ଦୀର୍ଘ ସାଢ଼େ ୪ ମାସ ପରେ… ଲକ୍‌ଡାଉନ୍‌ ଖୋଲିଲା, ବେପାର ମାନ୍ଦା

ଭୁବନେଶ୍ବର: ମହାମାରୀ କରୋନା ପାଇଁ ରାଜ୍ୟରେ ଲାଗୁ ହୋଇଥିବା ସଟ୍‌ଡାଉନ୍ ଓ ଲକ୍‌ଡାଉନ୍ କୋହଳ ହେବା ପରେ ଏବେ ରାଜଧାନୀର ବହୁ କ୍ଷୁଦ୍ର ବ୍ୟବସାୟୀଙ୍କ ରୋଜଗାର ବାଟ ଫିଟିଛି। ଦୀର୍ଘ ସାଢ଼େ ଚାରିମାସ ପ୍ରତୀକ୍ଷାର ଅନ୍ତ ଘଟିଛି। ରାସ୍ତା କଡ଼ରେ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଏହି ଦୋକାନୀମାନେ ଏବେ ଦୋକାନ ସିନା ଖୋଲିଛନ୍ତି, ହେଲେ ଗ୍ରାହକଙ୍କ ଦେଖା ଦର୍ଶନ ନାହିଁ। ୩ ଦିନ ହେଲା ଦୋକାନ ଖୋଲିଥିଲେ ମଧ୍ୟ ଗ୍ରାହକ ଅଭାବରୁ ବେପାର ପୂରା ମାନ୍ଦା ରହିଛି। ତେଣୁ ରୋଜଗାରର ଆଶା ମଉଳିବାରେ ଲାଗିଛି ବୋଲି ସେମାନେ ବଡ଼ ଦୁଃଖରେ କହିଛନ୍ତି।

ୟୁନିଟ୍-୮ କଲ୍ୟାଣ ମାର୍କେଟ୍‌ରେ ଛୋଟ ଚା’ ପାନ ଦୋକାନ କରିଥିବା ଦମୟନ୍ତୀ ପରିଡ଼ା ଗତ ୩ ଦିନ ହେଲା ତାଙ୍କ ଦୋକାନ ଖୋଲିଛନ୍ତି। ଏହି ଦୋକାନ ଆୟରୁ ସେ ତାଙ୍କ ଅଭାବୀ ସଂସାରର ବୋଝ ଉଠାଇ ଥାଆନ୍ତି। ସେଥିରେ ପୁଣି ବାପାଙ୍କ ହୃଦ୍‌ରୋଗ ନିମନ୍ତେ ନିୟମିତ ଔଷଧ, ବୋଉଙ୍କ ଆଖିରେ ଅସ୍ତ୍ରୋପଚାର ଓ ଘର ଭଡ଼ା ବାବଦ ଖର୍ଚ୍ଚ ସବୁ କିଛି ନିର୍ଭର କରେ। ଗତ ସାଢ଼େ ଚାରି ମାସ ହେଲା ଦୋକାନ ବନ୍ଦ ଥିବାରୁ ପଇସାଟିଏ ରୋଜଗାର ହୋଇନଥିଲା। ତେଣୁ ସେ ଏ ପର୍ଯ୍ୟନ୍ତ ୫ ମାସର ଘରଭଡ଼ା ଦେଇ ପାରିନାହାନ୍ତି। ବାପାଙ୍କ ହୃଦ୍‌ରୋଗ ବାବଦ ଔଷଧ ଖର୍ଚ୍ଚ ମଧ୍ୟ କାଟ୍ କରିଛନ୍ତି। ଦୋକାନ ଖୋଲିବା ପରେ କିଛି ପଇସା ହାତକୁ ଆସିବ ବୋଲି ସେ ବଡ଼ ଆଶା କରିଥିଲେ। କିନ୍ତୁ କରୋନା ଡରରେ ଲୋକେ ଦୋକାନକୁ ଆସୁନାହାନ୍ତି। ପାନ ନ ହେଲା ନାହିଁ, ଲୋକେ ତାଙ୍କଠାରୁ ଚା’ ପିଇବାକୁ ମଧ୍ୟ ଆସୁନଥିବା ସେ କହିଛନ୍ତି। ସେହିଭଳି ଇନ୍ଦ୍ରଧନୁ ମାର୍କେଟ୍‌ରେ ୧୩ ବର୍ଷ ହେଲା ଲଣ୍ଡ୍ରି କରିଥିବା ସାଲିଆସାହିର ଦୁଃଶାସନ ସେଠୀ ମଧ୍ୟ ସମାନ କଥା କହିଛନ୍ତି। ସେ ସୋମବାରଠାରୁ ଦୋକାନ ଖୋଲିଛନ୍ତି। ଲକ୍‌ଡାଉନ୍ ପୂର୍ବରୁ ପ୍ୟାଣ୍ଟ୍‌ ସାର୍ଟ ଇସ୍ତ୍ରି ପାଇଁ ଦେଇଥିବା ଗ୍ରାହକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପୋଷାକ ନେଲେ ନାହିଁ। ନିତିଦିନିଆ ଗ୍ରାହକ ମଧ୍ୟ ଆସୁନାହାନ୍ତି। ତେଣୁ ଏହି ଅବସ୍ଥାରେ ୪ ପ୍ରାଣୀ କୁଟୁମ୍ବ କେମିତି ବଞ୍ଚିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର