ଭୁବନେଶ୍ୱର: ମହର୍ଷି ମହାବିଦ୍ୟାଳୟର ରୋଭର-ରେଞ୍ଜର ଦଳ ତରଫରୁ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ର ସହଯୋଗିତାରେ ‘ସାମାଜିକ ଦାୟିତ୍ୱ ଓ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସମାଜ’ ଶୀର୍ଷକ ‘ଲାଇଭ୍ ୱେବିନାର’ ଆୟୋଜିତ ହୋଇଛି। ଅଧ୍ୟାପିକା ଡା.ନମିତା ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ୱେବିନାରକୁ ଭାରତ ସ୍କାଉଟ୍ ଗାଇଡସର ଜାତୀୟ ଉପାଧ୍ୟକ୍ଷ ଡ.କେ.ପି.ମିଶ୍ର ଉଦଘାଟନ କରିଥିଲେ।
କୋଭିଡ-୧୯ ମହାମାରୀ ସମୟରେ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସମାଜର ଭୂମିକା କିପରି ହେବା ଉଚିତ ସେ ବିଷୟରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଓଡ଼ିଶା ସରକାରଙ୍କର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଲୋକପାତ କରିଥିଲେ। ଶ୍ରୀ ବାଗଚୀ କହିଥିଲେ, ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସଫାସୁତୁରା ରହିବା ସହିତ ଖାଇବା, ପିନ୍ଧିବା ଓ ବୁଲିବା ଭଳି ୩ଟି ଜିନିଷକୁ କମାଇବା ଦରକାର । ନିଜକୁ ସୁରକ୍ଷିତ ରଖିବା, ନିଜ ଚାରିପଟେ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ଏବଂ ସମାଜକୁ ଏହି ସୁରକ୍ଷା ବଳୟ ଭିତରକୁ ଆଣିବା ହିଁ ସ୍ୱେଚ୍ଛାସେବୀମାନଙ୍କର କର୍ତ୍ତବ୍ୟ । କନଫିଡେନ୍ସ, କମ୍ପିଟେନ୍ସ, କ୍ୟାରେକ୍ଟର ଓ କମ୍ପାସନ ଆଦି ‘୪-ଟି’ର ପାଳନ ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମକୁ ଅନଲାଇନରେ ପ୍ରଦୀପ ପ୍ରଜ୍ୱଳନ କରି ଜାତୀୟ ଉପସଭାପତି ଓ ରାଜ୍ୟ ମୁଖ୍ୟ କମିଶନର ଡ. କାଳୀ ପ୍ରସାଦ ମିଶ୍ର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୧୮୦୦ ବ୍ୟକ୍ତିବିଶେଷ ଗୁଗୁଲ ମିଟ ଓ ଲାଇଭ ୟୁଟ୍ୟୁବ ଜରିଆରେ ଅଂଶଗ୍ରହଣ କରିଥିଲେ । ଆମେରିକା, ଇଂଲଣ୍ଡ, ଫିନଲ୍ୟାଣ୍ଡ, କାନାଡା ଓ ନେପାଳ ଆଦି ୫ଟି ଦେଶ, ୨୫ଟି ସ୍ୱେଚ୍ଛାସେବୀ ସଂଗଠନ ଏବଂ ୧୫ଟି ରାଜ୍ୟରୁ ବିଭିନ୍ନ ବର୍ଗର ବ୍ୟକ୍ତି ଯୋଗଦେଇଥିଲେ ।
ଏହି ୱେବିନାରରେ ମହର୍ଷି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିଜୟ କୁମାର ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡ. ରଂଜନ ପାଣିଗ୍ରାହୀ ଯାନ୍ତ୍ରିକ ସହାୟତା ଯୋଗାଇଥିଲା ବେଳେ ଡ. ରାଜକିଶୋର ମିଶ୍ର ପ୍ରଶ୍ନଗୁଚ୍ଛକୁ ସଂଯୋଜନା କରିଥିଲେ । ମୁଖ୍ୟଅତିଥି ଏବଂ ଉଦଘାଟକ ଅଧ୍ୟାପିକା ନମିତାଙ୍କୁ ୱେବିନାରର ସଫଳତା ନେଇ ଶୁଭେଚ୍ଛା ଜଣାଇଥିଲେ । ଶେଷରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଡ.ଅଦୈତ ପ୍ରସାଦ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/3c8ed094-2dc4-42c9-8d11-09521e0d70ad.jpg)