ଭୁବନେଶ୍ବର: ଏମ୍‌ସ ଭୁବନେଶ୍ବର ଚିକିତ୍ସା କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆଉ ମାତ୍ର ଦୁଇମାସ ମଧ୍ୟରେ ଏଠାରେ ୧୦ଶଯ୍ୟା ବିଶିଷ୍ଟ ଯକୃତ ପ୍ରତିରୋପଣ ଆଇସିୟୁ କାର୍ଯ୍ୟକ୍ଷମ ହେବ। ଏହି ଶଲ୍ୟ ଚିକିତ୍ସାରେ ଉନ୍ନତ ମାନର ସୁବିଧା ରହିବା ସହିତ ସଂକ୍ରମଣ ପ୍ରତିରୋଧ ବ୍ୟବସ୍ଥା କରିବା ଲାଗି ପଦକ୍ଷେପ ନିଆଯାଇଛି। ଏବେ ଭାରତର କୌଣସି ଏମ୍‌ସରେ ଏଭଳି ଆଇସିୟୁର ସୁବିଧା ନଥିବା ସମୟରେ ଏମ୍‌ସ, ଭୁବନେଶ୍ବର ଏ ଦିଗରେ ଅଗ୍ରଣୀ ହେବାକୁ ଯାଉଛି। ଡାକ୍ତରଖାନାର ସର୍ଜିକାଲ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ବିଭୁଦତ୍ତ ପଟ୍ଟନାୟକ କହିଚନ୍ତି ଯେ, ବର୍ତ୍ତମାନର ପରିବର୍ତ୍ତିତ ଜୀବନ ଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା କାରଣରୁ ବହୁ ଲୋକ ଯକୃତଜନିତ ରୋଗରେ ପୀଡ଼ିତ ହେଉଛନ୍ତି। କେବଳ ମଦ୍ୟପାନ କରିବା ଦ୍ବାରା ଯକୃତ ନଷ୍ଟ ହୁଏ ତାହା ନୁହେଁ, ମଧୁମେହ ଥିଲେ ମଧ୍ୟ ଯକୃତ ପ୍ରଭାବିତ ହେବା ଆଶଙ୍କା ରହିଛି। ଏହାକୁ ଏନ୍‌ଏଏଫ୍‌ଏଲ୍‌ଡି (ନନ୍‌ଆଲୋକୋହୋଲିକ୍‌ ଫ୍ୟାଟିଲିଭର୍‌ ଡିଜିଜ୍‌) କୁହାଯାଏ। ଲିଭର୍‌ ସିରିୟୋସିସ୍‌ ରୋଗର ଜଟିଳତାକୁ ପରୀକ୍ଷା କରାଯାଇ ବି ଓ ସି ଷ୍ଟେଜ୍‌ରେ ଥିବା ରୋଗୀଙ୍କ ନିକଟରେ ଯକୃତ ପ୍ରତିରୋପଣ କରାଯାଏ। ସେହିପରି ଜନ୍ମରୁ ପିତ୍ତନଳୀ ତିଆରି ହୋଇନଥିବା ତଥା ବିଲିଆରି ଆଟ୍ରେସିଆ ରୋଗରେ ପୀଡ଼ିତ ଶିଶୁମାନଙ୍କ ନିକଟରେ ମଧ୍ୟ ଯକୃତ ପ୍ରତିରୋପଣ କରାଯାଉଛି।

Advertisment

ଯକୃତ ପ୍ରତିରୋପଣ ପାଇଁ ବିଭିନ୍ନ ଘରୋଇ ଡାକ୍ତରଖାନାରେ ୨୦ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେବେ ଏମ୍‌ସ ଭୁବନେଶ୍ବରରେ ଏହି ସୁବିଧା ଉପଲବ୍ଧ ହେଲେ ରୋଗୀଙ୍କୁ ମାତ୍ର ୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଆୟୁଷ୍ମାନ କାର୍ଡ ଥିଲେ ଯକୃତ ପ୍ରତିରୋପଣ ଲାଗି ମାତ୍ର ଅଢ଼େଇ ଲକ୍ଷରୁ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତେବେ ଯକୃତ ପ୍ରତିରୋପଣରେ ବ୍ୟବହୃତ ଅର୍ଗାନ୍‌ ପ୍ରିଜର୍‌ଭେଟିବ୍‌ ସଲ୍ୟୁସନ୍‌କୁ ନିଶୁଳ୍କ କରିବା ଲାଗି ଏମ୍‌ସ କର୍ତ୍ତୃପକ୍ଷ ଆଲୋଚନା ଚଳାଇଛନ୍ତି। ଏବେ ଅଙ୍ଗଦାନକୁ ଗୁରୁତ୍ବ ଦିଆଯାଉଛି। ଯେକୌଣସି ସୁସ୍ଥ ବ୍ୟକ୍ତି ନିଜ ଯକୃତର ୬୦ରୁ ୭୦ ପ୍ରତିଶତ ଦାନ କରିପାରିବେ। ରୋଗୀଙ୍କ ବ୍ଲଡ୍‌ ଗ୍ରୁପ୍‌ ସହିତ ଡୋନର୍‌ଙ୍କ ବ୍ଲଡ୍‌ ଗ୍ରୁପ୍‌ ମ୍ୟାଚ୍‌ ହୋଇପାରିଲେ ଯକୃତ ପ୍ରତିରୋପଣ ସହଜ ହୋଇଥାଏ। ଭୁବନେଶ୍ବର ଏମ୍‌ସରେ ମଧ୍ୟ ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍‌ କାର୍ଯ୍ୟରତ ଥିବା ଡାକ୍ତର ଶ୍ରୀ ପଟ୍ଟନାୟକ କହିଛନ୍ତି।