ଭୁବନେଶ୍ୱର : କରୋନା କରୋନା ଶୁଣି ଶୁଣି ଚିଡ଼ା ଲାଗିଲାଣି। ମାସ୍କ ଓ ସାନିଟାଇଜର୍ ଏବେ ପୋଷାକ ପିନ୍ଧିବା ଭଳି ଜରୁରୀ ହୋଇଗଲାଣି। ଲୋକଙ୍କ ଦୁଃଖ କଷ୍ଟ ସୀମା ଲଙ୍ଘିଲାଣି। ଆଉ କାହାର ଦୁଃଖ କଥା ଛାଡ଼ନ୍ତୁ, କରୋନା ସମୟରେ କାନର ଦୁଃଖ ଓ ବୋଝ ଯେମିତି ବଢ଼ି ଯାଇଛି। ଚଷମା, ମାସ୍କ ଓ ଇୟରଫୋନ୍... ବିଚରା ଏଡ଼ିକି ଟିକି କାନ କେତେ କ’ଣ ବୋହିବ ଯେ। ଜଣେ ବ୍ୟକ୍ତି କାନର ଦୁଃଖ ବୁଝି ଲେଖିଛନ୍ତି, ‘ଏହି ସମୟରେ ଯଦି ସବୁଠୁ ଅଧିକ କେହି ଦୁଃଖୀ, ସେ ହେଉଛି କାନ’। ଚଷମାର ଦଣ୍ଡି, ଇୟର ଫୋନ୍ର ଘୁଣ୍ଡି ଆଉ ମାସ୍କର ଡୋରି। କାନ ନୁହେଁ ସତେଯେମିତି ହ୍ୟାଙ୍ଗର୍’। ପୁଣି କେହି କେହି ସାମାଜିକ ଗଣମାଧ୍ୟମରେ ସ୍ରଷ୍ଟାଙ୍କ ସୃଷ୍ଟିଙ୍କୁ ବି ପ୍ରଶଂସା କରିଛନ୍ତି। ଯଦି କାନ ନଥା’ନ୍ତା, ତେବେ କ’ଣ ହୋଇଥା’ନ୍ତା କହିଲେ? ମାସ୍କ ପିନ୍ଧବା ପାଇଁ ଆମକୁ ଦୁଇ ସାଇଡ୍ରେ ଦୁଇଟି କଣ୍ଟା ପୋତିବାକୁ ପଡ଼ିଥା’ନ୍ତା।
ସେହିପରି ଜଣେ ଝିଅର ମନର କଥା, ମାସ୍କ ସେମାନଙ୍କୁ ବେଶି ହଇରାଣ କରିଛି। ମାସ୍କ ଯୋଗୁଁ ଲିପ୍ଷ୍ଟିକ୍ର ଗୁରୁତ୍ବ କମି ଯାଇଛି। ଏଣୁ ଲିପ୍ଷ୍ଟିକ୍ର ଦୁଃଖକୁ ନେଇ ଅପେରା ପ୍ରସ୍ତୁତ ହୋଇଯାଇଛି, ‘କରୋନା ଗଣନାଟ୍ୟର ସୁପରହିଟ୍ ନାଟକ ମାସ୍କ ନେଇଗଲା ଲିପ୍ଷ୍ଟିକ୍ ଇଜ୍ଜତ...’। ଆପଣମାନେ ଭାବୁଥିବେ, ଏସବୁ କ’ଣ ବୋଲି...। ଅନ୍ୟ କିଛି ନୁହେଁ, ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା କରୋନାକୁ ନେଇ କିଛି ମଜାଦାର ପୋଷ୍ଟ। ରାଜଧାନୀବାସୀଙ୍କ ଭାରାକ୍ରାନ୍ତ ମନକୁ ହାଲ୍କା କରିବାକୁ ‘ସମ୍ବାଦ’ ପକ୍ଷରୁ ପ୍ରସ୍ତୁତ ଲକ୍ଡାଉନ୍ ଚୁଟ୍କୁଲାର ତୃତୀୟ ଭାଗ।
କ୍ବାରେଣ୍ଟାଇନ୍ (ସଙ୍ଗରୋଧ)
ମୌସୁମୀ କେରଳ ଯାଏଁ ପଳେଇ ଆସିଲାଣି
ମୁଁ ପଚାରିବାର ଥିଲା କି
ସେ ସିଧା ଆସିବ ନା ୧୪ ଦିନ ‘କ୍ବାରେଣ୍ଟାଇନ୍’ରେ ରହିକି ଆସିବ।
ଦେଶଦ୍ରୋହୀ
ହେ କେଶବ!
ଯେଉଁଭଳି ଭାବେ ମଦୁଆଙ୍କୁ ଅର୍ଥ ବ୍ୟବସ୍ଥାର ଯୋଦ୍ଧା ଭାବେ ଅଭିହିତ କରାଯାଉଛି...
ମୁଁ ପିଉ ନଥିବାରୁ ମତେ ଦେଶଦ୍ରୋହୀ ଭଳି ଅନୁଭୂତ ହେଉଛି
ହଁ ପାର୍ଥ!
ଯଦି ଏମିତି ପରିସ୍ଥିତିରେ ତୁମ ଭଳି ଲୋକମାନେ ମଦ କିଣିକି ଦାନ କର
ତେବେ ତୁମମାନଙ୍କୁ ମଧ୍ୟ ଏକ ଯୋଦ୍ଧା ଶ୍ରେଣୀରେ ପରିଗଣିତ କରାଯିବ।
ବାହାଘର ନିମନ୍ତ୍ରଣ କାର୍ଡ
ଆପଣ ସପରିବାର ନ ଆସି
ଏକଲା ଆସନ୍ତୁ
ମାସ୍କ ବିଲ୍କୁଲ ଉତାରିବେ ନାହିଁ
କୋଉ ଜିନିଷରେ ହାତ ଲଗାଇବେ ନାହିଁ
ଦୂରରେ ଛିଡ଼ା ହୋଇ ବରକନ୍ୟାଙ୍କୁ ଆଶୀର୍ବାଦ ଦେବେ
ଯାହା ଦେବା କଥା, ଅନ୍ଲାଇନ୍ ପେମେଣ୍ଟ କରି ସ୍କ୍ରିନ୍ ସଟ୍ ଦେଖାଇ ଦେବେ
୨ ନମ୍ବର କାଉଣ୍ଟରରୁ ଖାଦ୍ୟ ପୁଡ଼ିଆ ନେଇ ଘରକୁ ପଳାଇବେ
ଧ୍ୟାନ ଦିଅନ୍ତୁ, କେବଳ ଆପଣଙ୍କୁ
ବାଧ୍ୟ ହୋଇ ଡାକୁଛୁ।।
କରୀନା ଓ କରୋନା
ମ୍ୟାଡାମ୍: କରୋନା ଆଉ କରୀନାଙ୍କ ଭିତରେ କ’ଣ ଭିନ୍ନତା ରହିଛି?
ଛାତ୍ର: ମ୍ୟାଡାମ୍ କରୀନା କବଳରେ ସୈଫ୍ ଅଛନ୍ତି କିନ୍ତୁ କରୋନା କବଳରେ କେହି ବି ସେଫ୍(ସୁରକ୍ଷିତ) ନୁହନ୍ତି।।
ଏନ୍୯୫ ମାସ୍କ
୪ ମାସ ପରେ କୁହାଯାଉଛି
କି ଏନ୍୯୫ ମାସ୍କ ସୁରକ୍ଷିତ ନୁହେଁ
ତାହାଲେ କ’ଣ ମୁହଁକୁ ଲାମିନେଟ୍ କରିଦେବୁ?