କ୍ଷିତୀଶ ରାୟ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର: ଲକ୍ଡାଉନ୍, ସଟ୍ଡାଉନ୍ରେ ବଢ଼ିଛି ଆତ୍ମହତ୍ୟା ଉଦ୍ୟମ ମାମଲା। ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ଏଭଳି ମାମଲାରେ ଯଥେଷ୍ଟ ବୃଦ୍ଧି ଦେଖିବାକୁ ମିଳିଛି। ଏସବୁ ବ୍ୟକ୍ତିଙ୍କୁ ହସ୍ପିଟାଲର କାଜୁଆଲ୍ଟିରେ ଚିକିତ୍ସା କରାଯାଇଛି। ରାଜଧାନୀ ସମେତ ରାଜଧାନୀ ଆଖପାଖ ଜିଲ୍ଲା, ବିଶେଷକରି ନୟାଗଡ଼ ଅଞ୍ଚଳରୁ ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଉଦ୍ୟମ ମାମଲା ଆସିଥିବା ଜଣାପଡ଼ିଛି। ତେବେ ଏଥିରେ କେତେଜଣ ପ୍ରାଣ ହରାଇଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ।ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ସଂକ୍ରମଣ ରୋକିବା ଲାଗି ଲକ୍ଡାଉନ୍, ସଟ୍ଡାଉନ୍ ଭଳି କଠୋର ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ଲୋକମାନଙ୍କୁ ଘରେ ରହିବାକୁ ପଡ଼ିଥିଲା। ଦୋକାନବଜାରଠାରୁ ଆରମ୍ଭ କରି କାମଧନ୍ଦା, ମନୋରଂଜନ ସବୁ କିଛି ବନ୍ଦ ହୋଇଯାଇଥିଲା। ଗୋଟିଏ କି ଦୁଇଦିନ ନୁହେଁ, ଲୋକମାନଙ୍କୁ ମାସ ମାସ ଧରି ଘର ଭିତରେ ରହିବାକୁ ପଡ଼ିଥିଲା। ଯଦିଓ ଏହି ସମୟ ଭିତରେ ଲୋକମାନେ ପରିବାର ସହିତ ଅଧିକ ସମୟ ବିତାଇବାର ସୁଯୋଗ ପାଇଲେ, ମାତ୍ର ଏହାର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ଘରୋଇ ହିଂସା ବୃଦ୍ଧି ପାଇଥିଲା। ଲକ୍ଡାଉନ୍, ସଟ୍ଡାଉନ୍ ଆରମ୍ଭ ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଥିଲା।
ନୟାଗଡ଼ରୁ ସର୍ବାଧିକ, ୫ ମାସର ବିକଳ ଚିତ୍ର
ରାଜ୍ୟରେ ଲକ୍ଡାଉନ୍, ସଟ୍ଡାଉନ୍ ଆରମ୍ଭ ହେବାର ଠିକ୍ ୧ମାସ ପୂର୍ବରୁ ଅର୍ଥାତ୍ ଫେବ୍ରୁଆରି ମାସରେ କ୍ୟାପିଟାଲ ହସ୍ପିଟାଲକୁ ୮୭ଟି ମାମଲା ଆସିଥିଲା। ତେବେ ଜୁଲାଇରେ ୯୧, ଅଗଷ୍ଟରେ ୧୦୯, ସେପ୍ଟେମ୍ବର ୧୧୦, ଅକ୍ଟୋବର ୧୦୮, ନଭେମ୍ବରରେ ୧୧୯ ଆତ୍ମହତ୍ୟା ଉଦ୍ୟମ ମାମଲା ଆସିଛି। ମୁଖ୍ୟତଃ ପାରିବାରିକ କଳହ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ମାତ୍ର ଚଳିତ ମାସରେ ଆତ୍ମହତ୍ୟା ଉଦ୍ୟମ ମାମଲାରେ ହ୍ରାସ ଦେଖିବାକୁ ମିଳିଛି। ଏହାସହ ଏମ୍ସ ଭୁବନେଶ୍ବର ଓ ଅନେକ ଘରୋଇ ହସ୍ପିଟାଲକୁ ମଧ୍ୟ ଏଭଳି ମାମଲା ଯାଇଥିବା ବେଳେ ଏହାର ତାଲିକା ହସ୍ତଗତ ହୋଇପାରି ନାହିଁ। ତେଣୁ କ୍ୟାପିଟାଲ ହସ୍ପିଟାଲ, ଏମ୍ସ ଓ ଘରୋଇ ହସ୍ପିଟାଲର ମାମଲାକୁ ମିଶାଇଲେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ମାନସିକ ରୋଗ ବିଶେଷଜ୍ଞ ଡା. ପ୍ରଶାନ୍ତ ମହାପାତ୍ରଙ୍କ କହିବା କଥା, ଆତ୍ମହତ୍ୟା ଉଦ୍ୟମ କରାଯିବାର ଅନେକଗୁଡ଼ିଏ କାରଣ ରହିଛି। ମାନସିକ ଅବସାଦ ବା ଡିପ୍ରେସନ୍, ସ୍କିଜୋଫ୍ରେନିଆ, ନିଶା ସେବନ ଓ ହଠାତ୍ ପରିବାର ଭିତରେ କଳହ ଭଳି ଘଟଣା ଅନ୍ତର୍ଭୁକ୍ତ। ତେବେ ଚଳିତ ବର୍ଷ କରୋନା ସଂକ୍ରମଣ ପାଇଁ ଲୋକମାନଙ୍କୁ ଘରେ ରହିବାକୁ ପଡ଼ିଥିଲା। ଫଳରେ ପୂର୍ବରୁ ଲୋକମାନେ ଯେଉଁ ଦୈନନ୍ଦିନ କାର୍ଯ୍ୟ କରୁଥିଲେ ତାହା ବନ୍ଦ ହୋଇଯାଇଥିଲା। ମନ୍ଦିର, ପାର୍କ, ମନୋରଂଜନ, ଅଫିସ୍ ସବୁ ବନ୍ଦ ହେବା ଫଳରେ ଲୋକମାନଙ୍କୁ ଘରୁ କାମ କରିବାକୁ ପଡ଼ିଥିଲା।
ଯଦିଓ ଏଥିରେ ସ୍ବାମୀ-ସ୍ତ୍ରୀ କିମ୍ବା ପରିବାର ଅନ୍ୟ ସଦସ୍ୟଙ୍କ ସହିତ ସ୍ନେହ ବଢ଼ିଥିଲା, ହେଲେ ପାରିବାରିକ ହିଂସା ମଧ୍ୟ ବୃଦ୍ଧି ପାଇଥିଲା। କାମଧନ୍ଦା ବନ୍ଦ ହୋଇଯିବା ଫଳରେ ରୋଜଗାର କମିବା ଓ ବିଭିନ୍ନ ଘରୋଇ ଅଫିସ୍ରେ ଛଟେଇ ହୋଇଥିଲା। ଫଳରେ ଲୋକମାନଙ୍କ ମଧ୍ୟରେ ଆର୍ଥିକ ବୋଝ ପୂର୍ବ ତୁଳନାରେ ଯଥେଷ୍ଟ ବଢ଼ି ଯାଇଥିଲା। ଅଫିସ୍ ଯାଉଥିବା ଲୋକମାନଙ୍କ ଭିତରେ ଚିଡ଼ିଚିଡ଼ା ପଣ ବୃଦ୍ଧି ପାଇଥିବା ନଜରକୁ ଆସିଥିଲା। ସେହିପରି ପୂର୍ବରୁ ଯେଉଁ ମାନସିକ ରୋଗୀମାନେ ଚିକିତ୍ସିତ ହେଉଥିଲେ ସେମାନଙ୍କର ନିୟମିତ ହସ୍ପିଟାଲକୁ ଆସିବା ବନ୍ଦ ହୋଇଯାଇଥିଲା। ଏସବୁ କାରଣ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ ମାମଲା ବୃଦ୍ଧି ପାଇଥିବା ନେଇ ଡା.ମହାପାତ୍ର କହିଛନ୍ତି।
ବିଶିଷ୍ଟ ସାମାଜିକ କର୍ମୀ ନମ୍ରତା ଚଢ଼ା କହିଛନ୍ତି, ୧୦୦ ବର୍ଷ ପରେ ଏଭଳି ଏକ ମହାମାରୀ ଆସିଛି। ତେଣୁ ଏ ବିଷୟରେ ଆଜିର ସମୟରେ କେହି ବି ଅବଗତ ନ ଥିଲେ। ଲକ୍ଡାଉନ୍, ସଟ୍ଡାଉନ୍ ସହିତ ଖାପ ଖୁଆଇବା ସମସ୍ତଙ୍କ ପାଇଁ ସହଜ ନ ଥିଲା। ମାସ ମାସ ଧରି ଲୋକମାନେ ଘରେ ରହିବା ଫଳରେ ପାରିବାରିକ ହିଂସା ବୃଦ୍ଧି ପାଇଥିଲା। ଏହାସହ କାମଧନ୍ଦା ବନ୍ଦ ହେବା ଫଳରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ଲୋକମାନେ କ୍ଷତିଗ୍ରସ୍ତ ହୋଇଥିଲେ। ସେହିପରି ଲୋକମାନଙ୍କ ଜୀବନଶୈଳୀରେ ହଠାତ୍ ପରିବର୍ତନ ହୋଇ ଯାଇଥିଲା। ଯାହାକି ଆତ୍ମହତ୍ୟା ଉଦ୍ୟମ ଭଳି ମାମଲାକୁ ବଢ଼ାଇଥିଲା ବୋଲି ଶ୍ରୀମତୀ ଚଢ଼ା କହିଛନ୍ତି।