ଖଣ୍ଡଗିରି: ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ସଂଲଗ୍ନ ଭରତପୁର ସଂରକ୍ଷିତ ଜଙ୍ଗଲ ପାଚେରି ବା‌ରମ୍ବାର ଭାଙ୍ଗୁଛି। କେଉଁଠି ଖଣ୍ଡ ଖଣ୍ଡ ହୋଇ ଜଙ୍ଗଲ ଭିତରକୁ ଖସିପଡ଼ୁଛି ତ କେବେ ଫାଟ ମେଲୁଛି। ତେବେ ଜଙ୍ଗଲ ପାଚେରି ଭାଙ୍ଗିବାଠାରୁ ଏହାର ମରାମତି ଏବେ ଅନେକଙ୍କୁ ଆ‌ଶ୍ଚର୍ଯ୍ୟ କରିଛି। ସମ୍ପୂର୍ଣ୍ଣ ଜଙ୍ଗଲର ପାଚେରି ଦୁର୍ବଳ ହୋଇପଡ଼ିଥିଲେ ମଧ୍ୟ କେବଳ ଭାଙ୍ଗି ଯାଉଥିବା ସ୍ଥାନକୁ ମରାମତି କରାଯାଉଛି। ତାହାପୁଣି ପାଚେରି ଥିବା ସ୍ଥାନରେ କରା ନଯାଇ ଫୁଟ୍‌ପାଥ୍‌ ଆଡ଼କୁ ମଡ଼ାଯାଇ ଅନ୍ୟ ସ୍ଥାନରେ ନିର୍ମାଣ ହେଉଛି। ତାହାକୁ ପୁରୁଣା ପାଚେରି ସହ ଯୋଡ଼ା ଯାଉଛି। ଏହାଦ୍ବାରା ଫୁଟ୍‌ପାଥ୍‌ ଓସାର କମିବାରୁ ଆଗାମୀ ଦିନରେ ଗାଡ଼ି ଚଳାଚଳରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। କଳିଙ୍ଗ ଷ୍ଟୁଡିଓ ଛକରୁ ରେଣ୍ଟାଲ କଲୋନି ପର୍ଯ୍ୟନ୍ତ ରାସ୍ତାରେ ଏଭଳି କାର୍ଯ୍ୟକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଭଳି ତାଳି ପକା କାମ ଦ୍ବାରା ବନ୍ୟଜନ୍ତୁଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ସ୍ଥିତି ଏମିତି ହେଲାଣି ଯେ ଗୋଟିଏ ପାର୍ଶ୍ବ ମରାମତି କଲା ବେଳକୁ ଅନ୍ୟପାର୍ଶ୍ବ ଗଳି ପଡ଼ୁଛି। ଦୁର୍ବଳ ପାଚେରି ଯୋଗୁ କେବଳ ଯେ ଲୋକଙ୍କର ସମସ୍ୟା ହେବ ତାହା ନୁ‌ହେଁ, ବରଂ ରାଜଧାନୀ ଉପକଣ୍ଠ ଏହି ଜଙ୍ଗଲରେ ଚଳପ୍ରଚଳ କରୁଥିବା ଜୀବଜନ୍ତୁଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି।
ସହରରେ ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୫ ବର୍ଷ ତଳେ ରେଣ୍ଟାଲ କଲୋନିରୁ କଳିଙ୍ଗ ଷ୍ଟୁଡିଓ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ କରାଯାଇଥିଲା।

Advertisment

ଗୋଟିଏ ଥାକିଆ ଥିବା ଏହି ରାସ୍ତାକୁ ଦୁଇ ଥାକିଆ କରାଯିବା ସହ ଉଚ୍ଚତା ମଧ୍ୟ ବଢ଼ାଯାଇଥିଲା। ପରିଣାମ ସ୍ବରୂପ ରାସ୍ତାଠାରୁ ପାଚେରି ବହୁ ତଳକୁ ହୋଇଯାଇଥିଲା। ଏହି ପାଚେରି ନିକଟରେ ହାତୀମାନେ ନିୟମିତ ବ୍ୟବଧାନରେ ଜଳକ୍ରୀଡ଼ା କରୁଥିବାରୁ ହାତୀମାନଙ୍କୁ ପାଖରୁ ଦେଖିବା ଲାଗି ବିଭିନ୍ନ ସମୟରେ ରାସ୍ତା ଜାମ୍‌ ହେଉଥିଲା। ସକାଳୁ ଜଙ୍ଗଲୀ ବନ୍ୟଜନ୍ତୁ ମଧ୍ୟ ଏଠାକୁ ପାଣି ପିଇବାକୁ ଆସୁଥିବା ବେଳେ ଲୋକେ ସେମାନଙ୍କୁ ହଇରାଣ କରୁଥିଲେ। ମୟୂରଙ୍କୁ ଦେଖି ହୋହଲ୍ଲା କରିବା ସହ କେହି କେହି ଟେକା ପଥର ମାଡ଼ କରୁଥିଲେ। ପାଚେରି ଉପରେ ଛିଡ଼ା ହୋଇ ଜୀବଜନ୍ତୁଙ୍କୁ ପାଟି କରିବା ଦ୍ବାରା ସେମାନେ ଭୟଭୀତ ହୋଇ ପାଣି ନ ପିଇ ଜଙ୍ଗଲ ଭିତରକୁ ପଳାଇ ଯାଉଥିଲେ। ତେଣୁ ଅସାମାଜିକଙ୍କ ଉପରେ ରୋକ୍‌ ଲଗାଇବା ଏବଂ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବାକୁ ଚନ୍ଦକା-ଡମପଡ଼ା ବନଖଣ୍ଡ ପକ୍ଷରୁ ରାସ୍ତାପାର୍ଶ୍ବର ପ୍ରାୟ ୭୧୦ ମିଟର ପାଚେରି ଉଚ୍ଚତା ବଢ଼ାଯାଇଥିଲା। ସୁନିଶ୍ଚିତ ଯୋଜନା ପ୍ରସ୍ତୁତ ନ କରି ବନ ବିଭାଗ ଅଧିକାରୀମାନେ ପୁରୁଣା ତଥା ଦୁର୍ବଳ ପାଚେରି ଉପରେ ଇଟା ପଥର ଲଦି ତାହାର ଉଚ୍ଚତା ବଢ଼ାଇଦେଲେ। ପରବର୍ତ୍ତୀ ସମୟରେ ଏହି ରାସ୍ତା‌ରେ ଅଧିକ ଗାଡ଼ି ମଟର ଚାଲିବାରୁ ପାଚେରି ଉପରେ ଅଧିକ ଚାପ ପଡ଼ିବା‌ରୁ ତାହା ଭାଙ୍ଗି ପଡ଼ୁଛି। ଜଙ୍ଗଲ ଓ ସହରକୁ ଭାଗ କରୁଥିବା ଏହି ପାଚେରି ବହୁ ପୁରୁଣା ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗି ପୁଣିଥରେ ଗଢ଼ିବାର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍‌ ପ୍ରଦୀପ ତରାଇ କହିଛନ୍ତି।

ଅନ୍ୟପକ୍ଷରେ ଜଙ୍ଗଲ ଭିତରେ ଅଳିଆ ଆବର୍ଜନା ପକାଇବା ଉପରେ ରୋକ ଲଗାଯାଇପାରି ନାହିଁ। ରାସ୍ତାରେ ଉଠାଦୋକାନୀଙ୍କ ପସରା ବଢ଼ିବାରେ ଲାଗିଛି। ୨୦ରୁ ଅଧିକ ଉଠାଦୋକାନୀ ରାସ୍ତାପାର୍ଶ୍ବ ଫୁଟ୍‌ପାଥରେ ଦୋକାନ ଖୋଲି ଫଳ ଓ ପନିପରିବା ବେପାର କରୁଛନ୍ତି। ସେଥିରୁ ବାହାରୁଥିବା ଆବର୍ଜନାଗୁଡ଼ିକୁ ସେମାନେ ଜଙ୍ଗଲ ଭିତରକୁ ପକାଇ ଦେଉଥିବା ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ଲୋକେ ଘରର ଆବର୍ଜନା, ମଦ ବୋତଲକୁ ସିଧାସଳଖ ଜଙ୍ଗଲ ଭିତରକୁ ଫିଙ୍ଗି ଦେଉଥିବାରୁ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ଚନ୍ଦକା ଡିଏଫ୍‌ଓ ଶରତ କୁମାର ମିଶ୍ରଙ୍କ କହିବାନୁଯାୟୀ ଯେଉଁ ସ୍ଥାନରେ ପାଚେରି ଭାଙ୍ଗିଥିଲା ତାହାକୁ ମରାମତି କରାଯାଇଛି। ଜଙ୍ଗଲ ଭିତରେ ଟ୍ରେଞ୍ଚ ରହିଥିବାରୁ ବନ୍ୟଜନ୍ତୁ ଆଉ ବାହାରକୁ ଆସିପାରିବେ ନାହିଁ। ସେମାନଙ୍କ ସୁରକ୍ଷା ଦିଗରେ ଆମେ ପଦକ୍ଷେପ ନେଉଛୁ।