ଲୋନ୍ ଆପ୍‌ରେ ଠକେଇ ମାମଲା: ନେପାଳ ପୁଲିସକୁ ଚକ୍‌ମା ଦେଲା ଚାଇନା ଠକ

ଭୁବନେଶ୍ବର: ବେଆଇନ୍ ଲୋନ୍ ଆପ୍‌ ରୢାକେଟ୍‌ର ମାଷ୍ଟରମାଇଣ୍ଡ୍ ଚାଇନା ଠକ ଲିୟୁ ୟି ନେପାଳ ପୁଲିସକୁ ଚକ୍‌ମା ଦେଇ ଖସିଯାଇଛି। ଏକ କଲ୍‌ ସେଣ୍ଟରରେ ନେପାଳ ପୁଲିସ ଚଢ଼ଉ କଲା ବେଳେ ହିଁ ଛଦ୍ମବେଶରେ ଥିବା ଲିୟୁ ଖସିଯାଇଛି। ଭାରତରୁ ପଳାଇବା ପରେ ଲିୟୁ ଗତ କିଛି ଦିନ ହେଲା ନେପାଳରେ ଡେରା ପକାଇଥିଲା ଓ ସେଠାରୁ ତା’ ନେଟ୍‌ୱାର୍କ କାମ କରୁଥିଲା। ଗତ କିଛି ଦିନ ପୂର୍ବେ ଓଡ଼ିଶା ଓ ମୁମ୍ବାଇ ପୁଲିସ ଲିୟୁ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଥିବା ବେଳେ ସେ ନେପାଳ ପଳାଇଥିବା ଜଣାପଡ଼ିଛି। ପୁଲିସ ଆଖିରୁ ଖସି ଯାଇଥିଲେ ବି ଚାଇନା ଠକ ଲିୟୁ ଏବେ ବି ନେପାଳରେ ଆତ୍ମଗୋପନ କରିଥିବା ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ ଯେ ଲିୟୁ ୟି ଭାରତ ଆସିବା ପୂର୍ବରୁ ନେପାଳରେ ରହି ଏହି ଠକେଇ କରୁଥିଲା। ପରେ କର୍ଣ୍ଣାଟକ ଆସି ବେଙ୍ଗାଲୁରୁରେ ରହି ତା’ ନେଟ୍‌ୱାର୍କ ବଢ଼ାଇଥିଲା। ମୁମ୍ବାଇ, ଓଡ଼ିଶା ଭଳି ବିଭିନ୍ନ ସ୍ଥାନରେ ତା’ର ନେଟ୍‌ୱାର୍କ କାମ କରୁଥିଲା। ଏମିତିକି ତା’ ସହିତ ଦିଲ୍ଲୀର କିଛି ବ୍ୟକ୍ତି ହାତ ମିଶାଇ ଲୋନ୍‌ ଆପ୍‌ ଚଳାଇଥିଲେ। ବେଆଇନ ଆପ୍‌ ଜରିଆରେ ଲୋକଙ୍କୁ ଅଳ୍ପ କିଛି ଟଙ୍କା ଋଣ ଦେଇ ପରେ ବ୍ଲାକ୍‌ମେଲ୍ କରି ଲୁଟୁଥିଲା। ତା’ ବିରୋଧରେ ମୁମ୍ବାଇର ସାଇବର ସେଲ୍ ଓ ଓଡ଼ିଶାର କ୍ରାଇମ୍‌ବ୍ରାଞ୍ଚ୍ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଛି। ଆଖପାଖ ପଡ଼ୋଶୀ ରାଷ୍ଟ୍ର ସମେତ ପ୍ରାୟ ୧୧ଟି ଦେଶକୁ ଇଓଡବ୍ଲୁ ପକ୍ଷରୁ ବ୍ୟୁରୋ ଅଫ୍ ଇମିଗ୍ରେସନ୍ (ବିଓଆଇ) ସହାୟତାରେ ବିଭିନ୍ନ ଲ’ ଏଜେନ୍ସିକୁ ଧୂର୍ତ୍ତ ଲିୟୁର ଫଟୋ ମଧ୍ୟ ପଠାଯାଇଛି। ଏହା ଭିତରେ ଇଓଡବ୍ଲୁ ଠକ ଲିୟୁ ରୢାକେଟ୍‌ର ୬ ଜଣଙ୍କୁ ଗିରଫ କରିଛି ଓ ପ୍ରାୟ ୯ କୋଟି ଟଙ୍କା ଜବତ କରିଛି।

ଏହି ୬ ଜଣ ଗିରଫ ହେବା ପରେ ଲିୟୁର ନେଟ୍‌ୱାର୍କ ଭାରତରେ ଦୁର୍ବଳ ହୋଇଛି। ତେଣୁ ସେ ଭାରତରୁ ଚମ୍ପଟ ମାରିବା ପରେ ନେପାଳରେ ଡେରା ପକାଇଥିଲା। ନେପାଳର ରୁପନଦେହି ଜିଲ୍ଲାରେ ସେ ଏକ ବେଆଇନ୍ କଲ୍ ସେଣ୍ଟର୍‌ ଚଳାଇଥିଲା। ନେପାଳର ବହୁ ଲୋକ ମଧ୍ୟ ଲୋନ୍‌ ଆପ୍‌ ଠକେଇର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇବା ଅଭିଯୋଗ ହୋଇଥିଲା। ତେଣୁ ତାକୁ ପିଛା କରିଥିଲା ନେପାଳ ପୁଲିସ। ସମର୍ଥିତ ସୂତ୍ରରୁ ଖବର ପାଇ ସ୍ଥାନୀୟ ପୁଲିସ ସେଠାରେ ଚଢ଼ଉ କରିଥିଲା। ମାତ୍ର ଛଦ୍ମବେଶରେ ଥିବା ଲିୟୁକୁ ଚିହ୍ନି ପାରିନଥିଲା ନେପାଳ ପୁଲିସ ଟିମ୍‌। ଫଳରେ ଧୂର୍ତ୍ତ ଲିୟୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଲିୟୁ ଖସିଯିବା ଖବର ପ୍ରଚାର ହେବା ପରେ ସେ ଭାରତକୁ ପୁଣି ଚାଲି ଆସିଥିବା ସନ୍ଦେହ କରାଯାଉଛି। ତେବେ ଇଓଡବ୍ଲୁ ପାଖରେ ଏନେଇ ସୂଚନା ନାହିଁ ବୋଲି ଏସ୍‌ପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି।

ଧୂର୍ତ୍ତ ଲିୟୁ ଖସି ଯାଇଥିଲେ ବି ନେପାଳ ପୁଲିସର ସ୍ପେସାଲ୍ ବ୍ରାଞ୍ଚ୍ ଓ ସାଇବର ସେଲ୍ ଉକ୍ତ କଲ୍ ସେଣ୍ଟର୍‌ରୁ ଲାପଟପ୍, କମ୍ପ୍ୟୁଟର ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେଥିରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ପୁଲିସ ଟିମ୍‌। ଏହା ପୂର୍ବରୁ କାଠମାଣ୍ଡୁ ଓ ବୁଟ୍‌ଵାଲ୍ ସହରରେ ମଧ୍ୟ ନେପାଳ ପୁଲିସ ଚଢ଼ଉ କରି ୨ଟି ବେଆଇନ କଲ୍ ସେଣ୍ଟର ଠାବ କରିଥିଲା। ସେତେବେଳେ ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ରୢାକେଟ୍‌ରେ ନେପାଳରୁ ପ୍ରାୟ ୨୦୦ରୁ ଅଧିକ ଲୋକ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୨୦ ଜଣଙ୍କୁ ନେପାଳ ପୁଲିସ ୨୦୧୯ ଡିସେମ୍ବରରେ ଗିରଫ କରିଥିଲା। ଏହାର କିଛି ମାସ ପରେ ଆହୁରି ୭୦ ଜଣଙ୍କୁ ଗିରଫ କରାଯାଇଥିଲା। ସେଥିରେ ୫ଜଣ ଚାଇନା ଓ ୨ଜଣ ଭାରତୀୟ ଠକ ଥିଲେ।

ସମ୍ବନ୍ଧିତ ଖବର