ଭୁବନେଶ୍ବର: ବିଏମ୍‌ସିର ୱାର୍ଡ ନମ୍ବର ୨୨ରେ ରହୁଛନ୍ତି ୫୮୩ରୁ ଊର୍ଧ୍ବ ପରିବାର। କିନ୍ତୁ ଭୋଟର ତାଲିକାରେ ନାଁ ସହିତ ସମସ୍ତ ଉନ୍ନୟନମୂଳକ ଯୋଜନାର ହିତାଧିକାରୀ ୱାର୍ଡ ନମ୍ବର ୩୭, ୫୨, ୩୬ର ଅଟନ୍ତି। ଏଥିଯୋଗୁଁ ସେମାନେ କାହାର ହୋଇପାରୁନାହାନ୍ତି। ଅନ୍ୟ ଦିଗରେ ସେମାନଙ୍କ ଏହି ସମସ୍ୟା ନେଇ ଅବଗତ ଥିବା କହିଛନ୍ତି ୱାର୍ଡ ୨୨ର କର୍ପୋରେଟର ତଥା ଡେପୁଟି ମେୟର ମଞ୍ଜୁଲତା କହଁର।

Advertisment

ୱାର୍ଡ ୨୨ ଅନ୍ତର୍ଗତ ପଣ୍ଡାକୁଦିଆର ଜଗନ୍ନାଥ ସାହି ବସ୍ତି ବର୍ତ୍ତମାନ ରାଜଧାନୀ ବିସ୍ଥାପିତଙ୍କ ଥଇଥାନ କଲୋନି ପାଲଟିଛି। ୨୦୧୯ ମସିହାରେ ରାଜଧାନୀରେ ଆୟୋଜିତ ହୋଇଥିଲା ବିଶ୍ବକପ୍‌ ହକି ପ୍ରତିଯୋଗିତା। ଏଥିପାଇଁ ୨୦୧୮ ମସିହାରେ ୱାର୍ଡ ନମ୍ବର ୩୭ ଅନ୍ତର୍ଗତ ଜୟଦେବବିହାର କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ବସ୍ତିର ୨୯୦ ପରିବାରଙ୍କୁ ବିଏମ୍‌ସି ପକ୍ଷରୁ ଏଠାରେ ଥଇଥାନ କରାଯାଇଥିଲା। ୨୦୨୦ ମସିହାରେ ବିମାନବନ୍ଦର ସମ୍ପ୍ରସାରଣ ଯୋଗୁଁ ଫାର୍ମଗେଟର ୧୧୦ ପରିବାର ମଧ୍ୟ ଏଠିକୁ ଆସିଲେ। କ୍ୟାପିଟାଲ ଡାକ୍ତରଖାନା ସମ୍ପ୍ରସାରଣ ପରେ ପ୍ରାୟ ୧୦୦ ପରିବାରଙ୍କୁ ମଧ୍ୟ ବିଏମ୍‌ସି ପଣ୍ଡାକୁଦିଆରେ ଥଇଥାନ କରିଥିଲା। ଠିକ୍‌ ଏହାପରେ ଭୁବନେଶ୍ବରରେ ବିଏମ୍‌ସି ନିର୍ବାଚନ ହୋଇଥିଲେ ମଧ୍ୟ ସମସ୍ତ ବିସ୍ଥାପିତ ଭୋଟର ସବୁ ନୂତନ ୱାର୍ଡ ୨୨ ପରିବର୍ତ୍ତେ ପୁରୁଣା ୱାର୍ଡରେ ଭୋଟ ଦେଇଥିଲେ।

ୱାର୍ଡ ନମ୍ବର ୨୨ରେ ରହିବି ୩୭ ପାଇଁ ଦେଇଥିଲେ ଭୋଟ
ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ସାମିଲ ପାଇଁ ଦାବି

ଏପରିକି ୨୦୧୮ର ବିସ୍ଥାପିତ ଭୋଟରଙ୍କ ନାଁ ମଧ୍ୟରେ ନୂତନ ୱାର୍ଡ ତାଲିକାରେ ସାମିଲ କରାଯାଇ ନଥିଲା। ନିର୍ବାଚନ ସମାପ୍ତ ପରେ ଏମ୍‌ଏଲ୍‌ଏ କଲୋନି ପାଇଁ ବିସ୍ଥାପିତ ୮୩ ପରିବାର ମଧ୍ୟ ଏଠାରେ ରହିଛନ୍ତି। ଏଥିଯୋଗୁଁ ସେମାନଙ୍କ ଉନ୍ନୟନ କାର୍ଯ୍ୟ ଯେମିତି ଏଠାକୁ ପହଞ୍ଚି ହିଁ ପାରୁନାହିଁ। ଉଦାହରଣସ୍ବରୂପ, ହନୁମାନ ମନ୍ଦିରରୁ ଜଗନ୍ନାଥ ସାହି ବସ୍ତି ମଧ୍ୟରେ ଚଉଡ଼ା ରାସ୍ତା କିମ୍ବା ନାଳାଟିଏ ନିର୍ମାଣ ହୋଇପାରିଲା ନାହିଁ। ସ୍ଥିତି ଏଭଳି ଯେ ଆମ୍ବୁଲାନ୍ସଟିଏ ଏଠାକୁ ଆସିପାରେ ନାହିଁ। ଅଚାନକ ଆମ୍ବୁଲାନ୍ସର ଆବଶ୍ୟକତା ପଡ଼ିଲେ ରୋଗୀ କିମ୍ବା ଗର୍ଭବତୀଙ୍କୁ ୫୦୦ ମିଟର ପର୍ଯ୍ୟନ୍ତ ବୋହିକି କିମ୍ବା ଖଟିଆରେ ନେବାକୁ ପଡ଼ିଥାଏ। ସାମାନ୍ୟ ବର୍ଷାରେ ପ୍ରତିବର୍ଷ ଅଧିକାଂଶ ପରିବାରଙ୍କ ଘରକୁ ନର୍ଦ୍ଦମା ପାଣି ପଶେ। ଏମ୍‌ଏଲ୍‌ଏ କଲୋନି ବିସ୍ଥାପିତଙ୍କ ଅବସ୍ଥା ତ ଆହୁରି ଦୁର୍ବିଷହ ହୋଇପଡ଼ିଛି। ଥଇଥାନର ପ୍ରାୟ ଏକ ବର୍ଷ ପରେ ମଧ୍ୟ ରାସ୍ତା, ନଳା ଏପରିକି ସେମାନଙ୍କ ଘରକୁ ବିଜୁଳି ମଧ୍ୟ ପହଞ୍ଚି ପାରି ନାହିଁ। ଏହି ବିସ୍ଥାପିତଙ୍କ ପାଇଁ ଅଙ୍ଗନବାଡ଼ି, ଆଶା କର୍ମୀଙ୍କଠାରୁ ଆରମ୍ଭ କରି କର୍ପୋରେଟର୍‌ ପର୍ଯ୍ୟନ୍ତ ସବୁ ପୁରୁଣା ୱାର୍ଡର ହୋଇଥିବାରୁ ସେମାନଙ୍କ ଅଧିକାଂଶ ସମସ୍ୟା ସମାଧାନ ହିଁ ହୋଇପାରେ ନାହିଁ। ସଂପୃକ୍ତ ଆଶାକର୍ମୀ ଏବଂ ଅଙ୍ଗନବାଡି କର୍ମୀଙ୍କ ପାଇଁ ଦୁଇଟି ୱାର୍ଡ କଥା ବୁଝିବା କଷ୍ଟକର ହୁଏ।

ବିସ୍ଥାପିତଙ୍କ ଅନୁସାରେ, ୱାର୍ଡ ନମ୍ବର ୨୨ରେ ବିଏମ୍‌ସି ପକ୍ଷରୁ ସେମାନଙ୍କୁ ଥଇଥାନ କରାଯାଇଥିବାରୁ ସେମାନଙ୍କୁ ପଟ୍ଟା ଦିଆଯବା ସହ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ସାମିଲ ହୋଇପାରିଲେ ସେମାନେ ଉପକୃତ ହୋଇପାରନ୍ତେ। ଏଠାରେ ସ୍ଥାୟୀ ଭାବରେ ରୁହନ୍ତେ। ବିସ୍ଥାପିତଙ୍କ ମଧ୍ୟରୁ କିଛି ଜଣଙ୍କ ନାମ ପୂର୍ବରୁ ରାଜୀବ ଗାନ୍ଧୀ ଆବାସିକ ଗୃହ ଯୋଜନାରେ ମଧ୍ୟ ସାମିଲ ରହିଛି। ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଡେପୁଟି ମେୟର ମଞ୍ଜୁଲତା କହଁର କହିଛନ୍ତି, ତିନୋଟି ୱାର୍ଡର ବିସ୍ଥାପିତ ପରିବାର ତାଙ୍କ ୱାର୍ଡରେ ରହୁଛନ୍ତି। ସେମାନଙ୍କ ପରିଚୟପତ୍ରରେ ଅନ୍ୟ ୱାର୍ଡ ନମ୍ବର ରହିଛି। କିନ୍ତୁ ସେମାନେ ତାଙ୍କ ୱାର୍ଡର ବିଭିନ୍ନ ସୁବିଧା ନେଉଛନ୍ତି। ତାଙ୍କ ପରିଚୟପତ୍ର ରହୁଥିବା ୱାର୍ଡ ନମ୍ବର ସାମିଲ କରାଗଲେ, ସେମାନଙ୍କ ସୁବିଧା ହୁଅନ୍ତା। ଏଥିପାଇଁ ସେ ପଦକ୍ଷେପ ନେବେ ବୋଲି ଡେପୁଟି ମେୟର୍‌ କହିଛନ୍ତି।