ଖୋର୍ଦ୍ଧାରେ ‘ତାଲା ବନ୍ଦ’: ସକାଳ ସାଢ଼େ ୬ ଟାରୁ ସାଢ଼େ ୯ ଓ ସଂଧ୍ୟା ୪ରୁ ୬ ଘରୁ ବାହାରିବାକୁ ଅନୁମତି

ସହରର ସମସ୍ତ ପ୍ରବେଶ ପଥରେ ନାକାବନ୍ଦୀ, ୬ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ, ୩୦ ଅଧିକାରୀ ନିୟୋଜିତ

ଖୋର୍ଦ୍ଧା: କୋଭିଡ-୧୯ ସଂକ୍ରମଣ ଚିହ୍ନଟ କରାଯାଇଥିବା ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ସମେତ ଦେଶର ୭୫ଟି ଜିଲ୍ଲାରେ ଲକ୍‌ ଡାଉନ୍ କରିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ରାଜ୍ୟ ସରକାର ମଧ୍ୟ ଗୋଷ୍ଠୀଗତ ସଂକ୍ରମଣ ବ୍ୟାପିବା ସମ୍ଭାବନା ଥିବା ୫ଟି ଜିଲ୍ଲା ଓ ୭ଟି ସହରକୁ ସଂପୂର୍ଣ୍ଣ ତାଲା ବନ୍ଦ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଧାରାରେ ଗତକାଲି ଜନତା କର୍ଫ୍ୟୁ ପରେ ଆଜି ଖୋର୍ଦ୍ଧା ସହରରେ ତାଲା ବନ୍ଦ ଲାଗୁ କରାଯାଇଛି। ସହରର ପ୍ରବେଶ ଓ ନିର୍ଗମନ ପଥରେ ନାକାବନ୍ଦୀ କରାଯାଇ ସହରରୁ ବାହାରକୁ ଯିବା ଓ ସହରରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

ଆଜି ସକାଳେ ସହରର ପରିବା ବଜାର, ଦୋକାନ ଆଦି ଖୋଲିଥିଲା। ଏହା ପରେ ପୁଲିସ୍‌, ଉପଜିଲ୍ଲାପାଳ ବିଭିନ୍ନ ସ୍ଥାନ ବୁଲି ଦୋକାନ ବଜାର ବନ୍ଦ କରିବା ସହ ଲୋକଙ୍କୁ ଘରୁ ନବାହାରିବାକୁ ବୁଝାଇଥିଲେ। ତେବେ ଲୋକଙ୍କ ଅନୁରୋଧରେ ହାବେଳୀ ପଡ଼ିଆରେ ପରିବା ବେପାରୀଙ୍କୁ ସାମୟିକ ଭାବେ ପରିବା ବିକ୍ରି କରିବାକୁ ଅନୁମତି ଦିଆଯାଇଥିଲା। ମୁକୁନ୍ଦପ୍ରସାଦ, ଚଣ୍ତିଚୁଆ, ନୂଆବସ୍‌ଷ୍ଟାଣ୍ତ ଛକ, ନୟାଗଡ଼–ଖୋର୍ଦ୍ଧା ଛକ ଆଦି ସ୍ଥାନରେ ପୁଲିସ ନାକାବନ୍ଦୀ କରି ସହରରୁ ବାହାରକୁ ଓ ସହର ମଧ୍ୟକୁ ଯାନବାହାନ ପ୍ରବେଶ ବନ୍ଦ କରିଥିଲେ।
ଏନେଇ ଉପଜିଲ୍ଲାପାଳ ଶାନ୍ତନୁ ମହାନ୍ତି କହିଛନ୍ତି ଯେ ଆସନ୍ତାକାଲି ଠାରୁ ସହରରେ ତାଲା ବନ୍ଦ ଦୃଢ଼ ଭାବେ ଲାଗୁ କରାଯିବ। ଯେଉଁମାନେ ଏହାକୁ ଅମାନ୍ୟ କରିବେ ସେମାନଙ୍କୁ ଆଇନାନୁସାରେ ଜରିମାନା ଓ ଦଣ୍ତିତ କରାଯିବ। ତେବେ ସାଧାରଣ ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ସକାଳ ୬ରୁ ୯ ଓ ସଂଧ୍ୟା ୪ରୁ ୬ ପରିବା ବଜାର ଖୋଲା ରହିବ। ସହରରେ ଔଷଧ, ଖାଦ୍ୟଦ୍ରବ୍ୟ ଆଦି ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ, ହୋଟେଲ୍ ଆଦି ଖୋଲିବାକୁ ବାରଣ କରାଯାଇଛି। ତାଲା ବନ୍ଦ ସମ୍ପର୍କରେ ସୂଚନା ଦେଇ ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି ଯେ ଏନେଇ ଜିଲ୍ଲାରେ ୬ ପ୍ଲାଟୁନ୍ ଅତିରିକ୍ତ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏହା ସହିତ ଏସ୍‌ପିଙ୍କ ନେତୃତ୍ବରେ ୩୦ଜଣ ପଦାଧିକାରୀ ମଧ୍ୟ ନିୟୋଜିତ ଅଛନ୍ତି। ଜନସାଧାରଣ ଯେଭଳି ଏହି କଟକଣାକୁ ମାନି ଘରୁ କେବଳ ଅତ୍ୟାବଶ୍ୟକ କାର୍ଯ୍ୟରେ ବାହାରିବେ ସେଥିପାଇଁ ଏସ୍‌ପି ଶ୍ରୀ ସ୍ବାଇଁ ଅନୁରୋଧ କରିଛନ୍ତି।

ତାଲା ବନ୍ଦକୁ ଲୋକଙ୍କ ଫୁ..
ସହରରେ ଆଜିର ତାଲା ବନ୍ଦ ସଂପୂର୍ଣ୍ଣ ସଫଳ ହୋଇନଥିଲା। ପୁଲିସ ପ୍ରଶାସନର ବାରଣ ସତ୍ତ୍ବେ କିଛି ଲୋକ ନିଜର ଗାଡ଼ିମୋଟର ନେଇ ବୁଲାବୁଲି କରୁଥିଲେ। ଏପରିକି ଆଜି ନୟାଗଡ଼ ଜିଲ୍ଲାକୁ ଯାତ୍ରୀବାହୀ ବସ୍‌ ଚଳାଚଳ କରୁଥିବା ବେଳେ ଅନେକ ଯାତ୍ରୀ ଖୋର୍ଦ୍ଧା ବସ୍‌ଷ୍ଟାଣ୍ତରେ ଅଟକି ରହିଥିଲେ। ତେବେ ସଂଧ୍ୟା ୫ଟାଯାଏ ଅଧିକାଂଶ ଲୋକ ଘରୁ ପ୍ରାୟତଃ ବାହାରି ନଥିବା ବେଳେ ଅପରାହ୍‌ଣରେ ବର୍ଷା ଓ ବିଦ୍ୟୁତ୍ କାଟ ପରେ ଲୋକମାନେ ନିଜନିଜ ଗାଡ଼ି ମୋଟର ନେଇ ବାହାରକୁ ବାହରିଥିବା ଦେଖିବାକୁ ମିଳିଥିଲା। ସହରର କୁକୁଡ଼ା ମାଂସ ଦୋକାନ, ଅନ୍ୟ ତେଜରାତି ଦୋକାନ, ବଜାର ଆଦି ଖୋଲିଥିଲା। ତେବେ ଏନେଇ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି କହିଛନ୍ତି ଯେ ନିର୍ଦ୍ଧାରିତ ନିୟମାନୁସାରେ ତାଲା ବନ୍ଦ କଡ଼ାକଡ଼ି ପାଳନ କରାଯିବ। ନିର୍ଦ୍ଧାରିତ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅନୁମତି ଦିଆଯାଇଛି। ଅନ୍ୟ ସମୟରେ ଦୋକାନ ଖୋଲିଲେ କିମ୍ବା ବାହାରେ ବୁଲିଲେ ଆଇନାନୁସାରେ ପଦକ୍ଷେପ ନିଆଯିବ।

ବାରଣ ସତ୍ବେ ଅଧିକ ଯାତ୍ରୀ ନେଇ ବସ୍‌ ଚଳାଚଳ
ଆଜି ଖୋର୍ଦ୍ଧାରେ ତାଲା ବନ୍ଦକୁ କେତେକ ଜାଣିଶୁଣି ପାଳନ କରିନଥିବା ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲାର ପଡ଼ୋଶୀ ନୟାଗଡ଼ ଓ ପୁରୀରେ ଆଜି ତାଲା ବନ୍ଦ ଘୋଷଣା ହୋଇ ନଥିବାରୁ ଯାତ୍ରୀବାହୀ ବସ୍‌ ଜିଲ୍ଲାପାଳ କାର୍ଯ୍ୟାଳୟ ଦେଇ ପ୍ରବେଶ କରି ନୂଆବସ୍‌ଷ୍ଟାଣ୍ତ ଦେଇ ନୟାଗଡ଼ ଚଳାଚଳ କରୁଥିଲା। ଏଭଳି ସ୍ଥିତିରେ, ନୂଆବସ୍‌ଷ୍ଟାଣ୍ତ୍ ଛକ ନିକଟରେ ଆବଶ୍ୟକରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଶ୍ରୀମନ୍ଦିର ନାମକ ଏକ ବସ୍‌କୁ ପୁଲିସ୍‌ ଅଟକାଇଥିଲେ। ପୁଲିସ୍‌କୁ ଦେଖି ବସ୍‌ର କଣ୍ତକ୍ଟର ଠିଆ ହୋଇଥିବା ଯାତ୍ରୀଙ୍କୁ ବସିବାକୁ କହିଥିଲେ। ଯାତ୍ରୀମାନେ ବସ୍‌ ମଧ୍ୟରେ ତଳେ ବସିପଡ଼ିଥିଲେ। ଏନେଇ ସେଠାରେ ଉପସ୍ଥିତ ଥିବା ଉପଜିଲ୍ଲାପାଳ ଶ୍ରୀ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେ ଏଭଳି କିଛି ଘଟଣା ସମ୍ପର୍କରେ ଜାଣନ୍ତି ନାହିଁ। ତେବେ ପୁଲିସ ସୂତ୍ରରୁ ପ୍ରକାଶ ବସ୍‌ ଚାଳକ ଓ କଣ୍ତକ୍ଟରଙ୍କୁ ତାଗିଦ୍‌ କରି ଛାଡ଼ିଦିଆଯାଇଛି।

ତାଲା ବନ୍ଦ ପାଳନ କରିବାକୁ ପୌର ପ୍ରଶାସନ ପକ୍ଷରୁ ଜନତାଙ୍କୁ ଅନୁରୋଧ
ଆଜି ଖୋର୍ଦ୍ଧା ସହରରେ ତାଲା ବନ୍ଦରେ ଲୋକଙ୍କ ପ୍ରତିକ୍ରିୟାକୁ ଲକ୍ଷ୍ୟ କରି ଅପରାହ୍‌ଣରେ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୯ ତାରିଖ ଯାଏ ଜିଲ୍ଲାରେ ତାଲା ବନ୍ଦ ପାଳନ କରିବାକୁ ଅନୁରୋଧ କରାଯିବା ସହ ଏହାର ଖିଲାପକାରୀଙ୍କୁ ଆଇନାନୁସାରେ ଦଣ୍ତିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଜ୍ଞପ୍ତି ଅନୁସାରେ, ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ପରିବା ଓ ଫଳ ଦୋକାନୀଙ୍କୁ ନିୟନ୍ତ୍ରିତ କରାଯିବ। ପରିବା ଓ ଫଳ ଦୋକାନୀ ସକାଳ ସାଢେ଼ ୬ରୁ ସାଢେ଼ ୯ ଓ ସଂଧ୍ୟା ୪ରୁ ୬ ହାବେଳୀ ପଡ଼ିଆ ନିକଟରେ ବସି ବିକ୍ରି କରିବେ। ପ୍ରତ୍ୟେକ ଦୋକାନୀ ମଧ୍ୟରେ ଅତିକମ୍‌ରେ ୧୦ ଫୁଟର ବ୍ୟବଧାନ ରହିବ। ଏହା ସହ ସହର ମଧ୍ୟରେ ଟ୍ୟାକ୍ସି, ଅଟୋ, ଦୁଇଚକିଆ ମୋଟରଯାନ ଚଳାଚଳ ନିଷିଦ୍ଧ କରାଯାଇଛି। କେବଳ ଡାକ୍ତରଖାନା ଓ ଏୟାରପୋର୍ଟ ଡ୍ୟୁଟିପାସ୍‌ ଥିବା ଯାନବାହନ ଚଳାଚଳ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର