ଭୁବନେଶ୍ବର: ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ, ୨୪ ବର୍ଷରୁ ଊର୍ଦ୍ଧ୍ବ ହେଲାଣି ସେଇ ଘରେ ରହୁଛନ୍ତି, ହେଲେ ମାଲିକ ନୁହନ୍ତି। ସରକାରୀ ସଂସ୍ଥା ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ(ଓଏସ୍‌ଏଚ୍‌ବି) ଠାରୁ ଲକ୍ଷ ଲକ୍ଷ ଟଙ୍କା ଦେଇ ଘର କିଣି ଭଡ଼ାଟିଆ ଭଳି ରହୁଛନ୍ତି। ସରକାରଙ୍କ ସ୍କିମ୍‌ ହୋଇଥିବାରୁ କୌଣସି ସମସ୍ୟା ହେବ ନାହିଁ ଭାବି ୫୦୦ରୁ ଊର୍ଦ୍ଧ୍ବ କ୍ରେତା ସରକାରୀ ଉଦାସିନତାର ଶିକାର ହୋଇଛନ୍ତି। କିଣିବା ବେଳେ ଜମି ଯେଉଁ ଲିଜ୍‌ ହୋଲ୍ଡ ଥିଲା, ସେମିତି ଅଛି, ଫ୍ରି ହୋଲ୍ଡ ‌ହୋଇ ପାରୁନି। ଏଭଳି ବିଚିତ୍ର ସ୍ଥିତି ରହିଛି ଚନ୍ଦ୍ରଶେଖରପୁର କାନନବିହାର ହାଉସିଂବୋର୍ଡ କଲୋନିରେ। ଫେଜ୍‌-୧ ଅବସ୍ଥା ଯାହା ଫେଜ୍‌-୨ ଅବସ୍ଥା ତା’ ଠାରୁ ଆହୁରି ଖରାପ। ଫେଜ୍‌-୧ରେ ଥିବା ଜମି ଗୋଚର କିମସର ହୋଇଥିବା ବେଳେ ଏହା ଘରବାରିକୁ ପରିବର୍ତ୍ତନ ହେବା ଆବଶ୍ୟକତା ରହିଛି। ଫେଜ୍‌-୨ରେ ଅଧା ଗୋଚର ଓ ଅଧା ଜଙ୍ଗଲ କିସମ ରହିଛି। ଫଳରେ ଅଧା ଜଙ୍ଗଲ କିସମ କେବେ ପରିବର୍ତ୍ତନ ହେବ ବା ଘରମାଲିକ ଏଭଳି କେତେ ଦିନ ଫସି ରହିବେ ତାହାର କିଛି ଠିକଣା ନାହିଁ। ୨୦ ବର୍ଷରୁ ଊର୍ଦ୍ଧ୍ବ ହେବ ଏଭଳି ୫୦୦ରୁ ଅଧିକ ମାଲିକ ଫସିଛନ୍ତି।

Advertisment

୨୦୦୦ ମସିହାରେ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଚନ୍ଦ୍ରଶେଖରପୁର ମୌଜାରେ ଗୃହ ନିର୍ମାଣ ଯୋଜନା ଆରମ୍ଭ କରିଥିଲା। ଫେଜ୍‌-୧ ଓ ଫେଜ୍‌-୨ ଏଭଳି ବିଭିନ୍ନ ପର୍ଯ୍ୟାୟରେ ଜନସାଧାରଣଙ୍କ ଆୟକୁ ଆଧାର କରି ଇଡବ୍ଲୁଏସ୍‌, ଏଲ୍‌ଆଇଜି, ଏମ୍‌ଆଇଜି ଓ ଏଚ୍‌ଆଇଜି ବର୍ଗରେ ବାସଗୃହ ନିର୍ମାଣ କରିଥିଲା। ଉଭୟ ସ୍କିମ୍‌ ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ(ଜିଏ ଆଣ୍ଡ ପିଜି) ବିଭାଗ ପକ୍ଷରୁ ଜମି ଯୋଗାଇ ଦିଆଯିବାକୁ ଯୋଜନା ହୋଇଥିଲା। ହାଉସିଂ ବୋର୍ଡକୁ ଲିଜ୍‌ ସୂତ୍ରରେ ୬୦ ଏକ ମିଳିବା ପରେ ଏହି ଦୁଇ ସ୍କିମ୍‌ରେ ଘର ତିଆରି ଆରମ୍ଭ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ହିତାଧିକାରୀ ରହିଥିଲେ। ଫେଜ୍‌-୧ରେ ସମସ୍ତ ୩୦ ଏକର ଜମିର କିସମ ଗୋଚର ଥିଲା। ଏହାର କିସମ ଘରବାରିକୁ ପରିବର୍ତ୍ତନ ହେବା ସହ ଜିଏ ଏହି ଜମିକୁ ହାଉସିଂ ବୋର୍ଡ ନାମରେ କରିଦେବା କଥା। ହାଉସିଂ ବୋର୍ଡ ଜମିର ମାଲିକ ହେବା ପରେ ଏହି ଜମିକୁ କ୍ରେତାମାନଙ୍କ ପାଇଁ ଫ୍ରି ହୋଲ୍ଡ କରିବା କଥା। କିନ୍ତୁ ଏହି ଜମି ହାଉସିଂ ବୋର୍ଡ ଖାତାକୁ ଆସିଲା ନାହିଁ କିମ୍ବା କିସମ ମଧ୍ୟ ପରିବର୍ତ୍ତନ ହେଲା ନାହିଁ।

ମାଲିକାନା ଅପେକ୍ଷାରେ କାନନବିହାର ହାଉସିଂ ବୋର୍ଡ କଲୋନି ବାସିନ୍ଦା
୨୪ ବର୍ଷ ପରେ ଭାଗ୍ୟ ଫିଟିବ
କିସମ ପରିବର୍ତ୍ତନ ପାଇଁ ସରକାରଙ୍କ ନିର୍ଦ୍ଦେଶ

ଫଳରେ ଏହି ହିତାଧିକାରୀମାନେ ଫସି ରହିଲେ। ଲୋକମାନେ ଭାବିଥିଲେ ସରକାରୀ ଯୋଜନା ହୋଇଥିବାରୁ ଠକାମୀର ଶିକାର ହେବେ ନାହିଁ। କିନ୍ତୁ ମୋଟା ଅଙ୍କର ଟଙ୍କା ଦେଇ ଘରେ ରହିଲେ ସିନା ମାଲିକ ହୋଇ ପାରିଲେ ନାହିଁ। କିଣାବିକା କରିପାରିଲେ ନାହିଁ କିମ୍ବା ବନ୍ଧକ ମଧ୍ୟ ରଖିପାରିଲେ ନାହିଁ। ଫେଜ୍‌-୨ରେ ମଧ୍ୟ ବିଚିତ୍ର ଅବସ୍ଥା। ଏଠାରେ ୩୦ ଏକରରୁ ଅଧାରୁ ଅଧିକା ଜଙ୍ଗଲ କିସମ, ବାକି ଜମି ଗୋଚର। ଜଙ୍ଗଲ କିସମ ପରିବର୍ତ୍ତନ ପାଇଁ ସରକାର ଘୋଷଣା କରିଥିଲେ ମଧ୍ୟ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। କେବେ ହେବ ତାହା ମଧ୍ୟ ଠିକଣା ନାହିଁ। କାରଣ ୨୪ ବର୍ଷ ବିତିଯାଇଥିଲେ ମଧ୍ୟ ଗୋଚର ଜମି କିସମ ପରିବର୍ତ୍ତନ ଓ ଫ୍ରି ହୋଲ୍ଡ ହୋଇ ପାରିନାହିଁ। ଏଠାରେ ୨୦୦ରୁ ୨୫୦ ହିତାଧିକାରୀ ରହିଛନ୍ତି। କିନ୍ତୁ ସେମାନଙ୍କୁ ମାଲିକାନା ସ୍ବତ୍ବ ମିଳୁନାହିଁ। ବିକାକିଣା ହୋଇ ପାରୁ ନାହିଁ। କେତେକ ଅଭାବରେ ପଡ଼ି ବିକି ଦେଇଥିଲେ ମଧ୍ୟ କାଗଜପତ୍ରରେ ମୂଳ ମାଲିକ ରହିଛନ୍ତି।

ତେବେ ୨୪ ବର୍ଷ ପରେ ଫେଜ୍-୧ ବାସିନ୍ଦାଙ୍କ ଭାଗ୍ୟ ଫିଟିବାକୁ ଯାଉଛି। ଏଠାରେ ଥିବା ମୋଟ୍‌ ୩୦ ଏକରରୁ ବିଲ୍ଡଅପ୍‌ ଏରିଆ ୧୮.୯୭୦ ଏକରକୁ ଜିଏ ବିଭାଗ ଓଏସ୍‌ଏଚ୍‌ବି ନାମରେ କରିଦେଇଛି। ତହସିଲଦାରଙ୍କୁ ଆରଓଆର ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିବର୍ତ୍ତନ ହେଲେ ଓଏସ୍‌ଏଚ୍‌ବି ସମ୍ପୃକ୍ତ କ୍ରେତାମାନଙ୍କ ନାମରେ ଫ୍ରି ହୋଲ୍ଡ କରିବ। ଓଏସ୍‌ଏଚ୍‌ବିର ବରିଷ୍ଠ ଅଧିକାରୀଙ୍କ କହିବା କଥା, ଫେଜ୍‌-୧ରେ ଫ୍ରି ହୋଲ୍ଡ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ପ୍ରୋସେସିଂ ଫି କେତେ ରହିବ ତାହା ଉପରେ ବିଚାରବିମର୍ଶ ଚାଲିଛି। ବିଡିଏର ବିଭିନ୍ନ ଗୃହ ନିର୍ମାଣ ପ୍ରକଳ୍ପରେ ପ୍ରୋସେସିଂ ଫି ଜମିମୂଲ୍ୟର ୩ ପ୍ରତିଶତ ରହିଛି। କିନ୍ତୁ ପ୍ରକଳ୍ପକୁ ୨୪ ବର୍ଷ ପୂରିଥିବା ବେଳେ ଏବେ ଜମି ମୂଲ୍ୟ ବଢ଼ି ଯାଇଛି। ଏଣୁ ଏହି ପ୍ରୋସେସିଂ ଫି କେତେ ଧାର୍ଯ୍ୟ କରାଯିବ ତାହାର ମାନସମନ୍ଥନ ଚାଲିଛି।