କ୍ୟାନ୍‌ସରକୁ ନେଇ ଲୁଚାଇବାର କିଛି ନାହିଁ: ଲିଜା ରଏ

‘କସୁର୍‌’ ଫିଲ୍ମ ଜରିଆରେ ଲୋକଙ୍କ ହୃଦୟ ଜୟ କରିଥିବା ବଲିଉଡ୍ ଅଭିନେତ୍ରୀ ଲିଜା ରଏ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ବର ଆସିଥିଲେ। କ୍ୟାନସର୍‌ ସହ ଲଢ଼େଇ, ବଲିଉଡ୍ କ୍ୟାରିୟର୍‌ ଓ ଫେସନ୍ ଟ୍ରେଣ୍ଡ୍‌ ସଂପର୍କରେ ତାଙ୍କ ସହିତ ଏକ ଆଲୋଚନା…
କ୍ୟାନସର୍‌ ଉପରେ ଆପଣ ବିଜୟ ହାସଲ କରିଛନ୍ତି। ଏହି ରୋଗ ବିଷୟରେ କହିବାକୁ କେଉଁଠାରୁ ସାହସ ପାଇଥିଲେ?
ମୁଁ ଯେତେବେଳେ ଜାଣିଲି ମୋତେ କ୍ୟାସନର୍‌ ହୋଇଛି, ମୋ ପାଖରେ ଦୁଇଟି ବିକଳ୍ପ ଥିଲା। ଗୋଟିଏ ହେଉଛି କଥାଟିକୁ ଲୁଚାଇବା ଓ ଅନ୍ୟଟି ହେଉଛି ସବୁ କଥା କହିଦେବା। ମୁଁ ଦ୍ବିତୀୟ ବିକଳ୍ପଟି ଚୟନ କରିଥିଲି। କ୍ୟାସନର୍‌କୁ ନେଇ ଲୁଚାଇବାରେ କିଛି ନାହିଁ। ମୁଁ ସବୁ କଥା ସାର୍ବଜନୀନ କରିବା ପରେ ମୋତେ ବିଭିନ୍ନ ମହଲରୁ ସାନ୍ତ୍ବନା ମିଳିଥିଲା। ଲୋକମାନେ ମୋର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ। କ୍ୟାନସର୍‌କୁ ନେଇ ବିତର୍କ ଆରମ୍ଭ ହୋଇଥିଲା ଯାହା ଏହି ରୋଗକୁ ନେଇ ଦେଶବ୍ୟାପୀ ସଚେତନତା ସୃଷ୍ଟି କରିଥିଲା। କ୍ୟାନସର୍‌ର ଅର୍ଥ ମୃତ୍ୟୁ ନୁହେଁ ବୋଲି ମୁଁ ଲୋକଙ୍କୁ ଜଣାଇବାକୁ ଚାହୁଁଥିଲି।
କ୍ୟାନସର୍‌ ସହିତ ଆପଣଙ୍କ ଲଢ଼େଇ ବେଶ ପ୍ରେରଣାଦାୟୀ। ସେ କାହାଣୀ ଲୋକଙ୍କୁ ଜଣାଇବେ ନା ନାହିଁ?
ମୁଁ ମୋର ଆତ୍ମଜୀବନୀ ଲେଖୁଛି। ତାହାର ନାମ ହେଉଛି ‘କ୍ଲୋଜ୍ ଦି ବୋନ୍’। ଆସନ୍ତା ବର୍ଷ ତାହା ପ୍ରକାଶ ପାଇବ। ଏଥିରେ ଆପଣମାନେ ମୋର ଜୀବନ କାହାଣୀକୁ ଜାଣିପାରିବେ। ମୁଁ ସିନେମାରେ କାମ କରିଥିବାରୁ ଆପଣମାନେ ମୋତେ ଜାଣନ୍ତି। କିନ୍ତୁ ମୁଁ ଅନ୍ୟ କେଉଁ ସବୁ କାମ କରିଛି, ସେସବୁ ବିଷୟରେ ଆପଣମାନେ ଏହି ପୁସ୍ତକରୁ ଜାଣିପାରିବେ। କ୍ୟାନସର୍‌ ସହିତ ମୋର ଲଢ଼େଇର ସବୁ କଥା ଏଥିରେ ରହିବ।
ଓଡ଼ିଶାକୁ ଏହା ଆପଣଙ୍କ ପ୍ରଥମ ଗସ୍ତ କି?
ଓଡ଼ିଶା ସହିତ ମୋର ସମ୍ପର୍କ ବହୁ ପୁରୁଣା। ‌ମୁଁ ଛୋଟ ପିଲା ଥିବା ବେଳେ ଅନେକଥର ପୁରୀ ଆସିଛି। କୋଲକାତାରୁ ଆମେ ପୁରୀ ଆସୁଥିଲୁ। ସେଠାରେ ବହୁତ ମଜା କରୁଥିଲୁ।
ସିନେମାକୁ ନେଇ ଆପଣଙ୍କ କ’ଣ ଯୋଜନା ରହିଛି?
‘୯୯ ସଙ୍ଗସ୍‌’ ନାମକ ଏ ଆର୍‌ ର‌େହମାନଙ୍କ ଏକ ଫିଲ୍ମରେ କାମ କରୁଛି। ଆସନ୍ତା ବର୍ଷ ତାହା ମୁକ୍ତିଲାଭ କରିବ। ଏହା ବ୍ୟତୀତ ଆମାଜନ୍‌ର ଏକ ସିରିଜ୍‌ରେ ମଧ୍ୟ କାମ କରୁଛି। ଆସନ୍ତା ବର୍ଷ ପ୍ରାରମ୍ଭରେ ତାହାକୁ ଦର୍ଶକମାନେ ଦେଖିବାକୁ ପାଇବେ।
ଲୋକଙ୍କ ପାଇଁ କିଛି ଫେସନ୍ ଟିପ୍ସ ଦେବେ କି?
ଆପଣଙ୍କ ଶରୀରର ରଙ୍ଗ ଓ ବ୍ୟକ୍ତିତ୍ବକୁ ସୁହାଇବା ଭଳି ରଙ୍ଗ ପ୍ରଥମେ ଚୟନ କରନ୍ତୁ। ଅଧିକ ପରିମାଣର ଆକ୍‌ସେସୋରିଜ୍‌ ପିନ୍ଧନ୍ତୁ ନାହିଁ। ଯେଉଁ ସବୁ ଜିନିଷ ଆପଣଙ୍କ ବ୍ୟକ୍ତିତ୍ବରେ ଉନ୍ନତି ଆଣିବ କେବଳ ସେତିକି ଆକ୍‌ସେସୋରିଜ୍ ବ୍ୟବହାର କରନ୍ତୁ।

ସମ୍ବନ୍ଧିତ ଖବର