ଏ ବର୍ଷ ପା‌ଟିରେ ବାଜିବନି ଥଣ୍ଡା ଥଣ୍ଡା ଲସି

ଭୁବନେଶ୍ବର : ଦହି, ରାବିଡ଼ି, ଛେନା, ନଡ଼ିଆ, ଚିନି, ଚେରି, ବର୍ଣ୍ଣଭିଟା, ଖୁଆ, ପେଡ଼ା, କାଜୁ, କିସ୍‌ମିସ୍‌ ତିଆରି ଥଣ୍ଡା ଥଣ୍ଡା ଲସି କାହାକୁ ବା ପସନ୍ଦ ନୁହେଁ। ବିଶେଷ କରି ଖରା ଦିନେ ଏହା ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଥାଏ। ଖରାର ପ୍ରକୋପରୁ ରକ୍ଷା ପାଇଁ ଖରା ଦିନେ ମୃଦୁ ପାନୀୟର ଚାହିଦା ବୃଦ୍ଧି ପାଉଥିବା ବେଳେ ଏହି ଦେଶୀ ଥଣ୍ଡା ପାନୀୟର ସ୍ବତନ୍ତ୍ର ଆଦର ରହିଥାଏ। ଏହା କିଛି ‌ଲୋକଙ୍କୁ ସାମୟିକ ସମୟ ପାଇଁ ରୋଜଗାର ବି ଦେଇଥାଏ। ଲସିର ବିଭିନ୍ନ ଭେରାଇଟି ଥାଏ। ଯେପରି, ମାଟି ହାଣ୍ଡି ଲସି, ସୁଗାର ଫ୍ରି ଲସି, ରାବିଡି ଲସି ଆଦି ସହ ବିଭିନ୍ନ ପ୍ରକାର ଫଳ ରସ ବିକ୍ରି କରି ବେଶ୍‌ ଦୁଇ ପଇସା ଲାଭ କରି ପାରୁଥିଲେ କିଛି ବ୍ୟବସାୟୀ। କିନ୍ତୁ କରୋନା ଭୂତାଣୁ ସବୁ କିଛି ଠପ୍‌ କରିଦେଇଛି। କରୋନା ମହାମାରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଲସି ଦୋକାନୀଙ୍କ ଚଳିତ ବର୍ଷର ବେପ‌ାରରେ ସମ୍ପୂର୍ଣ୍ଣ ତାଲା ପକାଇ ଦେଇଛି ଏ ବିଦେଶୀ ଭୂତାଣୁ।

ମାର୍ଚ୍ଚ ମାସ ଆରମ୍ଭ ହେଉ ହେଉ ସହରର ଗଳି କନ୍ଦିରେ ଖୋଲିଯାଏ ଲସିର ଏକ ବିରାଟ ପସରା। କିଏ ମାଟି କୁଡ଼ୁଆରେ ଥଣ୍ଡା ଥଣ୍ଡା ଲସି ପରସି ଦେଇ ଗ୍ରାହକଙ୍କୁ ଆକର୍ଷିତ କରୁଥିଲା ତ’ ପୁଣି କିଏ ବିଭିନ୍ନ ବର୍ଗର ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଭିନ୍ନ ଭିନ୍ନ ବାଟ ବାଟ କରୁଥାନ୍ତି। ଛୋଟ ଛୋଟ ପିଲାମାନଙ୍କ ପାଇଁ ଆଇସ୍କ୍ରିମ୍‌ ଲସି, ସ୍ବାସ୍ଥ୍ୟ ସଚେତନ ଲୋକ ଓ ବୟସ୍କଙ୍କ ପାଇଁ ସୁଗାର ଫ୍ରି ଲସି ଆଦି କରି ଗ୍ରାହକଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଲସି ବ୍ୟବସାୟୀଙ୍କ ମଧ୍ୟରେ ଚାଲୁଥିଲା ଘମାଘୋଟ ପ୍ରତିଯୋଗିତା। କିନ୍ତୁ ଚଳିତ ବର୍ଷ ନା ପାଟିରେ ଟିକେ ଲସିର ସ୍ବାଦ ବାଜିଲା ନା ଲସି ବ୍ୟବସାୟୀଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା ଦେଖିବାକୁ ମିଳିଲା। ଲକ୍‌ଡାଉନ୍‌ ଯୋଗୁଁ ରାଜଧାନୀର ଲସି ଦୋକାନରେ ବି ଏକ ପ୍ରକାର ତାଲା ପଡ଼ିଯାଇଛି। ପ୍ରତିବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଖୋଲିଯାଉଥିବା ଲସି ଦୋକାନ ଚଳିତ ବର୍ଷ ଟିକେ ବିଳମ୍ବରେ ପଡ଼ିଥିଲା। ମାର୍ଚ୍ଚ ପ୍ରଥମ ଦୁଇ ସପ୍ତାହ ନିୟମିତ ବ୍ୟବଧାନରେ ବର୍ଷା ଲାଗି ରହିବାରୁ ପ୍ରାୟ ମାର୍ଚ୍ଚ ୧୫ ବେଳକୁ ରାଜଧାନୀରେ ଲସି ଦୋକାନ ସବୁ ଖୋଲି ଖୋଲି ଆସୁଥିଲା। କିନ୍ତୁ ୨/୪ ଦିନ ବେପାର ହୋଇଛି କି ନାହିଁ ପ୍ରଥମେ ୨୨ ତାରିଖରେ ଜନତା କଫ୍ୟୁ, ୨୩ ଆଡ଼କୁ ଭୁବନେଶ୍ବର ଲକ୍‌ଡାଉନ୍‌ ପରେ ପରେ ଭାରତ ଲକ୍‌ଡାଉନ୍‌ ଓ ଏବେ ପୁଣି ୩୦ ଯାଏ ଲକ୍‌ଡାଉନ୍‌ ସମୟସୀମା ବୃଦ୍ଧି ଲସି ବ୍ୟବସାୟୀଙ୍କୁ ମୁଣ୍ଡ‌ରେ ହାତ ଦେବାକୁ ବାଧ୍ୟ କରିଛି। ମେ’ ମାସ ସୁଦ୍ଧା ଏହି ପରିସ୍ଥିତି ଏତେଟା ସୁଧୁରିବାର ସମ୍ଭାବନା ନ ଥିବାରୁ ଚଳିତ ବର୍ଷ ଲସି ଦୋକାନ ଆଉ ଖୋଲି ହେବନି ବୋଲି ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି। ୨ ମାସ ଲସି ଦୋକାନ ଖୋଲି ୧ ଲକ୍ଷରୁ ଊର୍ଧ୍ବ ଟଙ୍କାର ବ୍ୟବସାୟ କରୁଥିବା ଲସି ବ୍ୟବସାୟୀଙ୍କ ରୋଜଗାରର ମେରୁଦଣ୍ଡକୁ କରୋନା ସମ୍ପୂର୍ଣ୍ଣ ଭାଙ୍ଗିଦେଇଛି।

ଚଳିତ ବର୍ଷ ବିଏମ୍‌ସି ପକ୍ଷରୁ ରାଜଧାନୀର ୩ଟି ଜୋନ୍‌ର ୩୧ଟି ସ୍ଥାନରେ ପ୍ରାୟ ୧୦୦ରୁ ଊର୍ଧ୍ବ ଲସି ବ୍ୟବସାୟୀଙ୍କୁ ଲସି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ପ୍ରାୟ ମାସେ ହେଲା ଦୋକାନ ଖୋଲା ଯାଇପାରୁ ନ ଥିବାରୁ କିଛି ବ୍ୟବସାୟୀ ଦୋକାନ ଉଠାଇ ନେବାକୁ ବାଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର