ଲକ୍‌ଡାଉନ୍‌ ଆଣିଛି ସୁବର୍ଣ୍ଣ ସୁଯୋଗ: ୟୁ-ଟ୍ୟୁବ୍‌ ପାଲଟିଛି ଦକ୍ଷତା ବିକାଶ ଗୁରୁ

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ଘରେ ବସି ବିରକ୍ତ ହେଉଥିବା ବେଳେ ସମସ୍ତେ ନିଜ ନିଜ ମନୋରଞ୍ଜନର ଭିନ୍ନ ଭିନ୍ନ ଉପାୟ ଖୋଜି ‌ନେଇଛନ୍ତି। କେହି ରୋଷେଇ କରି ତ’ ଆଉ କେହି ତାସ୍‌ ଓ ଲୁଡୁ ଖେଳି ସମୟ ବିତାଉଛନ୍ତି। କେହି କେହି ବି ବହି ପଢ଼ି ତ’ ଆଉ କିଏ ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ଦେଖି ନିଜ ମନୋରଞ୍ଜନ କରୁଛନ୍ତି। କିନ୍ତୁ ଲକ୍‌ଡାଉନ୍‌ର ଏତେ ଲମ୍ବା ସମୟକୁ କେତେକ କେବଳ ମନୋରଞ୍ଜନରେ ବିତାଇଦେବାକୁ ଚାହାନ୍ତି ନାହିଁ। ଏହି ସମୟକୁ କିଭଳି ଗଠନମୂଳକ ଉପାୟରେ ଅତିବାହିତ କରିହେବ ସେ ନେଇ ସମସ୍ତେ ରାସ୍ତା ଖୋଜିଛନ୍ତି। ଏଥିରେ ୟୁ-ଟ୍ୟୁବ ବେଶ୍‌ ସହାୟକ ହୋଇଛି। ବିଶେଷ କରି ମହିଳାମାନେ ନିଜକୁ ଆହୁରି ଅଧିକ ଦକ୍ଷ କରିବା ପାଇଁ ୟୁ-ଟ୍ୟୁବ୍‌ ଭିଡିଓଗୁଡ଼ିକର ଭରପୂର ଲାଭ ଉଠାଉଥିବା ଦେଖିବାକୁ ମିଳୁଛି।

ରକମ ରକମର ରୋଷେଇ ଶିଖାଉଛି ୟୁ- ଟ୍ୟୁବ
ଅନ୍ୟ ସମୟରେ ତରତର ହୋଇ ରୋଷେଇ ସାରୁଥିବା ମହିଳାଙ୍କୁ ଏବେ ପ୍ରଚୁର ସମୟ ମିଳୁଛି ଆରାମରେ ରୋଷେଇ କରିବାକୁ। ପୁଣି ହୋଟେଲ, ଜଳଖିଆ ଦୋକାନ ଆଦି ବନ୍ଦ ଥିବାରୁ ବାହାର ଖାଦ୍ୟ ଆଉ ମିଳୁନାହିଁ। ଏଣୁ ପାଟି ସୁଆଦିଆ ଖାଇବା ପାଇଁ ଓ ଏହାର ପ୍ରସ୍ତୁତି ପାଇଁ ପ୍ରତ୍ୟେକ ଏବେ ୟୁ-ଟ୍ୟୁବ୍‌ ଉପ‌ରେ ନିର୍ଭରଶୀଳ। କମ୍‌ ସାମଗ୍ରୀରେ ଚଟାପଟ୍‌ ସ୍ନାକ୍ସ ଓ ଭିନ୍ନ ଭିନ୍ନ ଆଇଟମ୍‌ ପ୍ରସ୍ତୁତି ପ୍ରଣାଳୀ ଏଥିରେ ଉପଲବ୍ଧ ହେଉ ଥିବାରୁ କଲେଜ ପଢ଼ୁଆଙ୍କଠାରୁ ଆରମ୍ଭ କରି ମଧ୍ୟବୟସ୍କା ପର୍ଯ୍ୟନ୍ତ ସମସ୍ତେ ଏହାକୁ ହିଁ ଗୁରୁ ଭାବେ ମାନି ନେଇଛନ୍ତି। ପିଠା, ମିଠା, ଖିରି ପାରମ୍ପରିକ ଖାଦ୍ୟଠାରୁ ଆରମ୍ଭ କରି ନୁଡୁଲ୍‌ସ୍‌, ପକୋଡ଼ା, କଟ୍‌ଲେଟ୍‌, ରୋଲ୍‌, କେକ୍‌ ଓ ବିସ୍କୁଟ ଆଦି ଆଧୁନିକ ଖାଦ୍ୟ ଘରେ ତିଆରି କରି ନିଜେ ଖାଉଛନ୍ତି ଓ ଅନ୍ୟକୁ ଖୁଆଉଛନ୍ତି। ବିଶେଷ କରି ଏବେ ଗୁପ୍‌ଚୁପ୍‌, ଚାଟ୍‌ ଓ ଦହିବରା ଆଦି ଷ୍ଟ୍ରିଟ୍‌ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ୟୁ-ଟ୍ୟୁବ୍‌ରୁ ଶିଖି ପ୍ରସ୍ତୁତ କରୁଛନ୍ତି ଏବଂ ଅନେକେ ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମେଡିଆରେ ପୋଷ୍ଟ ‌କରୁଥିବା ଦେଖିବାକୁ ମିଳୁଛି। ଏଥିସହ କୋଲ୍ଡ କଫି, ଲସି, କଷ୍ଟାର୍ଡ, ବିଭିନ୍ନ ପ୍ରକାର ଏନର୍ଜି ଜୁସ୍‌ ଆଦି ପ୍ରସ୍ତୁତ କରି ବିଭିନ୍ନ ଲୋକ ହ୍ବାଟସ୍‌ଆପ୍‌ ଓ ଫେସ୍‌ବୁକ୍‌ର ବିଭିନ୍ନ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରି ନିଜ ରୋଷେଇ କଳା ପ୍ରଦର୍ଶିତ କରୁଛନ୍ତି। ଗୃହିଣୀ ରଶ୍ମିତା ସାହୁ କୁହନ୍ତି, ଆଗରୁ ଲୋକମାନେ ନିଜ ମା’ ଓ ଜେଜେ ମା’ଙ୍କଠାରୁ ଯାହା ରୋଷେଇ ଶିଖିଥିଲେ ତାହା ହିଁ କରୁଥିଲେ। ଏବେ ଯୁଗ ସହ ଖାଇବାର ସ୍ବାଦ ବି ବଦଳୁଛି। କମ୍‌ ସମୟରେ କିପରି ହେଲ୍‌ଦି ବ୍ରେକ୍‌ଫାଷ୍ଟ୍‌ କିମ୍ବା ସ୍ନାକ୍ସ ହୋଇପାରିବ ତା’ଠାରୁ ଆରମ୍ଭ କରି ଚାଇନିଜ୍‌, ଇଟାଲିଅନ୍‌, କଣ୍ଟିନେଣ୍ଟାଲ୍‌ ଆଦି ବିଭିନ୍ନ ଖାଦ୍ୟ ଆମକୁ ୟୁ-ଟ୍ୟୁବ୍‌ ଶିଖାଇ ଦେଉଛି।

ୟୁ-ଟ୍ୟୁବ୍‌ ସାଜିଛି ନୃତ୍ୟଗୁରୁ
ନୃତ୍ୟଶିଳ୍ପୀଙ୍କ ପାଇଁ ୟୁ-ଟ୍ୟୁବର ବିଭିନ୍ନ ଚ୍ୟାନେଲ ନୂଆ ନୂଆ ଉପାଦାନ ଖଞ୍ଜି ଦେଉଥିବା ବେଳେ ଏବେ କିନ୍ତୁ ବିଲ୍‌କୁଲ ନାଚ ଜାଣି ନ ଥିବା ମହିଳାଙ୍କ ପାଇଁ ୟୁ-ଟ୍ୟୁବ ପାଲଟିଛି ନୃତ୍ୟ ଗୁରୁ। ବିଶେଷ କରି ଯେଉଁମାନଙ୍କର ଆଗକୁ ବିବାହ ସମୟ ଆସୁଛି ସେମାନେ ୟୁ-ଟ୍ୟୁବ ଚ୍ୟାନେଲ ଦେଖି ସହଜ ଓ ସରଳ ନୃତ୍ୟ ଶିଖିବାରେ ବ୍ୟସ୍ତ। ୟୁ-ଟ୍ୟୁବର ବିଭିନ୍ନ ଚ୍ୟାନେଲରେ ନୂଆ ଶିଖାଳିଙ୍କ ପାଇଁ ସହଜ ନାଚ ଷ୍ଟେପ୍‌ଠାରୁ ଆରମ୍ଭ କରି ଓଡ଼ିଶୀ, କଥକ, ଭାରତନାଟ୍ୟମ ଆଦି ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟର ପ୍ରାରମ୍ଭିକ ଷ୍ଟେପ୍‌ ଓ ଜୁମ୍ବା, ଏରୋବିକ୍‌ ଆଦି ପ୍ରାଶ୍ଚାତ୍ୟ ନୃତ୍ୟର ଷ୍ଟେପ୍‌ ମଧ୍ୟ ଉପଲବ୍ଧ। ଏବେ ପ୍ରଚୁର ସମୟ ଥିବାରୁ ଓ ବିନା ଖର୍ଚ୍ଚରେ ଏତେ ସୁଯୋଗ ହାତପାହାନ୍ତାରେ ଥିବାରୁ ମହିଳାମାନେ ନୃତ୍ୟ ଶିଖିବା ତଥା କସରତ ପାଇଁ ଏହି ଉପାୟ ବାଛି ନେଇଛନ୍ତି।
କର୍ମଜୀବୀ ମହିଳା ପ୍ରିୟଙ୍କା ମୁନି କୁହନ୍ତି, ପୂର୍ବରୁ ଅଫିସ କାମ ଭିତରେ ବ୍ୟାୟାମ ଓ ନାଚ ଆଦି କରିବା ସମ୍ଭବ ହେଉ ନ ଥିଲା। କିନ୍ତୁ ଏବେ ବହୁତ ସମୟ ମିଳୁଛି। ମୋତେ ନୃତ୍ୟ କରିବା ବହୁତ ପସନ୍ଦ। ଏଣୁ ମୁଁ ନୃତ୍ୟ ଦ୍ବାରା ନିଜ ଶରୀରକୁ ଫିଟ୍ ରଖିବା ସହ ନୃତ୍ୟରେ ଅଧିକ ଦକ୍ଷ ହେବାକୁ ଚେଷ୍ଟା କରୁଛି। ଏଥିରେ ୟୁ-ଟ୍ୟୁବ ବେଶ୍ ସହାୟ ହୋଇଛି।

ମେକ୍‌ଅପ୍‌ ଟ୍ୟୁଟୋରିଆଲ୍‌ ୟୁ-ଟ୍ୟୁବ୍‌
ସମସ୍ତେ ଜାଣନ୍ତି ମହିଳାଙ୍କ ପସନ୍ଦର ସର୍ବାଗ୍ରେ ରହିଛି ମେକ୍‌ଅପ୍‌। ଭଲ ମେକ୍‌ଅପ୍‌ଟିଏ ପାଇବା ପାଇଁ ମହିଳାମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ବି ପ୍ରସ୍ତୁତ। ବ୍ରାଇଡାଲ୍‌ ମେକ୍‌ଅପ୍‌, ଏନ୍‌ଗେଜ୍‌ମେଣ୍ଟ୍‌ ମେକ୍‌ଅପ୍‌, କଲେଜ ଓ ଅଫିସ୍‌ ମେକ୍‌ଅପ୍‌ ଏବଂ ପାର୍ଟି ମେକ୍‌ଅପ୍‌ ଆଦି ଭିନ୍ନ ଭିନ୍ନ ମେକ୍‌ଅପ୍‌ ଟ୍ୟୁଟୋରିଆଲ୍‌ ଉପଲବ୍ଧ ହେଉଛି ୟୁ-ଟ୍ୟୁବ୍‌ର ବିଭିନ୍ନ ଚ୍ୟାନେଲ୍‌ରେ। ସାଧାରଣ ମେକ୍‌ଅପ୍‌ କୌଶଳ, ଭଲ ମେକ୍‌ଅପ୍‌ ପାଇଁ ଭିନ୍ନ ଭିନ୍ନ ଟିପ୍‌ସ୍‌, କମ୍‌ ଖର୍ଚ୍ଚରେ ଭଲ ମେକ୍‌ଅପ୍‌, ମେକ୍‌ଅପ୍‌ ଲମ୍ବା ସମୟ ରହିବା ପାଇଁ ନୂଆ ନୂଆ ମତ ଆଦି ଏଥିରେ ଉପଲବ୍ଧ ହେଉଛି। ନିତିଦିନିଆ ଜୀବନରେ ସହଜ ମେକ୍‌ଅପ୍‌ ଶିଖିବା ସହ ନିଜ ନିର୍ବନ୍ଧ କିମ୍ବା ବିବାହରେ ସୁନ୍ଦର ମେକ୍‌ଅପ୍‌ ନିଜେ କରିବା ପାଇଁ ମହିଳାମାନେ ଏବେ ୟୁଟ୍ୟୁବରୁ ଶିଖୁଛନ୍ତି। ଏହାସହ ବିଭିନ୍ନ ପ୍ରକାର କେଶ ବିନ୍ୟାସର ଭିଡିଓ ବି ୟୁ-ଟ୍ୟୁବରେ ଉପଲବ୍ଧ। ଏସବୁ ଶିଖି ମହିଳାମାନେ ଏବେ ନିଜକୁ ସଜାଇ ଫଟୋ ଉଠାଉଛନ୍ତି ଓ ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ ଆଦିରେ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି। ଏଥିସହ ମେକ୍‌ଅପ୍‌ରେ ଦକ୍ଷ ହେବାର ସୁଯୋଗ ବି ସୃଷ୍ଟି କରିଛି ୟୁ-ଟ୍ୟୁବ୍‌।

ସମ୍ବନ୍ଧିତ ଖବର