ସ୍ଥିତି ସୁଧାରିବାକୁ ‘ଦେଶୀୟ ପର୍ଯ୍ୟଟନ’ ହିଁ ବିକଳ୍ପ

ନୂଆ ଥିମ୍‌ ଚିନ୍ତା କର, ପର୍ଯ୍ୟଟନ କ୍ଷେତ୍ରକୁ ବିଜ୍ଞାପିତ କର

ଭୁବନେଶ୍ବର: ମହାମାରୀ କରୋନା କେବଳ ଜନଜୀବନକୁ ଜଡ଼ କରିଦେଇନି, ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ଏକଦମ ରୁଗ୍‌ଣ କରିଦେଇଛି। ରାଜ୍ୟ ଅର୍ଥନୀତିରେ ଏକ ବଡ଼ ଅଂଶ ଭାଗୀଦାରି ରଖୁଥିବା ପର୍ଯ୍ୟଟନ ଅଣ୍ଟାରେ ଶକ୍ତ ପାହାର ବସିଛି। ବିଭିନ୍ନ ଦେଶ ନିଜର ପର୍ଯ୍ୟଟନ ସ୍ଥିତିକୁ ସଜାଡ଼ିବାକୁ ଅଙ୍କକଷା ଆରମ୍ଭ କରିଦେଇଥିବା ବେଳେ ଓଡ଼ିଶାରେ ‘ଦେଶୀୟ ପର୍ଯ୍ୟଟନ’କୁ ଲକ୍ଷ୍ୟ ରଖି ଆଗକୁ ବଢ଼ିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆଗରୁ କେବେ ଏଭଳି ଦୀର୍ଘ ସମୟ ତାଲାବନ୍ଦ ହୋଇନଥିବାରୁ ଏକଥା ନିଶ୍ଚିତ ଯେକୌଣସି ପୂର୍ବ ଅଭିଜ୍ଞତାକୁ କାମରେ ଲଗା ଯାଇପାରିବ ନାହିଁ। ମାତ୍ର ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ପାଇଁ ପ୍ରଥମେ ନିଜ ଘରକୁ ସଜାଡ଼ିବା ସହ ତାକୁ ସୁନ୍ଦର ଓ ମଜଭୁତ କରିବା ଆବଶ୍ୟକ ହୋଇପଡ଼ିଛି। ରାଜ୍ୟର ଜନସାଧାରଣ ବି ବାହାର ପର୍ଯ୍ୟଟନ କ୍ଷେତ୍ର ଅପେକ୍ଷା ନିଜ ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ର ବୁଲି ପ୍ରଥମେ ଘରର ଅଣ୍ଟାକୁ ସଳଖିବାର ସମୟ ଉପନୀତ ହୋଇଛି।

ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ରାଜୀବ ଶେଖର ସାହୁ କହିଛନ୍ତି, ସାଧାରଣତଃ ବିଦେଶ ପର୍ଯ୍ୟଟନରେ ଲୋକେ ୟୁରୋପ ଯିବାକୁ ଅଗ୍ରାଧିକାର ଦିଅନ୍ତି। ମାତ୍ର ଏବେ ୟୁରୋପରେ କରୋନାର ପ୍ରଭାବ ବେଶି ଥିବାରୁ ଅନେକ ନିକଟ ଭବିଷ୍ୟତରେ ସେଠାକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରି ନପାରନ୍ତି। ଏହାକୁ ଏକ ସୁଯୋଗ ଭାବେ ନେବା ଆବଶ୍ୟକ। ‌ଆମ ରାଜ୍ୟରେ ଏବେ ବି ଏମିତି ଐତିହ୍ୟସଂପନ୍ନ ସ୍ମାରକୀ, ଐତିହାସିକ ସ୍ଥାନ, ବନ୍ୟଜୀବ ଓ ପରିବେଶ ପର୍ଯ୍ୟଟନ ରହିଛି, ଯାହା ଅନେକ ଦେଖିନାହାନ୍ତି। ତେଣୁ ଯେଉଁମାନେ ନିଜ ‌ରାଜ୍ୟ‌ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଜାଗା ବୁଲିନାହାନ୍ତି, ଅନ୍ତତଃ ସେମାନଙ୍କୁ ଦେଶୀୟ ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷିତ କରିବା ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ସରକାର ପ୍ରଧାନ୍ୟ ଦେବା ଉଚିତ। କେରଳ ଭଳି ଆମ ରାଜ୍ୟରେ ବହୁତ ସୁନ୍ଦର ଜଙ୍ଗଲ ତଥା ପରିବେଶ ପର୍ଯ୍ୟଟନ ରହିଛି। ରାଜସ୍ଥାନ ଭଳି ବହୁ ଐତିହ୍ୟସମ୍ପନ୍ନ ଜାଗା ମଧ୍ୟ ରହିଛି। ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏସବୁକୁ ବେଶି ପସନ୍ଦ କରନ୍ତି। ତେଣୁ ସରକାର ପ୍ରଥମ ପଦ‌କ୍ଷେପସ୍ବରୂପ ଦେଶୀୟ ପର୍ଯ୍ୟଟନ କ୍ଷେତ୍ରରେ ଆହୁରି ଉନ୍ନତ ବ୍ୟବସ୍ଥା ଉପଲବ୍ଧ କରାଇ ସେସବୁକୁ ବିଜ୍ଞପିତ କରିବାକୁ ପଡ଼ିବ।

ଏହାବ୍ୟତୀତ ବହୁ ଏସୀୟ ଦେଶ ଓ ଆମ ଦେଶର ସଂସ୍କୃତି ଓ ଐତିହ୍ୟ ମଧ୍ୟରେ କିଛିଟା ସାମଞ୍ଜସ୍ୟ ରହିଛି। ଯଦି ଏସୀୟ ଦେଶମାନଙ୍କରେ ରାଜ୍ୟ ପର୍ଯ୍ୟଟନକୁ ମାର୍କେଟିଂ ତଥା ବିଜ୍ଞାପିତ କରାଯିବ, ତେବେ ସେମାନେ ଆକୃଷ୍ଟ ହେବା ସ୍ବାଭାବିକ। ଦ୍ବିତୀୟ କଥା ହେଉଛି, ପର୍ଯ୍ୟଟନ କ୍ଷେତ୍ର ପାଇଁ ଦକ୍ଷ ଲୋକଙ୍କୁ ପ୍ରସ୍ତୁତ କରିବା। ତୃତୀୟରେ ସୁଦୂରପ୍ରସାରୀ ଯୋଜନା ପାଇଁ ପର୍ଯ୍ୟଟନ ବଜେଟ୍‌ ବଢ଼ାଇବାକୁ ପଡ଼ିବ। ୟୁରୋପ ଯିବାକୁ ପସନ୍ଦ କରୁଥିବା ଲୋକଙ୍କ ଧ୍ୟାନ ଓଡ଼ିଶା ମଧ୍ୟକୁ ଆକର୍ଷିତ କରିବା ପାଇଁ ଅଟକି ରହିଥିବା ‘ଶାମୁକା ପ୍ରକଳ୍ପ’ ଓ ଯୋଜନାରେ ଲଟକିଥିବା ଅନ୍ୟ ପ୍ରକଳ୍ପଗୁଡ଼ିକୁ କିଛି ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଏହା କେବଳ ଆର୍ଥିକ ସ୍ଥିତି ମଜଭୁତ କରିବ ନାହିଁ, ୫ରୁ ୬ ବର୍ଷ ମଧ୍ୟରେ ୧୦ ଲକ୍ଷ ନିଯୁକ୍ତି ସମ୍ଭାବନା ସୃ‌ଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି।

ଏନେଇ ‘ଟ୍ରାଭେଲ୍‌ ଆଟ ବ୍ଲୁ’ର ସ୍ବତ୍ତ୍ବାଧିକାରୀ ଚଣ୍ଡୀ ପଟ୍ଟନାୟକ କହିଛନ୍ତି, ଋତୁଭିତ୍ତିରେ ଶୀତଦିନିଆ ପର୍ଯ୍ୟଟନ ଉପରେ ନଜର ରହିବ। ପର୍ଯ୍ୟଟକମାନେ ଶୀତଦିନରେ ବିଶେଷକରି ଥାଇଲାଣ୍ଡ, ଇଣ୍ଡୋନୋସିଆ, ମାଲେସିଆ, ସିଙ୍ଗାପୁର ଭଳି ଜାଗାକୁ ଯିବାକୁ ପସନ୍ଦ କରିବେ। ଆମେରିକା ଓ ୟୁରୋପୀୟ ଦେଶ ଭଳି ଏସୀୟ ଦେଶଗୁଡ଼ିକ କରୋନା ଦ୍ବାରା ଏତେ ପରିମାଣରେ ପ୍ରଭାବିତ ହୋଇନଥିବାରୁ ଏପରି ଆଶା କରାଯାଉଛି। ତେବେ ଭାରତ ପାଇଁ ମଧ୍ୟ ସୁଯୋଗ କମ୍‌ ରହିବ ନାହିଁ। କିନ୍ତୁ ଏଥିପାଇଁ ଆଉ ଚିରାଚରିତ ୪ରାତି ୭ଦିନିଆ ଟୁର୍‌ ପ୍ୟାକେଜ୍‌ କଲେ ହେବ ନାହିଁ। ପରିବେଶ ଓ ୱାଇଲ୍‌ଡ ଲାଇଫ୍‌ ପର୍ଯ୍ୟଟନ, ଥିମ୍‌ ବେସ୍‌ଡ ପର୍ଯ୍ୟଟନ ସମେତ କିଛି ନୂଆ କଥା ଯୋଡ଼ିବାକୁ ପଡ଼ିବ। ଏହା ହିଁ ଦେଶୀୟ ପର୍ଯ୍ୟଟନ କ୍ଷେତ୍ର ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିବ। ସଂପ୍ରତି ଓଡ଼ିଶା ଦେଶୀୟ ପର୍ଯ୍ୟଟନ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଛି। ମାତ୍ର କେବଳ ସ୍ବର୍ଣ୍ଣ ତ୍ରିଭୁଜ (ପୁରୀ, କୋଣାର୍କ ଓ ଭୁବନେଶ୍ବର) ଓ ଏହା ଆଖପାଖର ପର୍ଯ୍ୟଟନସ୍ଥଳ ପର୍ଯ୍ୟାପ୍ତ ନୁହେଁ। ଯଦିଓ ଓଡ଼ିଶାକୁ ପର୍ଯ୍ୟଟକଙ୍କ ପରିମାଣ ବଢ଼ିଛି, କିନ୍ତୁ ସେମାନଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗ ଭଳି ପଡ଼ୋଶୀ ରାଜ୍ୟର ଓ ଅଧିକ ତୀର୍ଥଯାତ୍ରୀ। ତେଣୁ ସ୍ଥିତି ସୁଧୁରିବା ପୂର୍ବରୁ ସରକାର କିଛି ନୂଆ ଖସଡ଼ା ପ୍ରସ୍ତୁତ କରନ୍ତୁ। ନିକଟରେ କୋଣାର୍କରେ ଇକୋ-ରିଟ୍ରିଟ୍‌ ଶିବିର ଏକ ଉଲ୍ଲେଖନୀୟ ପଦକ୍ଷେପ ଥିଲା। ତେଣୁ ଇକୋ-ରିଟ୍ରିଟ୍‌ ଭଳି କିଛି ଥିମ୍‌ ବେସ୍‌ଡ ପର୍ଯ୍ୟଟନ ବାବଦରେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ଏଣ୍ଟରପ୍ରାଇଜିଂ ନଟ୍ ଅଫ୍ ଟ୍ରାଭେଲ୍‌/ଟୁରିଜିମ ଆସୋସିଏସଟ୍‌ସ (ଇକେଟିଟିଏ) ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଚଣ୍ଡୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର