ଗୁରୁଙ୍କ ସ୍ମୃତିରେ ‘ସଂସ୍ମରଣମ୍‌’, ଫେସ୍‌ବୁକ୍‌‌‌‌‌ରେ କାର୍ଯ୍ୟକ୍ରମର ସିଧାପ୍ରସାରଣ

ପଞ୍ଚତାରକା ଛାଡ଼ି ବାହାରେ ଠେଲାଗାଡ଼ିରୁ ଖାଦ୍ୟ ଖାଇଥିଲେ ଗୁରୁଜୀ

ଭ‌ୁବନେଶ୍ବର: ଓଡ଼ିଶୀ ନୃତ୍ୟ ଜଗତରେ ଯେଉଁ କେତେଜଣ ଦିଗ୍‌ଗଜ ଗୁରୁ ଥିଲେ ସେମାନଙ୍କ ମଧ୍ୟରେ ଗୁରୁ କେଳୁଚରଣ ମହାପାତ୍ର ସବୁରି ମୁଖରେ ଥିଲେ ଏକ ପରିଚିତ ନାଁ। ଦିନେ ଗୁରୁଜୀଙ୍କୁ କୋଲକାତାରେ ଏକ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଥିଲା। କାର୍ଯ୍ୟକ୍ରମ ସରିବା ପରେ ଖାଇବା ପାଇଁ ସେଠାରେ ଏକ ପଞ୍ଚତାରକା ହୋଟେଲ୍‌କୁ ନିଆଗଲା। ସେଠାରେ ନିଜ ପୁଅ ରତିକାନ୍ତ ମହାପାତ୍ରଙ୍କ ସହ ପହଞ୍ଚି, ଶୀଘ୍ର ଖାଦ୍ୟ ମଗାଇବା ପାଇଁ ପୁଅକୁ କହିଲେ। ବ୍ରେଡ୍‌ ଓ ଅଣ୍ଡା ଓମ୍‌ଲେଟ୍‌ ମଗାଇ ସେ ହାତ ଧୋଇବା ପାଇଁ ଚାଲିଗଲେ। ଟେବୁଲ୍‌କୁ ଫେରି ରତିକାନ୍ତଙ୍କୁ ପଚାରିଲେ, ଆରେ ଏ ଖାଦ୍ୟର ଦାମ କେତେ? ରତିକାନ୍ତ କହିଲେ, ଅଣ୍ଡା ଓମ୍‌ଲେଟ୍‌ଟା ୫୫୦ ଟଙ୍କା। ମୂଲ୍ୟ ଶୁଣି ଗୁରୁଜୀ କହିଲେ, ଏତେ ଟଙ୍କା। ଥାଉ ଆମେ ଖାଇବାନି। ରତିକାନ୍ତ କହିଲେ, ‌ଏ ଟଙ୍କା ତ ଆୟୋଜକ ଅନୁଷ୍ଠାନ ଦେବେ ତୁମେ କାହିଁକି ବ୍ୟସ୍ତ ହେଉଛ। ଗୁରୁଜୀ ଉତ୍ତର ଦେଲେ, କି କଥା ଆମ ଟଙ୍କା କ’ଣ ଖାଲି ଟଙ୍କା, ତାଙ୍କ ଟଙ୍କାର ମୂଲ୍ୟ ନାହିଁ। ଏହା କହି ଦୁହେଁ ବାହାରକୁ ଚାଲିଆସି ଠେଲାଗାଡ଼ିରୁ ଚିକେନ୍‌ ପକୋଡ଼ା, ବ୍ରେଡ୍‌, ପାଓଭାଜି ଖାଇଲେ। ଖାଇବା ବେଳେ ରତିକାନ୍ତଙ୍କୁ କହିଲେ, ନୃତ୍ୟ ପାଇଁ ହୁଏତ ଏ ସ୍ତରରେ ପହଞ୍ଚିଛି, ହେଲେ ମୁଁ ପରା ପାନବରଜ ଅଞ୍ଚଳରୁ ଆସିଛି…। ଗୁରୁଜୀଙ୍କ ଏହି କଥା ମତେ ବହୁତ କିଛି ଶିଖାଇଛି ବୋଲି କହିଛନ୍ତି ତାଙ୍କ ପୁତ୍ର ରତିକାନ୍ତ ମହାପାତ୍ର। ସମ୍ପର୍କରେ ସେ ପୁଅ ହେଲେ ମଧ୍ୟ ବାପାଙ୍କୁ ଡାକୁଥିଲେ ଗୁରୁଜୀ। ଆଜି ଗୁରୁ କେଳୁଚରଣ ମହାପାତ୍ରଙ୍କ ୧୬ତମ ଶ୍ରାଦ୍ଧ ଦିବସ ଅବସରରେ ନିଜର ଏହି ଅଭୁଲା ସ୍ମୃତିକୁ ବ୍ୟକ୍ତ କରିଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ସୃଜନ ପରିସରରେ ଗୁରୁଜୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ‘ସଂସ୍ମରଣମ’ ଅବସରରେ ସେ ଏହି ସ୍ମୃତି ବଖାଣିଥିଲେ।

ଲକ୍‌ଡାଉନ ପାଇଁ ସାମାଜିକ ଦୂରତାକୁ ଗୁରୁତ୍ବ ପୂର୍ବକ ଏକକ ନୃତ୍ୟରେ ଭେଟି ଦିଆଯାଇଥିବା ଏହି ନୃତ୍ୟକୁ ଫେସବୁକରେ ସିଧା ପ୍ରସାରଣ କରାଯାଇଥିଲା। ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂଯୋଜିତ ନୃତ୍ୟ ଭେଟିଦେଇ ଗୁରୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଅନୁଷ୍ଠାନର ଶିଳ୍ପୀବୃନ୍ଦ। ରିବଧିତା ବରୱା ନୃତ୍ୟରେ ଭେଟି ଦେଇଥିଲେ ମଙ୍ଗଳାଚରଣ ଓ ଗଣେଶ ବନ୍ଦନା। ପ୍ରୀତିଶା ମହାପାତ୍ର ପ୍ରସ୍ତୁତ କରିଥିଲେ ହଂସଧ୍ବନୀ ପଲ୍ଲବୀ। ରାଜଶ୍ରୀ ପ୍ରହରାଜ ଭେଟି ଦେଇଥିଲେ ଗୁରୁଜୀଙ୍କ ସବୁଠୁ ପ୍ରିୟ ‘ଆହେ ନୀଳ ଶଇଳ…ରେ ନୃତ୍ୟାଭିନୟ। ଏ ସମସ୍ତ ଗୀତରେ ସଂଗୀତ ନିର୍ଦେଶନା ଦେଇଥିଲେ ପଣ୍ଡିତ ଭୁବନେଶ୍ବର ମିଶ୍ର। ଋତୁ ସେନଗୁପ୍ତା ନୃତ୍ୟାଭିନୟରେ ପ୍ରସ୍ତୁତ କରିଥିଲେ ‘ଦୁର୍ଗା’। ଏଥିରେ ସଂଗୀତ ନିର୍ଦେଶନା ଦେବାଶିଷ ସର୍କାର କରିଥିଲେ। ପରିଚାଳନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର। ଏହା ବ୍ୟତୀତ ଗୁରୁଜୀଙ୍କ ସହ ସ୍ମରଣୀୟ ମୁହୂର୍ତକୁ ଭିଡିଓ ଓ ଲେଖାରେ ପ୍ରକାଶ କରିଥିଲେ ତାଙ୍କର ଅନେକ ଶିଷ୍ୟ ଶିଷ୍ୟା। ସୋସିଆଲ ମିଡିଆରେ ସେଇ ଅନୁଭବ ଓ ଅଭିଜ୍ଞତାକୁ ବ୍ୟକ୍ତ କରି ଗୁରୁଙ୍କ ସ୍ମୃତିଚାଣ କରିଥିଲେ।

ସମ୍ବନ୍ଧିତ ଖବର