ଦହିବରା, ଗୁପଚୁପ ବ୍ୟବସାୟୀ ହନ୍ତସନ୍ତ, ବୁଲା ବିକାଳି ସହାୟତା ପାଇବେ ତ?

ଭୁବନେଶ୍ବର : ନିର୍ମାଣ ଶ୍ରମିକଙ୍କୁ ଦେଢ଼ ହଜାର ଟଙ୍କା ମିଳିଲା। ଗରିବ ଲୋକମାନଙ୍କୁ ଚାଉଳ ଓ ହଜାରେ ଟଙ୍କା ମିଳିଲା। ମାତ୍ର ମଝିରେ ରହି ଧନ୍ଦି ହେଉଛନ୍ତି କ୍ଷୁଦ୍ର ବ୍ୟବସାୟୀ। ବେପାର ହେଉଥିଲା ବୋଲି ପେଟକୁ ଦାନା ଯାଉଥିଲା। ଗାଁରେ ଥିବା ପରିବାର ଚଳାଇବା ପାଇଁ ରାଜଧାନୀ ରାହା ପାଲଟିଥିଲା। ମାତ୍ର କରୋନା ସବୁ ବିଗାଡ଼ି ଦେଇଛି। ବିଶେଷକରି ଦହିବରା ଆଳୁଦମ ଓ ଗୁପଚୁପ୍‌ ବେପାରିମାନଙ୍କ ଅବସ୍ଥା ଏବେ କହିଲେ ନସରେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜଧାନୀକୁ ବେପାର ସ୍ଥଳ ଭାବେ ଆପଣାଇ ନେଇଥିବା ୬୦ରୁ ୭୦ ପ୍ରତିଶତ ବେପାରୀ ବାହାର ଅଞ୍ଚଳର। ସେମାନେ କୌଣସି ବସ୍ତି କିମ୍ବା କେଉଁଠାରେ ଘର ଭଡ଼ା ନେଇ ଚଳୁଥିଲେ। ମାତ୍ର ବେପାର ବନ୍ଦ ହେଇଯିବା ପରେ ଯେମିତି ସେମାନଙ୍କ ଜୀବନ ରଥ ଅଟକି ଯାଇଛି। ଅନେକ ଭାବିଥିଲେ ଅନ୍ୟ ରୋଗ ଭଳି କରୋନା ହଟିଯିବ। ତେଣୁ ଗାଁକୁ ନଯାଇ ଏଇଠି ପଡ଼ିରହିଲେ। ମାତ୍ର ଏବେ ଲକ୍‌ଡାଉନ ଅବଧି ବୃଦ୍ଧି ପାଇବା ପରେ ପ୍ରମାଦ ଗଣିଲେଣି। ଏମିତି କି କିଛି ବ୍ୟବସାୟୀ ଚାଉଳ ଗଣ୍ଡେ ପାଇଁ ମଧ୍ୟ ନିଜ ସଂଘ ପାଖରେ ନିବେଦନ କଲେଣି।

ଭୁବନେଶ୍ବର ଦହିବରା ଆଳୁଦମ ଓ ଗୁପ୍‌ଚୁପ୍‌ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କଠାରୁ ମିଳିଥିବା ତଥ୍ୟ ମୁତାବକ, ସମଗ୍ର ଓଡ଼ିଶାରେ ଗୁପଚୁପ ବେପାରୀଙ୍କ ସଂଖ୍ୟା ୨୪ ହଜାର ହୋଇଥିବା ବେଳେ ଭୁବନେଶ୍ବରରେ ୩ହଜାର ୫ଶହ। ସେହିଭଳି ସମଗ୍ର ରାଜ୍ୟରେ ଦହିବରା ଆଳୁଦମ ବ୍ୟବସାୟୀଙ୍କ ସଂଖ୍ୟା ୬ହଜାର ୫ଶହ ହୋଇଥିବା ବେଳେ ଭୁବନେଶ୍ବରରେ ସେମାନଙ୍କ ସଂଖ୍ୟା ୭୨୨। ତେଣୁ ମାସଯାକ ଖଟିଲେ ସେମାନେ ୧୫ରୁ ୨୦ ହଜାର ଟଙ୍କା ରୋଜଗାର କରନ୍ତି। ବାସ୍ତବରେ ଅଧିକାଂଶ ଏଇଠି ଘର ଭଡ଼ା ନେଇ ରହୁଥିବାରୁ ଏବଂ ସେମାନଙ୍କ ପରିବାର ଗାଁରେ ତାଙ୍କ ଉପରେ ନିର୍ଭରଶୀଳ ଥିବାରୁ ଏତିକି ଟଙ୍କା ଅଣ୍ଟେ ନାହିଁ। ମହାସଂଘର ସଭାପତି ପଦ୍ମନ ସାମଲଙ୍କ କହିବା ଅନୁଯାୟୀ, ଦହିବରା ଓ ଗୁପଚୁପ୍‌ ବ୍ୟବସାୟୀମାନେ ସଞ୍ଚି ନପାରିଲେ ବି ପେଟ ଚିନ୍ତା ନଥିଲା। ମାତ୍ର କରୋନା ଲକ୍‌ଡାଉନ ମାସେ ପୂରି ଯାଇଥିବାରୁ ଧୀରେଧୀରେ ସମସ୍ୟା ବଢ଼ି ଚାଲିଛି। ମାସେ କଷ୍ଟେ ମଷ୍ଟେ ଚଳି ଯାଇଥିଲେ ବି ଏବେ ଚଳିବା ମୁସ୍କିଲ୍ ହୋଇଗଲାଣି।

ଶ୍ରୀ ସାହୁ କହିଛନ୍ତି ଯେ ଯେଉଁମାନେ ଗୁପଚୁପ୍‌ ଓ ଆଳୁଦମ ଦହିବରା ବେପାର ସହ ସମ୍ପୃକ୍ତ ସେମାନଙ୍କ ମଧ୍ୟରୁ ୬୦ରୁ ୭୦ ପ୍ରତିଶତ ବାହାର ଅଞ୍ଚଳର। ତେଣୁ ସରକାରଙ୍କ କୌଣସି ସୁବିଧା ସେମାନେ ପାଇପାରୁ ନାହାନ୍ତି। ସେମାନଙ୍କ ମଧ୍ୟରେ ମାତ୍ର ୧୫ ପ୍ରତିଶତଙ୍କ ପାଖରେ ରାସନ କାର୍ଡ ଥିବାରୁ ସେମାନେ ଚାଉଳ ଓ ୧ ହଜାର ଟଙ୍କା ପାଇପାରିଛନ୍ତି। ମାତ୍ର ଅନ୍ୟମାନଙ୍କ ମୁଣ୍ଡ ଉପରେ ଏବେ ବି ଘରଭଡ଼ା, ଗାଁ’ରେ ରହୁଥିବା ପରିବାର ଚଳାଇବା ଚିନ୍ତା ଓ ପିଲାମାନଙ୍କ ପଢ଼ା ଚିନ୍ତାର ଖଣ୍ଡା ଝୁଲିଲାଣି। କିଛି ନହେଲେ ସରକାରଙ୍କ ପକ୍ଷରୁ ଯଦି ସେମାନଙ୍କୁ ଚାଉଳ ବି ଯୋଗାଇ ଦିଆଯାଇପାରନ୍ତା ତେବେ ସେମାନେ ଅନେକ ପରିମାଣରେ ଉପକୃତ ହୋଇପାରନ୍ତେ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସରକାର ଯେଉଁ ବୁଲା ବିକାଳି ବା ବ୍ୟବସାୟୀମାନଙ୍କୁ ୩ ହଜାର ଟଙ୍କା ଲେଖାଏ ଦେବେ ବୋଲି କହିଛନ୍ତି ସେଥିରେ ରାଜଧାନୀର ଏହି ୪ହଜାର ୨ଶହ ଗୁପ୍‌ଚୁପ୍‌ ଓ ଦହିବରା ଆଳୁଦମ ବ୍ୟବସାୟୀ ଅଛନ୍ତି ତ? ଯଦି ସରକାର ସେତିକି ଆଶ୍ବାସନା ଦିଅନ୍ତେ ଏବଂ ସେମାନେ ମଧ୍ୟ ସରକାରଙ୍କ ଏହି ସୁବିଧା ପାଇପାରନ୍ତେ ତେବେ ଖାଲି ହାତ ହୋଇ ଚିନ୍ତାରେ ଦିନ କାଟୁଥିବା ଏହି ବ୍ୟବସାୟୀମାନେ କିଛିଟା ଆଶ୍ବସ୍ତ ହୋଇପାରନ୍ତେ। ଶ୍ରୀ ସାହୁ ଏକଥା ବି କହିଛନ୍ତି, ରାଜ୍ୟସଭା ସାଂସଦ ସୁବାସ ସିଂହ ଆଳୁଦମ ଦହିବରା ବ୍ୟବସାୟୀ ସଂଘର ଉପଦେଷ୍ଟା ଥିବାରୁ ସେ ଆମମାନଙ୍କର ଏହି ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର