କି ପାପ କରିଛନ୍ତି ମଧ୍ୟବିତ୍ତ

କଷ୍ଟ ହେଲା ପରିବାର ଚଳାଇବା, ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର : ଘର ମାଲିକ ଭଡ଼ା ମାଗିଲେଣି। ରାସନ୍‌ ଯାହା ଥିଲା ସରି ଆସିଲାଣି। ଖଟିଲେ ଖାଉଥିଲୁ ଯେ ସେ ବାଟ ବି ବନ୍ଦ ହୋଇଗଲାଣି। ମୋଟର ସାଇକେଲ କିସ୍ତି କଟିବ ବୋଲି ମୋବାଇଲ୍‌ରେ ମେସେଜ୍‌ ଆସି ଗଲାଣି। ଲକ୍‌ଡାଉନ୍‌ ବଢ଼ି ଗଲାନି ଯେ ବୋଝ ମାଡ଼ି ବସିଲାଣି। ସରକାର ସବୁ ଛାଡ଼ କରିବାକୁ ନିର୍ଦ୍ଦେଶ ସିନା ଦେଇଦେଲେ, ହେଲେ ବାସ୍ତବରେ କ’ଣ ଘଟୁଛି, ତାହା ଅନୁଧ୍ୟାନ କଲେ ନାହିଁ।‌ ଲକ୍‌ଡାଉନ୍‌ରେ ଘରେ ରହୁଥିବା ଲୋକଙ୍କୁ ସରକାର ଯୋଦ୍ଧା କହି ଉତ୍ସାହିତ କରୁଛନ୍ତି। ସାମୂହିକ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ନେଉଥିବା ପଦକ୍ଷେପକୁ ମଧ୍ୟବିତ୍ତମାନେ ବି ମାନୁଛନ୍ତି। ମାତ୍ର ଏ ବିପତ୍ତି ସମୟରେ ମଧ୍ୟବିତ୍ତଙ୍କ କଥା ସରକାର ଓ ପ୍ରଶାସନ ଭୁଲି ଯାଇଛନ୍ତି। ଯେମିତି ସେମାନେ ସାବତ ପୁଅ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଘରଭଡ଼ା ଛାଡ଼ କିମ୍ବା ୩ ମାସ ପର୍ଯ୍ୟନ୍ତ କୋହଳ କରିବାକୁ ଘର ମାଲିକମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ମାତ୍ର ବାସ୍ତବ କଥା ଭିନ୍ନ। କିଛି ବ୍ୟକ୍ତି ଘର ଭଡ଼ା ଅସୁଲ କରିସାରିଲେଣି। ଦୂରରେ ଥିବା କିଛି ଘର ମାଲିକ ଇ-ପେମେଣ୍ଟ କରିଦେବାକୁ କହିସାରିଲେଣି। ଏହା ଆମେ କହୁନାହୁଁ, ବରଂ ଫୋନ୍‌ ଯୋଗେ ଆମକୁ ଏ ବିଷୟରେ ଅବଗତ କରିଛନ୍ତି ଘରେ ପଟ୍ଟଚିତ୍ର ଓ କାଠ କାମ କରୁଥିବା କିଛି କାରିଗର। ଘର ମାଲିକଙ୍କ ହାତମୁଠାରେ ଭଡ଼ାଟିଆଙ୍କ ଚୁଟି ଥିବାରୁ, କାଳେ ସେମାନେ ଏ ସମ୍ବନ୍ଧରେ ଜାଣିଦେବେ ତେଣୁ ନିଜ ନାମ ପ୍ରକାଶ ନ କରିବାକୁ ଅନୁରୋଧ କରିଥିଲେ। ସୁବ୍ରତ ବାଗ୍‌ଚୀ କହିଥିଲେ, ମଣିଷ ଲକ୍‌ଡାଉନ୍‌ରେ ଥିଲେ ହେଁ ନିଜ ମାନବିକତାକୁ ଲକ୍‌ଡାଉନ୍‌ କରିଦେବା ଉଚିତ ନୁହେଁ। ତେଣୁ ମାନବିକତା ଦୃଷ୍ଟିରୁ ଘର ମାଲିକମାନେ ଏ ସମ୍ପର୍କରେ ହିଁ ନିଷ୍ପତ୍ତି ନେଇପାରିବେ। ମାତ୍ର ଏବେ ବି ଅଧିକାଂଶ ଘର ମାଲିକ ଦୈନିକ ରୋଜଗାର କରି ଚଳୁଥିବା ଲୋକଙ୍କଠାରୁ ଘର ଭଡ଼ା ମାଗିବା ବେଳେ ଟିକେ ସଙ୍କୋଚ ଅନୁଭବ କରୁନାହାନ୍ତି।

ଯେଉଁମାନେ କୌଣସି କ୍ଷେତ୍ରରେ ଚାକିରି କରିଛନ୍ତି, ସେମାନଙ୍କ ଦରମା ମିଳିଥିବାରୁ ହୁଏତ ବହୁତ ବଡ଼ ସମସ୍ୟା ହୋଇନଥାଇପାରେ। ମାତ୍ର ହଜାର ହଜାର ଦୋକାନୀ ଏବେ ବି ଜାଣନ୍ତି ନାହିଁ, ସେମାନେ ଘର ଭଡ଼ା ଦେବେ କି ନାହିଁ। ଗୋଟେପଟେ ଦୋକାନ ଘରଭଡ଼ା ଅନ୍ୟପଟେ ସେମାନେ ଅନ୍ୟ ସ୍ଥାନରେ ପରିବାର ନେଇ ରହୁଥିବା ଘରର ଭଡ଼ା। ଜେରକ୍ସ, ଷ୍ଟେସନାରି, ପାନ, ଜଳଖିଆ, କସ୍‌‌ମେଟିକ୍‌ ଦୋକାନ କରି ଚଳୁଥିବା କ୍ଷୁଦ୍ର ବ୍ୟବସାୟୀମାନେ ଏବେ ବେଶି ଚିନ୍ତାରେ ପଡ଼ିଛନ୍ତି। ବିଶେଷକରି ୨୦ରୁ ୨୫ ହଜାର ଟଙ୍କା ଆୟ କରୁଥିବା ଏହି ବ୍ୟବସାୟୀମାନେ ଘରଭଡ଼ା ଦୁଇପଟରେ ଦେବା ପରେ ବିଦ୍ୟୁତ୍‌ ଦେୟ, ମୋବାଇଲ୍‌ ଦେୟ, ପିଲାଙ୍କ ଖର୍ଚ ମଧ୍ୟ ତୁଲାଇଥାଆନ୍ତି। ମାସକର ଚଳଣି ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରୁ ନଥିଲେ ବି ରାଜଧାନୀ ଭଳି ମହଙ୍ଗା ସହରରେ ଦୋକାନ ବନ୍ଦ ହେଇଯିବା ପରେ ଏବେ ବିନା ରୋଜଗାରରେ ଏ ସବୁର ଭରଣା ସହ କେମିତି ଗୁଜୁରାଣ ମେଣ୍ଟାଇବେ, ସେନେଇ ‌ଚିନ୍ତା ବଢ଼ିଗଲାଣି।

ପଟ୍ଟଚିତ୍ର କରି ଚଳୁଥିବା ରାଜ୍ୟ ପୁରସ୍କାର ବିଜେତା ଜିତେନ୍ଦ୍ର ପରିଡ଼ାଙ୍କର ବି ସମାନ ଦୁଃଖ। ତାଙ୍କ କହିବା ମୁତାବକ, ସେ ତାଙ୍କ ପତ୍ନୀ ଓ ଝିଅର ସହଯୋଗରେ ଯେଉଁ ପଟ୍ଟଚିତ୍ର ପ୍ରସ୍ତୁତ କରନ୍ତି, ସେଥିରୁ ମାସକୁ ୨୦ହଜାର ଟଙ୍କା ଆୟ ହୁଏ। ପୁରୁଣା ଭୁବନେଶ୍ବରରେ ଘରଭଡ଼ା ନେଇ ରହୁଥିବାରୁ ସେ ବାବଦରେ ୫ ହଜାର ଟଙ୍କା ଖର୍ଚ ହୁଏ। ମହଙ୍ଗା ସହରରେ ଖାଦ୍ୟପେୟଠୁ ନେଇ ଅନ୍ୟ ବିଲ୍‌ ଭରଣା କରିବା ବେଳକୁ ୯୦ଭାଗ ଶେଷ ହୋଇଯାଏ। ଏବେ ପୁଣି ମାର୍ଚ ୧୫ରୁ ଲୋକେ ଅର୍ଡର୍‌ ଦେଇଥିବା କାମ ବି ନେଉନାହାନ୍ତି। ସୋ’ରୁମ୍‌ ପକ୍ଷରୁ ଅର୍ଡର୍‌ ଥିବା ପଟ୍ଟଚିତ୍ର ମଧ୍ୟ ବିକ୍ରି ନହୋଇ ପଡ଼ି ରହିଛି। ତେଣୁ କଳାକୃତି ଥିଲେ ବି ଏବେ ବିକ୍ରିବଟା ନଥିବାରୁ କଷ୍ଟ ଲାଗିଲାଣି। ଆମକୁ ବି ସରକାରଙ୍କ ପକ୍ଷରୁ ସେପରି କୌଣସି ସହାୟତା ନାହିଁ। ଫଳରେ ଆଗକୁ କେମିତି ଚଳିବୁ, କାହାଠୁ ଧାର ଉଦ୍ଧାର ମାଗିଲେ କିଏ ଦେବ କି ନାହିଁ ସେଥିପାଇଁ ଚିନ୍ତା ମାଡ଼ି ବସୁଛି।

୨୨ଲକ୍ଷ ଗରିବ ନିର୍ମାଣ ଶ୍ରମିକଙ୍କୁ ଦେଢ଼ ହଜାର ଟଙ୍କା ମିଳିଲା। ୯୪ ଲକ୍ଷ ରାସନ୍‌ କାର୍ଡ ବାଲାଙ୍କୁ ହଜାରେ ଟଙ୍କା ସହ ରାସନ ମିଳିଲା। ବୁଲା ବିକାଳିଙ୍କୁ ୩ ହଜାର ଟଙ୍କା ମିଳିଲା। ୪୮ ଲକ୍ଷ ହିତାଧିକାରୀଙ୍କୁ ଏକତ୍ର ୪ମାସର ଭତ୍ତା ମିଳିଲା। ବୃଦ୍ଧ ଓ ନିରାଶ୍ରିତଙ୍କୁ ମାଗଣାରେ ଖାଦ୍ୟ ମିଳିଲା। ମାତ୍ର ରାଜଧାନୀ‌ରେ ଘରଭଡ଼ା ନେଇ ରହୁଥିବା ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ ମିଳିଲା କ’ଣ?

କଷ୍ଟ ହେଲା ପରିବାର ଚଳାଇବା, ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ
ଚନ୍ଦ୍ରଶେଖରପୁର : କରୋନାକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଖଟିଖିଆ ତଥା ଦିନମଜୁରିଆ ଶ୍ରେଣୀର ଲୋକମାନେ ଏହାଦ୍ବାରା ବେଶି ପ୍ରଭାବିତ ହେଉଛନ୍ତି। ଗୋଟିଏ ପଟେ କାମ ମିଳୁନଥିବା ବେଳେ ଅନ୍ୟପଟେ ସଞ୍ଚିତ ଧନ ସରିସରି ଆସୁଥିବାରୁ ସେମାନଙ୍କ ଆଖିକୁ ନିଦ ନାହିଁ। ଅଧିକାଂଶ ଏବେ ଭୋକ ଉପାସରେ ହନ୍ତସନ୍ତ ହେଉଛନ୍ତି। ଏପରି ଦୁର୍ଦ୍ଦିନ ଦେଇ ଗତି କରୁଥିବା ଏକ ଦମ୍ପତି ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଭଳି ଅଘଟଣ ଘଟିଛି ଚନ୍ଦ୍ରଶେଖପୁର ଅଞ୍ଚଳର ପଣ୍ଡାପାର୍କ ନୀଳାଦ୍ରିବହାର ଅଞ୍ଚଳରେ। ସ୍ଥାନୀୟ ଲୋକେ ଦମ୍ପତିଙ୍କୁ ଉଦ୍ଧାର କରିବା ସହ ଏ ସଂପର୍କରେ ଚନ୍ଦ୍ରଶେଖରପୁର ଥାନାକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଇବା ସହ ସେମାନଙ୍କର ପରିବାର ଭରଣପୋଷଣ ପାଇଁ ଥାନା ପକ୍ଷରୁ ଏକ ହଜାର ଟଙ୍କା ଓ କିଛି ଖାଦ୍ୟ ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦମ୍ପତି ଦିନମଜୁରିଆ ଭାବେ କାମ କରନ୍ତି। ମୂଲ ଲାଗି ଯାହା ରୋଜଗାର କରିଛନ୍ତି, ସେଇଥିରେ ତାଙ୍କର ଦୈନିକ ଗୁଜୁରାଣ ମେଣ୍ଟିଥାଏ। କିନ୍ତୁ ଲକ୍‌ଡାଉନ୍‌କୁ ୧୫ଦିନ ବିତିଥିବା ବେଳେ ନା ସେମାନଙ୍କ ପାଖରେ କାମ ଅଛି, ନା ପାଖରେ ପଇସା ଅଛି। ଅର୍ଥ ଅଭାବରୁ ଆଜି ଦମ୍ପତିଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଦୁହେଁ ମାନସିକ ଭାରସାମ୍ୟ ହରାଇବା ସହ ଏପରି ଚରମ ପଦକ୍ଷେପ ନେଇଥିଲେ। ଘର ନିକଟରେ ଥିବା ଏକ ଗଛରେ ରଶି ବାନ୍ଧି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର