ଲକ୍‌ଡାଉନରେ ସାଇବର ଅପରାଧୀଙ୍କ କାରନାମା: ୧୦ ଟଙ୍କା ଦେବାକୁ କହି ୨୦ ହଜାର ଲୁଟିନେଲେ

କୋରିଅର ନାଁରେ ଆକାଉଣ୍ଟରୁ ଟଙ୍କା ହଡ଼ପ, ପୁଲିସ ଅଧିକାରୀଙ୍କୁ ଫୋନରେ ଧମକ

ଭୁବନେଶ୍ବର: କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ରାସ୍ତାଘାଟରେ ଅପରାଧ ଯଥେଷ୍ଟ ହ୍ରାସ ପାଇଛି। କିନ୍ତୁ ସାଇବର ଅପରାଧୀଙ୍କ କଳା କାରନାମା ଜାରି ରହିଛି। କେତେବେଳେ ସାନିଟାଇଜର ଓ ମାସ୍କ ତ ଆଉ କେତେବେଳେ ଅନଲାଇନ୍ ମଦ ସପିଂ ନାଁରେ ଲୁଟି ଚାଲିଛନ୍ତି ସାଇବର ଅପରାଧୀ। ଆଉ ଏବେ କୋରିଅର ପଠାଇବା ନାଁରେ ଆକାଉଣ୍ଟରୁ ଲୁଟିଛନ୍ତି ୨୦ ହଜାର ଟଙ୍କା। ମାତ୍ର ୧୦ ଟଙ୍କାର ରେଜିଷ୍ଟ୍ରେସନ ଫି ଦେବାକୁ କହି ଏହି ଟଙ୍କା ଲୁଟି ନେଇଛନ୍ତି ଅପରାଧୀ। ଏ ନେଇ ଲୁଟର ଶିକାର ଡ. ମନୋରଞ୍ଜନ ମିଶ୍ର ପ୍ରଥମେ ଚନ୍ଦ୍ରଶେଖପୁର ଥାନା ଓ ପରେ ଅନଲାଇନ ଯୋଗେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ମିଶ୍ର ନୂଆଦିଲ୍ଲୀ ସ୍ଥିତ ସ୍ଲୋଭାକିଆ ଦୂତାବାସକୁ କୋରିଅରରେ ଏକ ଚିଠି ପଠାଇବାକୁ ଚାହିଁଥିଲେ। ଗତକାଲି ଗୁଗୁଲ ସର୍ଚ୍ଚ କରିବା ପରେ ଏକ ଫୋନ୍ ନମ୍ବର(+918538896370) ପାଇଥିଲେ। ସେହି ନମ୍ବରରେ ଫୋନ୍ କରିବା ପରେ ଜଣେ ଯୁବକ ନିଜକୁ ବ୍ଲୁ ଡାର୍ଟ କୋରିଅର ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇଥିଲା। କୋରିଅର ପଠାଇବା ଲାଗି ମାତ୍ର ୧୦ ଟଙ୍କାର ରେଜିଷ୍ଟ୍ରେସନ ଫି’ ଦେବାକୁ ପଡ଼ିବ ବୋଲି ଯୁବକ ଜଣକ କହିଥିଲା। ଏଥିପାଇଁ ଏକ ଏନି ଡେସ୍କ ରିମୋଟ୍‌ କଣ୍ଟ୍ରୋଲ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ ବୋଲି ସେ କହିଥିଲା। ଶ୍ରୀ ମିଶ୍ରଙ୍କ ଝିଅ ଆପ୍‌ ଲୋଡ୍ କରିବା ପରେ ଏକ ପିନ୍ ନମ୍ବର ମିଳିଥିଲା। ସେହି ନମ୍ବରକୁ ଉକ୍ତ ବ୍ୟକ୍ତି ଚଞ୍ଚକତାର ସହ ମାଗି ନେଇଥିଲା। ଏହା ପରେ ଏଟିଏମ୍ କାର୍ଡ ଜରିଆରେ ଶ୍ରୀ ମିଶ୍ରଙ୍କ ଝିଅ ୧୦ ଟଙ୍କା ଡିପୋଜିଟ୍ କରିବା ପାଇଁ କାର୍ଡ ନମ୍ବର ଭରିଥିଲେ। ଏହାପରେ ମୋବାଇଲକୁ ଆସିଥିବା ଓଟିପି ନମ୍ବର ଏଣ୍ଟ୍ରି କରିଥିଲେ। ଓଟିପି ନମ୍ବର ଭରିବା ମାତ୍ରେ ହିଁ ତାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା କଟି ଯାଇଥିଲା। ସେହି ବ୍ୟକ୍ତି ଜଣକ ସାଇବର ହ୍ୟାକର ବୋଲି ଶ୍ରୀ ମିଶ୍ର ଜାଣି ପାରିଥିଲେ। ୨୦ ହଜାର ଟଙ୍କା କଟିଯିବା ପରେ ସେହି ନମ୍ବରକୁ ପୁଣି ଥରେ ଫୋନ୍ କରିଥିଲେ। କିନ୍ତୁ ହ୍ୟାକର ଆହୁରି ଅଧିକ ଟଙ୍କା ଲୁଟିବା ପାଇଁ ଯୋଜନା କରିଥିଲା। ଭୁଲ୍ ବଶତଃ ଆକାଉଣ୍ଟରୁ ୨୦ ହଜାର ଟଙ୍କା କଟି ଯାଇଛି, ତେଣୁ ସେ ୧୯ ହଜାର ୯୯୦ ଟଙ୍କା ଫେରସ୍ତ କରିବା ପାଇଁ ପ୍ରସ୍ତୁତ ଅଛି ବୋଲି କହିଥିଲା। ଏଥିଲାଗି ମୋବାଇଲକୁ ଆଉ ଏକ ପିନ୍ ନମ୍ବର ଆସିବ। ସେହି ପିନ୍ ନମ୍ବରକୁ ପୁଣି ଥରେ ଆପ ଜରିଆରେ ଭରିବାକୁ ହେବ ବୋଲି ହ୍ୟାକର କହିଥିଲା। କିନ୍ତୁ ଶ୍ରୀ ମିଶ୍ର ହ୍ୟାକର ଚାଲାକି ଧରିବା ପରେ ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ। ଡିସିଓଙ୍କ ନିକଟରେ ସେହି ନମ୍ବର ଦାଖଲ କରିଥିଲେ। ଡିସିଓ ସେହି ନମ୍ବରରେ କଲ୍ କରିବା ପରେ ହ୍ୟାକର ଓଲଟା ଧମକ ଦେଇଥିଲା। ପୁଲିସ ହୁଅ କି ଯିଏ ବି ହୁଅ ମୋର କିଛି କରିପାରିବ ନାହିଁ ବୋଲି ହ୍ୟାକର କହି ଫୋନକୁ କାଟି ଦେଇଥିଲା। ଏହା ସାଇବର ଅପରାଧ ହୋଇଥିବାରୁ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଅଭିଯୋଗ କରିବା ପାଇଁ ଚନ୍ଦ୍ରଶେଖରପୁର ଥାନା ପୁଲିସ ପରାମର୍ଶ ଦେଇଥିଲା। ଶ୍ରୀ ମିଶ୍ର ଏ ନେଇ ଅନଲାଇନ୍ ଯୋଗେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, ଏହି ଏନି ଡେସ୍କ ରିମୋଟ୍‌ କଣ୍ଟ୍ରୋଲ ଆପରେ ଗୋଟିଏ ଜାଗାରେ ବସି ଅନ୍ୟ ଏକ ସିଷ୍ଟମକୁ ଅପରେଟ୍ କରିହେବ। ହ୍ୟାକରମାନେ ଏହି ଆପକୁ ବ୍ୟବହାର କରନ୍ତି। ଜଣେ ନିଜ ସ୍ମାର୍ଟ ଫୋନରେ ଆପ ଲୋଡ୍ କରିବା ପରେ ମିଳିଥିବା ପିନ୍ ନମ୍ବରକୁ ହ୍ୟାକର ଚାଲାକି କରି ମାଗିନିଏ। ସେହି ପିନ୍ ନମ୍ବର ଦେଇ ହ୍ୟାକର ନିଜ ସିଷ୍ଟମ ସହ ମୋବାଇର ଫୋନର ଲିଙ୍କ୍ କରାଇ ଦିଏ। ଫୋନ୍ ବ୍ୟବହାରକାରୀ ଆପରେ ଯେଉଁ ଏଟିଏମ୍ କାର୍ଡ ନମ୍ବର, ସିଭିଭି ନମ୍ବର, ମୋବାଇଲ ନମ୍ବର, ପାସଵାର୍ଡ କିମ୍ବା ପିନ୍ ନମ୍ବର ଯାହା ଟାଇପ୍ କଲେ ହ୍ୟାକର ନିଜ ସିଷ୍ଟମରେ ବସି ସେ ସବୁ ପଢିନିଏ। ଏଟିଏମ୍ କାର୍ଡର ସବୁ ତଥ୍ୟ ମିଳିଗଲା ପରେ ଟଙ୍କା ହଡ଼ପ କରିନିଏ। କିନ୍ତୁ ଏହି ଏନି ଡେସ୍କ ଆପ୍ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି ସାଇବର ବିଶେଷଜ୍ଞ।

ସମ୍ବନ୍ଧିତ ଖବର