ବାଲିଘାଟ ବନ୍ଦ ଦାବିରେ ତାତିଲେ ସ୍ଥାନୀୟ ବାସିନ୍ଦା; ଟ୍ରାକ୍ଟର୍‌, ହାଇୱା, ଟ୍ରକ୍‌ରୁ ବାଲି କାଢ଼ିଦେଲେ

ପ୍ରତାପରୁଦ୍ରପୁରରେ ତୀବ୍ର ଉତ୍ତେଜନା, ପୁଲିସ୍‌ ମୁତୟନ

ବାଲିଅନ୍ତା : ବାଲିଅନ୍ତା ତହସିଲ ଅଧୀନ କୁଶଭଦ୍ରା ନଦୀର କୂଳସାହି ବାଲିଘାଟରୁ ବାଲି ଉତ୍ତୋଳନକୁ ବିରୋଧ କରି ସୋମବାର ଦିନ ପ୍ରତାପରୁଦ୍ରପୁର ପଞ୍ଚାୟତରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ପଞ୍ଚାୟତ ଅଧୀନ ୬ଟି ୱାର୍ଡର ଶତାଧିକ ମହିଳା ଓ ପୁରୁଷ ସୋମବାର ପୂର୍ବାହ୍ନରେ ବାଲିଘାଟରେ ପହଞ୍ଚି ଦୃଢ଼ ପ୍ରତିବାଦ କରିଥିଲେ। ଘାଟ ଭିତରେ ଥିବା ସବୁ ବାଲିଭର୍ତ୍ତି ହାଇୱା, ଟ୍ରକ୍‌ ଓ ଟ୍ରାକ୍ଟର୍‌ରୁ ବାଲି ଖାଲି କରିଦେବା ପାଇଁ ଗାଡ଼ି ଚାଳକମାନଙ୍କୁ ତାଗିଦ୍‌ କରିଥିଲେ। କୌଣସି ପରିସ୍ଥିତିରେ ସେମାନେ ବାଲିଘାଟରୁ ବାଲି ଉତ୍ତୋଳନ କରାଇଦେବେ ନାହିଁ ବୋଲି କହିଥିଲେ। ବାଲି ଉଠାଣ ବନ୍ଦ କରାନଗଲେ, ସମଗ୍ର ପଞ୍ଚାୟତବାସୀ ଆଇନକୁ ହାତକୁ ନେବାକୁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଘଟଣାସ୍ଥଳରେ ଦୀର୍ଘ ଦୁଇ ଘଣ୍ଟା ଧରି ଗ୍ରାମବାସୀମାନେ ପାଟିତୁଣ୍ଡ କରିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଗଣ୍ଡଗୋଳର ଆଶଙ୍କା ଥିବାରୁ ବାଲିଘାଟରେ ପୁଲିସ ମୁତୟନ କରାଯାଇଛି। ଅପରପକ୍ଷେ ଉତ୍ତେଜନା ପ୍ରକାଶ ପାଇବାରୁ ସୋମବାର ବାଲି ଉଠାଣ ବନ୍ଦ ରହିଥିଲା।

ବାଲିଘାଟ ବନ୍ଦ ନେଇ ଭିଙ୍ଗାରପୁର ରାଜସ୍ବ ନିରୀକ୍ଷକଙ୍କଠାରୁ ଆରମ୍ଭ କରି ତହସିଲ ପ୍ରଶାସନ, ଉପଜିଲ୍ଲାପାଳ, ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆୟୁକ୍ତ ଏବଂ ରାଜସ୍ବ ବିଭାଗ ସଚିବଙ୍କ ନିକଟରେ ଅଭିଯୋଗ କରାଯାଇଛି। ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବା ସତ୍ତ୍ବେ ବାଲିଘାଟ ନିଲାମ ରଦ୍ଦ କରାଯାଉ ନାହିଁ। ଦୀର୍ଘ ଏକ ମାସ ହେଲା ବାଲି ଉଠାଣ ଚାଲିଛି। ନଦୀରେ ପାଣି ଥିବା ଯୋଗୁଁ ପଠା ସଂଲଗ୍ନ ଅଞ୍ଚଳ ତଡ଼ା ଯାଉଥିବା ଗ୍ରାମବାସୀ କହିଛନ୍ତି।

ଅଞ୍ଚଳବାସୀଙ୍କ ଅଭିଯୋଗ ହେଲା, ୨୦୦୮ ମସିହାରେ ପ୍ରଳୟଙ୍କରୀ ବନ୍ୟାରେ କୁଶଭଦ୍ରା ନଦୀର କୂଳସାହିଠାରେ ଏକ ବିରାଟ ଘାଇ ସୃଷ୍ଟି ହେବାରୁ ବହୁ ଧନ ସମ୍ପତ୍ତି କ୍ଷୟକ୍ଷତି ଘଟିଥିଲା। ବନ୍ୟାଜଳରେ ଦୁଇଜଣ ବରିଷ୍ଠ ନାଗରିକ ଭାସି ପ୍ରାଣ ହରାଇଥିଲେ। ସେବେଠାରୁ ବାଲିଘାଟ ନିଲାମ ବନ୍ଦ ରଖାଯାଇଥିଲା। ଏବେ ପ୍ରତାପରୁଦ୍ରପୁର ବାଲିଘାଟରୁ ବାଲି ଉଠାଣ ହେବା ଦ୍ବାରା ନଦୀବନ୍ଧ ଦୁର୍ବଳ ହେଉଛି। ତେଣୁ ବନ୍ୟା ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନପାରେ।

ଅନ୍ୟପକ୍ଷରେ ଏ ସଂପର୍କରେ ତହସିଲର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, ରାଜସ୍ବ ବିଭାଗ ନିୟମ ଆଧାରରେ ଉକ୍ତ ବାଲିଘାଟ ୩୬ ଲକ୍ଷ ଟଙ୍କାରେ ନିଲାମ ଦିଆଯାଇଛି। ଉକ୍ତ ସ୍ଥାନରୁ ଚୋରାରେ ବାଲି ଉଠାଣ ଚାଲିଥିଲା। ବେଆଇନ ବାଲି ଚାଲାଣ ହେବା ଦ୍ବାରା ତହସିଲର ରାଜସ୍ବ କ୍ଷତି ଘଟୁଥିଲା। କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ନିଜର ବ୍ୟକ୍ତିଗତ ସ୍ବାର୍ଥସାଧନ ପାଇଁ ବାଲିଘାଟ ବନ୍ଦ କରାଯିବା ନେଇ ସ୍ବର ଉତ୍ତୋଳନ କରିବା ବେଆଇନ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର