ସ୍ଥାନୀୟ ଅଂଚଳର ଲୋକଙ୍କ ସହଯୋଗରେ ଲୁଟେରାଙ୍କୁ ଧରିବ କମିସନରେଟ୍ ପୁଲିସ
ଭୁବନେଶ୍ୱର: ପୁଲିସ ତୁଳନାରେ ଚୋର, ଡକାୟତ, ଲୁଟେରା ମାନେ ଅଧିକ ଚତୁର ହୋଇପଡ଼ିଛନ୍ତି, ଯେଉଁଥି ପାଇଁ କି ରାଜଧାନୀ ଭୁବନେଶ୍ୱର ଦିନିକୁ ଦିନ ଅଧିକ ଅସୁରକ୍ଷିତ ହୋଇପଡୁଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୁଟ୍ ହେଉଛି। ଏପରିକି ଟଙ୍କା, ଧନ-ସଂପତ୍ତି ପାଇଁ ଲୁଟେରା ମାନେ ହଣା-କଟାକୁ କରିବାକୁ ମଧ୍ୟ ପଛାଉ ନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ୪ଟି ଲୁଟ ଘଟଣା ଘଟିଛି। ମଂଚେଶ୍ୱର ଅଞ୍ଚଳରେ ଏହି ଘଟଣା ଗୁଡ଼ିକ ପରେ କମିସନରେଟ ପୁଲିସର ନିଦ ହଜିଯାଇଛି। ଲୁଟେରା ମାନଙ୍କୁ ଧରିବା ପାଇଁ ପୁଲିସ ମଞ୍ଚେଶ୍ୱର ଅଂଚଳର ଯୁବକ ମାନଙ୍କୁ ନେଇ ବୈଠକ କରିଛି। ସ୍ଥାନୀୟ ଯୁବକ ମାନେ ଲୁଟେରାଙ୍କର ପତ୍ତା ଲଗାଇବାକୁ ସାହାଯ୍ୟ କରିବେ। ସ୍ଥାନୀୟ ଯୁବକ ମାନେ ପୁଲିସ ସହ ମିଶି ବିଭିନ୍ନ ସ୍ଥାନରେ ଜଗିବେ। ପୁଲିସ କମିସନର ସତ୍ୟଜିତ ମହାନ୍ତି ଲୋକଙ୍କ ଠାରୁ ସିଧାସଳଖ ସୂଚନା ପାଇବା ପାଇଁ ଫୋନ୍ ନମ୍ବର (୮୨୮୦୩୩୮୩୦୦) ମଧ୍ୟ ଜାରି କରିଛନ୍ତି।
ପୁରୀ ବାଇପାସର ନିଛାଟିଆ ରାସ୍ତା ଏବେ ଲୁଟେରାଙ୍କ ଭୂ-ସ୍ୱର୍ଗ ପାଲଟିଛି। ରାସ୍ତାରେ ଥିବା ଏକ ପୁରୁଣା ଗାଡ଼ି ସୋ’ ରୁମ୍ (ମହିମା ମୋଟର୍ସ)ର ମାଲିକ ତଥା ବିଲଡର୍ସଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ମଙ୍ଗଳବାର ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଗୁଳିମାଡ଼ର ଶିକାର ହୋଇଥିବା ବିଲଡର୍ସ ହେଲେ ତାପସ ରଞ୍ଜନ ପରିଡ଼ା। ତାଙ୍କ ଡାହାଣ କାନ୍ଧରେ ଗୋଟିଏ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେହିପରି ଅନ୍ୟ ଏକ ଘଟଣାରେ ମଙ୍ଗଳବାର ରାତି ଲୁଟେରା ମାନେ ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ୫୦ ହଜାର ଟଙ୍କା ଲୁଟ କରିଥିଲେ। ଏହି ଘଟଣା ରସୁଲଗଡ଼ ଗାଁ ଛକରେ ଘଟିଥିଲା।