ଲକ୍‌ଡାଉନ୍‌ ସାଜିଛି ବଇରୀ: ମା’ଚାଲିଗଲେ, ଶେଷ ସମୟରେ ଛିଡ଼ା ହୋଇପାରିଲେନି ପୁଅଝିଅ

ଭୁବ‌ନେଶ୍ବର: କରୋନା କେବଳ‌ ତାଲାବନ୍ଦୀ କରିଦେଇନି, ବରଂ ଅନେକଙ୍କୁ ଏମିତି ଜଖମ ଦେଇଛି, ତାହା ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଭରିବ ନାହିଁ। ନିଜ ଜନ୍ମକଲା ମା’ଙ୍କର ମୃତ୍ୟୁ ହୋଇଯାଇଥିଲେ ବି ତାଙ୍କ ମୁହଁରେ ନିଆଁ ଦେବା ତ ଦୂରକଥା, ଶେଷ ସମୟରେ ପୁଅ ଝିଅମାନେ ତାଙ୍କ ପାଖେ ଛିଡ଼ା ହୋଇପାରିନାହାନ୍ତି। ବିଜେବି ନଗରର ବାସିନ୍ଦା ଡ. ସବିତା ଦାସଙ୍କର ହୃଦ୍‌ଘାତରେ ପରଲୋକ ହୋଇଯାଇଥିଲେ ହେଁ ଆମେରିକା ଓ ବାହାରିନ୍‌ରେ ରହୁଥିବା ତାଙ୍କ ପୁଅ ଝିଅମାନେ ପହଞ୍ଚି ପାରିନଥିଲେ। ଫଳରେ ସମ୍ପର୍କୀୟ ଓ କିଛି ସହୃଦୟ ବ୍ୟକ୍ତି ସମ୍ପୃକ୍ତ ମହିଳାଙ୍କ ଶେଷକୃତ୍ୟ କରାଇଛନ୍ତି। ଗୁରୁବାର ଅପରାହ୍‌ଣରେ ସବିତାଙ୍କ ପରଲୋକ ହୋଇଥିଲା। ଏନେଇ ଆମେରିକାରେ ରହୁଥିବା ତାଙ୍କ ପୁଅ ସୁଶୋଭନ ଓ ଝିଅଙ୍କୁ ଖବର ଦିଆଯାଇଥିଲା। ବାହାରିନ୍‌ରେ ଥିବା ଜଣେ ଝିଅ ପାଖକୁ ମଧ୍ୟ ଖବର ଯାଇଥିଲା। ହେଲେ ଲକ୍‌ଡାଉନ୍‌ ଯୋଗୁଁ ବିମାନ ବନ୍ଦ ଥିବାରୁ ପୁଅ ଝିଅମାନେ ଚାହି ମଧ୍ୟ ଆସି ପାରିନଥିଲେ। ଶେଷରେ କିଛି ଉପାୟ ନପାଇ ତାଙ୍କ ପୁତୁରାଙ୍କୁ ଡକାଯାଇଥିଲା। ପୂର୍ବତନ କର୍ପୋରେଟର୍‌ ଅମରେଶ ଜେନା ସହଯୋଗ ପାଇଁ ଆଗେଇ ଆସିଥିଲେ। ବିନୋଦ ମାଝି, ପ୍ରମୋଦ ମଲ୍ଲିକ, ରାଜେନ୍ଦ୍ର ପାଲ୍‌ ଏବଂ ଯୁବା ଉତ୍କଳ ଫାଉଣ୍ଡେସନର୍‌ ପ୍ରମିତ କୁମାର ପୃଷ୍ଟି, ଶୁଭମ ସାହୁଙ୍କୁ ଏକାଠି କରି ଶେଷକୃତ୍ୟର ବ୍ୟବସ୍ଥା କରିଥିଲେ। ଶେଷରେ ନିଜେ ଶବ ନେଇ ସତ୍ୟନଗର ଶ୍ମଶାନରେ ‌ଯଥା ରୀତି ଦାହ ଓ ଶେଷକୃତ୍ୟ କରିଥିଲେ।

ଡ. ଦାସ ବିଜେବି କଲେଜରେ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଥିଲେ। ଶେଷରେ ସେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରୁ ଅଧ୍ୟକ୍ଷା ଭାବେ ଅବସର ନେଇଥିଲେ। ପୁଅ ଝିଅମାନଙ୍କୁ ଉଚ୍ଚଶିକ୍ଷିତ କରାଇବା ପରେ ପୁଅ ସୁଶୋଭନ ଆମେରିକାରେ ଏକ ପ୍ରତିଷ୍ଠିତ କମ୍ପାନିରେ କାର୍ଯ୍ୟରତ। ଝିଅମାନେ ବି ପ୍ରତିଷ୍ଠିତ। ସବିତା ବିଜେବି ନଗରରେ ଜଣେ ସହାୟିକାଙ୍କ ସହ ରହି ଆସୁଥିଲେ। ଯଦିଓ ସେ ନିଜ ପୁଅ ଝିଅଙ୍କ ପାଖକୁ ବିଦେଶକୁ ଯାଉଥିଲେ କିନ୍ତୁ ବେଶି ଦିନ ରହିନପାରି ଲେଉଟି ଆସୁଥିଲେ। ଶେଷରେ ସ୍ଥିତି ଏମିତି ହେଲା ଯେ ଯେଉଁ ସନ୍ତାନସନ୍ତତିଙ୍କ ପାଇଁ ସେ ନିଜର ସିଂହଭାଗ ଜୀବନ ସମୟ ବ୍ୟୟ କଲେ ଶେଷ ସମୟରେ ସେମାନଙ୍କୁ ବି ଟିକେ ପାଖରେ ଦେଖି ପାରିଲେନି। ନିକଟରେ ପ୍ରଫୁଲ୍ଲ ଚନ୍ଦ୍ର ପତି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୩ ପୁଅ ଆମେରିକାରୁ ଆସି ପାରିନଥିଲେ। ଫଳରେ ପୁଅମାନଙ୍କ ସାଙ୍ଗମାନେ ପହଞ୍ଚି ଶ୍ରୀ ପତିଙ୍କ ଶେଷକୃତ୍ୟ କରାଇଥିଲେ। ଏକଥା ନୁହେଁ ଯେ ଶେଷ ସମୟରେ ନିଜ ବାପା ମା’ଙ୍କ ପାଖରେ ଛିଡ଼ା ହେବାକୁ ସେମାନଙ୍କର ଇଚ୍ଛା ନଥିଲା, କି ଆସିବାକୁ ଧନର ଅଭାବ ଥିଲା କିନ୍ତୁ କରୋନା ଲକ୍‌ଡାଉନ କେବଳ କାନ୍ଦିବାକୁ ବାଧ୍ୟ କରିଥିଲା।

ସମ୍ବନ୍ଧିତ ଖବର