ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ଏଲ୍‌କେଜି ଛାତ୍ର ସ୍ବୟଂ

ମୁହଁରେ ଇଂରାଜୀ ଓ ହିନ୍ଦୀରେ ୨୫ ତାଲିକା

ବାଲିପାଟଣା: ସ୍ବୟଂ ସାହୁ। ବୟସ ମାତ୍ର ୩ ବର୍ଷ। ବନମାଳୀପୁର ଆଦର୍ଶ ଶିଶୁ ନିକେତନର ଏଲ୍‌କେଜିର ଛାତ୍ର। ଭଲରେ ପାଟି ଫିଟିନି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ବହୁ ଶବ୍ଦ ଇଂରାଜୀ ଓ ହିନ୍ଦୀରେ କହିପାରୁଛନ୍ତି। ପଶୁପକ୍ଷୀ, ପନିପରିବା ଭଳି ୨୫ପ୍ରକାର ତାଲିକାରେ ଥିବା ଶହ ଶହ ନାଁ ଉଭୟ ଇଂରାଜୀ ଓ ହିନ୍ଦୀରେ ତାଙ୍କ ମୁହଁରେ ରହିଛି। ପଚାରିବା ମାତ୍ରେ ଅନର୍ଗଳ କହିପାରୁଛନ୍ତି। ଏଭଳି ଅନନ୍ୟ ପ୍ରତିଭା ପାଇଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ମିଳିଛି।

ବାଲିପାଟଣା ବ୍ଲକ୍‌ ବନମାଳୀପୁର ଦିୱାନ୍‌ପାଟଣା ମଠସାହିର କୃଷ୍ଣଚନ୍ଦ୍ର ସାହୁ ଓ ଅନ୍ନପୂର୍ଣ୍ଣାଙ୍କ ୩ ବର୍ଷର ପୁଅ ସ୍ବୟଂ ଏହି ସଫଳତା ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ବାଲିପାଟଣାର ଗର୍ବ ଓ ଗୌରବ ବୋଲି କହିଛନ୍ତି। ସେ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ବିଭିନ୍ନ ଜାତୀୟ ସଂକେତର ନାଁ, କବିତା, ମାସର ନାଁ, ପନିପରିବା ନାଁ, ପଶୁପକ୍ଷୀଙ୍କ ନାଁ, ଏମିତି ପାଖାପାଖି ୨୫ ପ୍ରକାର ତାଲିକାରେ ଥିବା ନାମ ମନେ ରଖିଛନ୍ତି ଓ ଭଲ ଭାବେ କହିପାରୁଛନ୍ତି। ଏହାସହ ସେ ସୁନ୍ଦର ଚିତ୍ରକଳା ବି କରିପାରନ୍ତି। ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇବାକୁ ମନୋନୀତ ହେବା ପରେ ତାଙ୍କ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର