେଜି-୨ରେ ପାଠ ପଢ଼ନ୍ତି। ପିତା ରଜେଶ୍‌ କୁମାର ଓ ମାତା ସଂଘମିତ୍ରା ପଟ୍ଟନାୟକଙ୍କ ସହ ସେ ଭୁବନେଶ୍ୱର ବିଜେବି ନଗରରେ ରହୁଛନ୍ତି। ପିଲାଟି ଦିନରୁ ଟିଭି ଦେଖା ତାଙ୍କ ପ୍ରତିଭା ବିକାଶରେ ସହାୟକ ହୋଇପାରିଛି ବୋଲି ତାଙ୍କ ବାପା ରାଜେଶ କୁହନ୍ତି। ମାତ୍ର ୩ ବର୍ଷ ବୟସରେ ମୃଗାକ୍ଷୀ ‘କଲର୍ସ ଚ୍ୟାନେଲ୍‌’ରେ ପ୍ରସାରିତ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ରେ ଭାଗ ନେଇ ୨ ମିନିଟ୍‌ରେ ୭୦ଟି ପ୍ରଶ୍ନର ଉତ୍ତର ଦେଇ ବିଚାରକ ତଥା ଦେଶବାସୀଙ୍କୁ ଆଚମ୍ବିତ କରି ଦେଇଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୪ ବର୍ଷ ବୟସରେ ସୋନି ଚ୍ୟାନେଲ୍‌ର ‘ସବ୍‌ସେ ବଡା କଲାକାର୍‌’ରେ ନିଜ ଅଭିନୟ କଳା ଦେଖାଇ ମଧ୍ୟ ଲୋକଙ୍କ ହୃଦୟ ଜିତି ପାରିଥିଲେ। ଗତ ବର୍ଷ ଭୁବନେଶ୍ୱରରେ ଆୟୋଜିତ ‘ଲିଟିଲ୍‌ ମିସ୍‌ ଭୁବନେଶ୍ୱର’ ମୁକୁଟ ପିନ୍ଧି ମାତ୍ର ୫ ବର୍ଷ ବୟସରେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ। ପୁଣି ଜି ସାର୍ଥକ୍‌ରେ ପ୍ରସାରିତ ‘ପରୀ’ ଧାରାବାହିକରେ ‘କୁନି ପରୀ’ ଭୂମିକା, ତାଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଥିଲା।

ଲିଟିଲ୍‌ ମିସ୍‌ ଗାଲାକ୍ସି ପ୍ରତିଯୋଗିତା ସଂପର୍କରେ ମୃଗାକ୍ଷୀ କହନ୍ତି, ଏତେ ପ୍ରତିଯୋଗୀଙ୍କ ସହ ମିଶି ଭଲ ଲାଗିବା ସହ ଜିତି ଥିବାରୁ ବହୁତ ଖୁସି ଲାଗୁଛି। ଟିଭି ଦେଖି ପିଲାଦିନୁ ମୁଁ ‘କ୍ୟାଟ୍‌ ଓ୍ଵାକ୍‌’ କରୁଛି ଓ ଏହି ପ୍ରତିଯୋଗିତା ପାଇଁ ବିଶାଖାପଟନମ୍‌ରେ ମୋତେ ନୃତ୍ୟ ଶିଖାଯିବା ସହ ଗ୍ରୁମିଂ କ୍ଲାସ୍‌ ହେଉଥିଲା। ଆଗକୁ ଜଣେ ଅଭିନେତ୍ରୀ କିମ୍ବା ମଡେଲ୍‌ ହେବାକୁ ଚେଷ୍ଟା କରିବି। କିନ୍ତୁ ବଡ଼ ହୋଇ କଲେକ୍ଟର ହେବି ଓ ମୋ ଚାରିପଟେ ନାଲିବତି ଘୂରିବ ବୋଲି ମୋର ବହୁ ଇଚ୍ଛା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର