କରୋନା କଟକଣା : ପୂଜା ସାମଗ୍ରୀ ବେପାର ମା‌ନ୍ଦା, ଦିନ‌କୁ ଦଶଟି ଦୀପ ବିକ୍ରି ହେଉନି

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ତାଲାବନ୍ଦ ଲାଗୁ ହେବା ପରଠାରୁ ପୂଜା ସାମଗ୍ରୀ ବେପାର ମାନ୍ଦା ପଡ଼ି ଯାଇଛି। ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ଥିବା ମନ୍ଦିର ନିକଟସ୍ଥ ପୂଜା ସାମଗ୍ରୀ ଦୋକାନୀମାନେ ହାତବାନ୍ଧି ବସିଛନ୍ତି। ବହୁ ସ୍ଥାନରେ ଦୋକାନ ବନ୍ଦ ହୋଇ ଯାଇଥିବାବେଳେ କିଛି କିଛି ସ୍ଥାନରେ ସକାଳେ ସଂଜେ ଖୋଲା ରହୁଛି। କିନ୍ତୁ ଯେଉଁଠି ଦୈନିକ ଶହଶହ ଦୀପ ବିକ୍ରି ହେଉଥିଲା, ଏବେ ସେଠି ଦଶଟି ଦୀପ ବିକିବା କାଠିକାର ପାଠ ହେଉଛି। ତାଲାବନ୍ଦ ଲାଗୁ ହେବା ପରେ ସହରର ମୁଖ୍ୟ ରାସ୍ତାରେ ଥିବା ମନ୍ଦିରମାନଙ୍କ ନିକଟ ପୂଜା ସାମଗ୍ରୀ ଦୋକାନ ପ୍ରାୟ ସବୁ ବନ୍ଦ ହୋଇ ଯାଇଥିଲା। ତେବେ କିଛି କିଛି ସ୍ଥାନରେ ସକାଳେ ଓ ସଂଜରେ ସେମାନେ ଘଣ୍ଟେ ଅଧ ଘଣ୍ଟା ପାଇଁ ଦୋକାନ ଖୋଲୁଥି‌ଲେ। ହାତଗଣତି କିଛି ଶ୍ରଦ୍ଧାଳୁ ଠାକୁର ଦର୍ଶନ କରୁଥିଲେ। କିଣା ଫୁଲ ମିଳୁନଥିବାରୁ କେବଳ ମନ୍ଦିରରୁ ଦୀପ ଓ ଧୂପ ସହିତ କିଛି ଭୋଗ କିଣି ଲୋକେ ଠାକୁର ଦର୍ଶନ କରୁଥିଲେ। ମାତ୍ର ଏବେ ଧୀରେ ଧୀରେ ସେହି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବି କମିବାରେ ଲାଗିଛି। ପୁଲିସ କଟକଣା ବଢ଼ିଥିବାରୁ ଲୋକେ ଆଉ ଘରୁ ଗୋଡ଼ କାଢ଼ୁନାହାନ୍ତି କି ଦୋକାନୀମାନେ ଦୋକାନ ଖୋଲିବାକୁ ସାହସ କରୁନାହାନ୍ତି। ଖଣ୍ଡଗିରି ଅଞ୍ଚଳରେ ପାତ୍ରପଡ଼ା ଶନିମନ୍ଦିର, କୋଳଥିଆ ଜଗନ୍ନାଥ ମନ୍ଦିର ଓ ଧର୍ମ ବିହାର ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁ ସଂଖ୍ୟା ହ୍ରାସ ପାଇଛି। ପୂଜା ସାମଗ୍ରୀ ଦୋକାନ କରିଥିବା ମନୋଜ ସାହୁଙ୍କ ସୂଚନାନୁସାରେ ତାଲା ବନ୍ଦ ପରେ ଦିନେ ଦୁଇ ଦିନ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସିବା କମିନଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ କଟକଣା ଜାରି ହେବା ପରେ ଶ୍ରଦ୍ଧାଳୁମାନେ ଆସିବା କମିଗଲା। ପୂର୍ବରୁ ସେ ଦୈନିକ ଶହେ ଦୀପ ବିକୁଥିଲେ, ଏବେ ମାତ୍ର ଦଶଟି ବିକିବା ସମ୍ଭବ ହେଉନାହିଁ। ଯେଉଁଠି ଦୈନିକ ଦୁଇ କାନ୍ଧି କଦଳୀ ବିକ୍ରି ହେଉଥିଲା, ଏବେ ଅଧ କାନ୍ଧି ବି ଯାଉନାହିଁ। ବାହାରୁ ଫୁଲ ଆସିବା ବନ୍ଦ ହୋଇ ଯାଇଥିବାରୁ ସେ ବାବଦ ଆୟ ଠପ୍।

ଅପରପକ୍ଷେ ନିୟମିତ ମନ୍ଦିରକୁ ଯାଉଥିବା ଲୋକମାନେ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି। କିଣା ଫୁଲ ମିଳୁନି, ପୂଜା ସାମଗ୍ରୀ ଦର ବୃଦ୍ଧି ପାଇଛି। ବହୁ ସମୟରେ ଭୋଗ ଦୋକାନ ବନ୍ଦ ଥିବାରୁ ମନ୍ଦିରରେ କେବଳ ମୁଣ୍ଡିଆ ମାରି ଫେରିବାକୁ ପଡ଼ୁଛି। ତେଣୁ ଏମିତି ସ୍ଥିତିରେ ମନ୍ଦିର ନ ଯାଇ ଘରେ ଠାକୁରଙ୍କୁ ଡାକିବା ଭଲ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର