ଲକ୍‌ଡାଉନ୍‌-୫ ଘୋଷଣା ହେବା ପରେ ୧୦ ଘଣ୍ଟିଆ ୧୪୪ ଧାରା ଜାରି, ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଲକ୍‌ଡାଉନ୍‌-୫ ଘୋଷଣା ହେବା ପରେ ଜାରି ହୋଇଛି ୧୦ ଘଣ୍ଟିଆ କଟକଣା। ସନ୍ଧ୍ୟା ୭ରୁ ସକାଳ ୫ ଯାଏ ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଅଞ୍ଚଳରେ ୧୪୪ଧାରା ଜାରି ହୋଇଛି। ଏହି ସମୟରେ ଜରୁରୀକାଳୀନ ସେବା ଛଡ଼ା ଅନ୍ୟ ସମସ୍ତ କାର୍ଯ୍ୟକୁ ବେଆଇନ ଘୋଷଣା କରାଯିବ। ଏଭଳି ଘୋଷଣା କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ତେବେ ଜରୁରୀକାଳୀନ ସେବାରେ ଥିବା ଗାଡ଼ି ଚଳପ୍ରଚଳ କରିବ। ବିମାନ କିମ୍ବା ଟ୍ରେନ୍‌ରେ ଆସୁଥିବା ବା ଯାଉଥିବା ଯାତ୍ରୀ ଏହି ଟିକେଟ୍‌ ଦେଖାଇ ଯାଇ ପାରିବ। ଏଥିପାଇଁ କୌଣସି ସ୍ବତନ୍ତ୍ର ପାସ୍‌ ଜାରି ହେବ ନାହିଁ କିମ୍ବା ପୁରୁଣା ପାସ୍‌ କାମ କରିବ ନାହିଁ। ଦୂରଗାମୀ ବସ୍‌ଯାତ୍ରୀ ମଧ୍ୟ ଏହି ବ୍ୟବସ୍ଥାରେ ଚଳପ୍ରଚଳ କରିବାକୁ ସୁଯୋଗ ପାଇବେ। ସମସ୍ତ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ନିର୍ଦ୍ଦେଶନାମାକୁ ଆଖି ଆଗରେ ରଖି କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ପକ୍ଷରୁ ଆଜି ରାତିରୁ ଚଢ଼ଉ ଆରମ୍ଭ ହୋଇଯାଇଛି। ସହରର ୧୭ ଜାଗାରେ ନାକାବନ୍ଦୀ କରାଯାଇଛି। ତା’ ସହ ଅନ୍ୟ ପ୍ରମୁଖ ଛକରେ ଜୋରଦାର ଚେକିଂ ଆରମ୍ଭ ହୋଇଯାଇଛି।

ଟ୍ରାଫିକ୍‌ ଡିସିପି ସାଗରିକା ନାଥ ପଇଁତରା ମାରୁଥିବା ବେଳେ ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା ସମସ୍ତ ନାକାସ୍ଥଳ ଯାଞ୍ଚ କରିଛନ୍ତି। ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଏଭଳି ନାକାବନ୍ଦୀ ରହିବା ସହ ଯାଞ୍ଚ କଡ଼ାକଡ଼ି ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର