ଲକ୍‌ ଡାଉନ ଯୋଗୁଁ ଗାଈ, ମଇଁଷିଙ୍କ ପାଇଁ ସମସ୍ୟା ଉପୁଜିଲାଣି : ଘରୁ ତଡ଼ିବାକୁ ପ୍ରସ୍ତୁତ ହେଲେଣି ଚାଷୀ

ବାଲିପାଟଣା : କରୋନା ମୁକାବିଲା ଲାଗି ଚାରିଆଡ଼େ ଲକ୍‌ ଡାଉନ। ମଣିଷ ନିଜେ ଖାଇପିଇ ଘରେ ରହିବା କଷ୍ଟକର ହେଲାଣି। ଏହା ମଧ୍ୟଷର ଗାଈ ଓ ମଇଁଷି ରଖିଥିବା ଚାଷୀମାନେ ପ୍ରମାଦ ଗଣିଲେଣି। ଘରେ ପାଳିଥିବା ଏହି ଗୃହପାଳିତ ପଶୁଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ହେଉନଥିବାରୁ ତାଙ୍କୁ ଘରୁ ତଡ଼ିବାକୁ ଚାଷୀମାନେ ପ୍ରସ୍ତୁତ ହେଲେଣି। କିଛି ଦିନ ହେବ ଦୋକାନ ବଜାର ବନ୍ଦ ହୋଇଯାଇଛି। ଗାଁରୁ କ୍ଷୀର ନେଉଥିବା ବେହେରା ବି ଆଉ ଆସୁନାହିଁ। ସେପଟେ ବେହେରା ଛେନା ଓ ପନିର କରି ଲଗାଉଥିବା ଦୋକାନରେ ବି ତାଲା ଝୁଲୁଛି। କ୍ଷୀର ବିକ୍ରି ଏବେ ସମସ୍ୟା ହୋଇଛି। ଫଳରେ ଅନ୍ୟ ଉପାୟ ନପାଇ ଚାଷୀମାନେ ସାହି ପଡ଼ିଶାରେ କ୍ଷୀର ବାଣ୍ଟି ଦେଉଛନ୍ତି। କେହିକେହି ପନିର କରି କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଗାଈ ମଇଁଷିଙ୍କ ପାଇଁ ଖାଦ୍ୟ ଯୋଗାଇବାରେ ସମସ୍ୟା ଉପୁଜିଲାଣି। ପୂର୍ବରୁ କ୍ଷୀର ଲିଟର ୨୫/୩୦ ଟଙ୍କା ବିକ୍ରି କରୁଥିଲେ। ଚୋକଡ଼ ବସ୍ତା ୧୧୦୦ ରୁ ୧୨୦୦ ଟଙ୍କା ରେ କିଣିବାକୁ ପଡୁଛି। ଏଣେ କ୍ଷୀର ପୂର୍ବ ଦାମ୍ ଅପେକ୍ଷା ବହୁତ କମ ଦାମରେ ଚାଷୀ ବିକ୍ରି କରିବାକୁ ବାଧ୍ୟ ହେଉଛି।

ଏପରି ସ୍ଥିତି ଅଧିକ ଦିନ ଲାଗି ରହିଲେ ବାଧ୍ୟ ହୋଇ ଘରେ ବାନ୍ଧି ରଖି ପାପ କରିବା ଅପେକ୍ଷା ଛାଡିଦେବା ଶହେ ଗୁଣରେ ଭଲ ବୋଲି ଚାଷୀଙ୍କ ମୁହଁରୁ ଶୁଣିବାକୁ ମିଳିଲାଣି। ଅନ୍ୟ ପକ୍ଷରେ କ୍ଷୀର, ଛେନା, ପନିର କରି ଚଳୁଥିବା ଚାଷୀମାନେ ବି ଚିନ୍ତାରେ ପଡିଲେଣି।

ସମ୍ବନ୍ଧିତ ଖବର