ଭୁବନେଶ୍ବର: ଜାଲ୍ ରେକର୍ଡପତ୍ର ବଳରେ ବ୍ୟାଙ୍କରୁ ଋଣ କରିଥିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଆଜି ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ପୁରୀ ଘାଟ ଥାନା ଅଞ୍ଚଳର ସୁଧୀରକାନ୍ତ ସାମଲ(୬୦), ରୂପଶ୍ରୀ ଦାସ(୪୫) ଓ ନୂଆପଲ୍ଲୀ ଅଞ୍ଚଳର ଅଜୟ କୁମାର ଚୌଧୁରୀ(୪୪)। ଅଭିଯୁକ୍ତମାନେ ଲକ୍ଷ୍ମୀଧର ଚୌଧୁରୀଙ୍କ ଜମିବାଡ଼ିର ଜାଲ୍ ରେକର୍ଡପତ୍ର ବଳରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ଋଣ କରି ନେଇଥିଲେ।
ପୁଲିସ ସୂଚନାନୁସାରେ ଅଭିଯୁକ୍ତ ସୁଧୀରକାନ୍ତ ସାମଲ ଓ ରୂପଶ୍ରୀ ଦାସ କମେଟ୍ ଇଣ୍ଟରନ୍ୟାସନାଲ୍ ଟ୍ରେଡର ନାମକ ସଂସ୍ଥାରେ କାମ କରୁଥିଲେ। ଜମିବାଡ଼ି ବନ୍ଧକ ରଖାଇ ବ୍ୟାଙ୍କରୁ ଋଣ କରାଉଥିଲେ। କେତେକ କ୍ଷେତ୍ରରେ ଗ୍ୟାରେଣ୍ଟର ଯୋଗାଡ଼ କରି କୌଣସି ବ୍ୟବସାୟୀଙ୍କ ପାଇଁ ଋଣ କରାଇଦେଉଥିଲେ। ଏହି ମଉକାରେ ସେମାନେ ଅଜୟ ଚୌଧୁରୀଙ୍କ ବାପା ଲକ୍ଷ୍ମୀଧରଙ୍କ ଜମିବାଡ଼ିର ନକଲି ରେକର୍ଡପତ୍ର ପ୍ରସ୍ତୁତ କରିବା ସହ ଜାଲ୍ ଦସ୍ତଖତ କରାଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ନେଇଥିଲେ। ପରେ ଋଣ ସୁଝିବା ନାଁ ଧରିନଥିଲେ। ତେଣୁ ବ୍ୟାଙ୍କ ପକ୍ଷରୁ ଲକ୍ଷ୍ମୀଧରଙ୍କ ପାଖକୁ ନୋଟିସ ଯାଇଥିଲା। ଏନେଇ ଲକ୍ଷ୍ମୀଧର ବ୍ୟାଙ୍କ ସହ ଯୋଗାଯୋଗ କରି ତାଙ୍କ ଘରର ନକଲି କାଗଜପତ୍ର ବ୍ୟାଙ୍କରେ ବନ୍ଧା ପଡ଼ିଛି ବୋଲି ଜାଣିବାକୁ ପାଇଥିଲେ। ତେଣୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/arrest.jpg)