‘ଲକ୍ଷ୍ମୀ ପୁରାଣ’ରେ ଗୁଞ୍ଜରିତ ହେଲା ରବୀନ୍ଦ୍ର ମଣ୍ଡପ

ରାଜ୍ୟସ୍ତରୀୟ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ

ଭୁବନେଶ୍ବର: ବାହାରେ ପିଠା, ପଣା ଘାଣ୍ଟ ତରକାରୀ, ଝୋଟି ଚିତା। ଭିତରେ ଶଙ୍ଖଧ୍ବନି, ହୁଳହୁଳି, ହରିବୋଲ ସାଙ୍ଗକୁ ଲକ୍ଷ୍ମୀ ପୁରାଣର ସ୍ବର ଭାସି ଆସୁଥିଲା। ଲକ୍ଷ୍ମୀ ପୁରାଣରେ ଗୁଞ୍ଜରିତ ହଉଥିବା ରବୀନ୍ଦ୍ର ମଣ୍ଡପ ସତେଯେମିତି ଲାଗୁଥିଲା ମାଣବସା ଗୁରୁବାର କେଉଁ ଗାଁରେ ଚାଲିଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ରାଜ୍ୟସ୍ତରୀୟ ଲୋକକଳା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗିତା ଏଭଳି ଅନୁଭୂତି ଆଣିଦେଇଥିଲା।

ଏହି ଅବସରରେ ଭୁବନେଶ୍ବରର ବିଭିନ୍ନ ଅଂଚଳରୁ ଆସିଥିବା ୩୫ଜଣ ମହିଳା ଘରେ ତିଆରି କରି ଆଣିଥିବା ପିଠା ଓ ତରକାରୀ ପ୍ରଦର୍ଶିତ କରିଥିଲେ। ଆରିସା, କାକରା, ମଣ୍ଡା, ଚନ୍ଦ୍ରକାନ୍ତି, ଛୁଞ୍ଚିପତ୍ର, ପୋଡ଼ ପିଠା, କରଞ୍ଜି, ସରୁ ଚକୁଳି, ବୁଢ଼ା ଚକୁଳି, ଦହିଛେନା, ନଡ଼ିଆ ପୂରଦିଆ ମଣ୍ଡାପିଠା, ସୁଜି ବରା, ଚିତୋଉ, କ୍ଷୀର ଗଇଁଠା, କ୍ଷୀର ପୋଡ଼ ପିଠା, ପଶ୍ଚିମଓଡ଼ିଶାରେ ପ୍ରଚଳିତ ମୁଗ ତିଖିଭି ପିଠା, ଦୁଦୁରା ପିଠା ଓ ପୋଟଳି ପିଠାକୁ ମହିଳା ମାନେ ପ୍ରଦର୍ଶିତ କରିଥିଲେ। ଏହାସହ ଆଳୁଦମ୍, ଘାଣ୍ଟ ତରକାରୀ, ମିକ୍ସ ଘାଣ୍ଟ ତରକାରୀ, ନଡ଼ିଆ ଚଟଣି ମାଲପୁଆ, ମନ୍ଦିର ଡାଲମା, ପୁରୀ ବେସର, ରସାବଳୀ ପ୍ରମୁଖ ଖାଦ୍ୟର ପସରା ମେଲିଥିଲା। ଝୋଟି ପ୍ରତିଯୋଗିତାରେ ୧୭୩ଜଣ ମହିଳା ଚିତାରେ ଝୋଟି ପକାଇଥିଲେ। ସେହିପରି ହୁଳହୁଳି ପ୍ରତିଯୋଗିତାରେ ୪୫ଜଣ, ଲକ୍ଷ୍ମୀପୁରାଣରେ ୧୬ଜଣ, ଓଡ଼ିଆଣୀ ବେଶରେ ୨୩ଜଣ ମହିଳା ଭାଗ ନେଇଥିଲେ।

ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ କମିସନର ସୁଲୋଚନା ଦାସ, ମହିଳା ଓ ଶିଶୁ ବିକାଶ ପରାମର୍ଶଦାତା ସୁଲତା ଦେଓ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ରଞ୍ଜନ କୁମାର ଦାସ, ସ୍ବତନ୍ତ୍ର ସଚିବ ରାମକୃଷ୍ଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ କଳାକାର ସଂଘର ଉପସଭାପତି ଅବନୀ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ କଳାକ୍ଷେତ୍ର ସାଂସ୍କୃତିକ କେନ୍ଦ୍ର ଓ ହେଲ୍ପମେଟ୍ ଅନୁଷ୍ଠାନ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର