୮ ବର୍ଷର ପାଠଶାଳାକୁ ଭାଙ୍ଗିଦେଲେ; ଥାନା ଘେରିଲେ ସ୍ଥାନୀୟ ବାସିନ୍ଦା, ୪ ଅଟକ

ଭୁବନେଶ୍ୱର : ୮ ବର୍ଷର ପାଠ ଶାଳାକୁ ଭାଙ୍ଗି ମାଟିରେ ମିଶାଇଦେଲେ। ଏଭଳି ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଧିରିକୁଟି ବସ୍ତିରେ। ତେବେ ପାଠଶାଳା ଭଙ୍ଗାରେ ସାମିଲ ଥିବା ଲୋକଙ୍କୁ ଗିରଫ ପାଇଁ ଅନ୍ୟ ଗୋଷ୍ଠୀର ସଦସ୍ୟ ଦାବି କରିଥିଲେ। ହେଲେ ସେମାନଙ୍କୁ ଗିରଫ କରିବାରେ ବିଳମ୍ବ ହେବାରୁ ବୁଧବାର ସ୍ଥାନୀୟ ବାସିନ୍ଦା ମଞ୍ଚେଶ୍ବର ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସୂଚନା ମୁତାବକ, ବସ୍ତି ପିଲାଙ୍କ ଶିକ୍ଷାର ବିକାଶ ପାଇଁ ଗଢ଼ା ଯାଇଥିବା ଗତ ୮ବର୍ଷ ତଳେ ଏକ ଏନ୍‌ଜିଓ ସଂସ୍ଥା ସେଠାରେ ପାଠଶାଳା ନିର୍ମାଣ କରିଥିଲେ। ଆଉ ଆଠ ବର୍ଷ ଧରି ଶତାଧିକ ପିଲାଙ୍କୁ ମାଗଣାରେ ଶିକ୍ଷା ବି ଦିଆଗଲା। ହେଲେ ଏହା ଭିତରେ ଅନ୍ୟ ଏକ ଗୋଷ୍ଠୀକୁ ମଧ୍ୟ ସମାନ କାମ ମିଳିଥିଲା। ସେମାନେ ମଧ୍ୟ ବସ୍ତିପିଲାଙ୍କୁ ମାଗଣାରେ ଶିକ୍ଷାଦେବା ପାଇଁ ଆଉ ଏକ ପାଠଶାଳା ଖୋଲିବାକୁ କହିଥିଲେ। ସେବେଠୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢ଼ିଥିଲା। ରବିବାର ଦିନ ପାଠଶାଳା ବନ୍ଦ ଥିବା ବେଳେ ବିରୋଧ କରୁଥିବା ଗୋଷ୍ଠୀ ପାଠଶାଳାକୁ ଭାଙ୍ଗି ଦେଇଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ପରେ ସ୍ଥିତି ଆୟତ୍ତ ହୋଇଥିଲେ ବି ଉତ୍ତେଜନା ଲାଗି ରହିଥିଲା। ଘଟଣାର ୪ଦିନ ପରେ ମଧ୍ୟ ପୁଲିସ କାହାକୁ ଗିରଫ ନ କରିବାରୁ ପ୍ରତିବାଦରେ ଆଜି ସ୍ଥାନୀୟ ଲୋକ ଥାନା ଘେରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ୪ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର