ଚିନ୍ତାରେ କୋରିୟର ବୟ : ପଡ଼ି ରହିଛି ପାର୍ସଲ, ଲୋକଙ୍କ ପାଇଁ ଅପହଞ୍ଚ, ଗାଡ଼ି ଚାଲିଲେ କୋରିୟର ଚାଲିବ

ଭୁବନେଶ୍ବର : କାନ୍ଧ ପୀଡ଼ା ପାଇଁ ମୁଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲି। ଯେଉଁ ନିର୍ଦିଷ୍ଟ ମେଡିସିନ୍‌ ଖାଉଥିଲି, ତାହା ବି କେବଳ ସେଇ ହସ୍ପିଟାଲ୍‌ ପରିସରସ୍ଥ ମେଡିସିନ ଦୋକାନରେ ଉପଲବ୍ଧ ହେଉଥିଲା। ମୋ ପୁତୁରା ସେଠୁ କୋରିୟରରେ ସେ ମେଡିସିନ ପଠେଇ ଦେଉଥିଲା। ଯେବେଠୁ ଲକ୍‌ଡାଉନ ହୋଇଛି, ମେଡିସିନ ନ ପାଇ ଯନ୍ତ୍ରଣା ପାଉଛି। ନିଜେ ଯାଇ ମେଡିସିନ ଆଣିବା ସମ୍ଭବ ହେଉ ନାହିଁ। ଲକ୍‌ଡାଉନ ଯୋଗୁଁ ଘରୁ କେହି ଯାଇ ମେଡିସିନ ଆଣିବା ବି ଅସମ୍ଭବ ହୋଇପଡ଼ିଛି।

ଦୀର୍ଘଦିନ ହେଲା ମେଡିସିନ ପାଇ ନ ପାରି ଯନ୍ତ୍ରଣା ଭୋଗୁଥିବା ପୁରୀ ସେନାପତି ବଗିଚା ଅଞ୍ଚଳର ପ୍ରଫୁଲ୍ଲ ବେହେରା ବଖାଣିଛନ୍ତି ଲକ୍‌ଡାଉନର ଏହି ଯନ୍ତ୍ରଣା କଥା। କୋରିୟର ବ୍ୟବସ୍ଥା ବନ୍ଦ ରହିଥିବା ଯୋଗୁଁ ଯେ କେବଳ ପ୍ରଫୁଲ୍ଲଙ୍କ ଭଳି ବ୍ୟକ୍ତି ହନ୍ତସନ୍ତ ହେଉଛନ୍ତି ତାହା ନୁହେଁ, ବରଂ ହଜାର ହଜାର କୋରିୟର ବୟଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କିଛି ବ୍ୟକ୍ତି ଲକ୍‌ଡାଉନର କିଛିଦିନ ପୂର୍ବରୁ ଯେଉଁସବୁ ପାର୍ସଲ ପଠାଇଥିଲେ ତାହା ବି କୋରିୟର ସଂସ୍ଥାରେ ପଡ଼ି ରହିଛି। ଫଳରେ ଲୋକେ ଅତ୍ୟାବଶ୍ୟକ ମେଡିସିନ ବି ପାଇପାରି ନାହାନ୍ତି।

ଲକ୍‌ଡାଉନ ଅବଧି ମଧ୍ୟରେ ସରକାର କେବଳ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପାଇଁ ଅନୁମତି ଦେଇଥିବା ବେଳେ ପରିବହନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ କୋରିୟର ବ୍ୟବସ୍ଥା ଠପ୍‌ ହୋଇଯାଇଛି। ଫଳରେ କୋରିୟର ବୟ ଭାବେ ପୂର୍ଣ୍ଣ ଓ ଆଂଶିକ ସମୟ କାମ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟକ୍ତିଙ୍କୁ ନାକେଦମ ହେବାକୁ ପଡ଼ିଛି। ଡେଲିଭରି ପାଇଁ ପାର୍ସଲ ଆସୁ ନ ଥିବାରୁ ସେମାନେ ଘରେ ବସି ରହିଛନ୍ତି। ଫ୍ଲିପକାର୍ଟ ଓ ମିନ୍ତ୍ରାରେ ମାନବ ସମ୍ବଳ ବିଭାଗରେ କାର୍ଯ୍ୟରତ ସେକ୍‌ ସଲାମ କହିଛନ୍ତି, ଆମର କେବଳ ୬ଶହରୁ ଅଧିକ ପିଲା କୋରିୟର ପାର୍ସଲ ନେଇ ଘରେ ପହଞ୍ଚାନ୍ତି। କିଛି ବ୍ୟକ୍ତି ପୂର୍ଣ୍ଣ ଦରମା ଆଧାରରେ ରହିଥିବା ବ‌େଳେ କିଛି ବ୍ୟକ୍ତି ପାର୍ସଲ ପିଛା ଟଙ୍କା ନେଇ କାମ କରନ୍ତି। ଜଣେ ବ୍ୟକ୍ତି ଅନ୍ୟୂନ ୪୦ଟି ପର୍ଯ୍ୟନ୍ତ ପାର୍ସଲ ଡେଲିଭରି ଦିଅନ୍ତି। ଫଳରେ ସେମାନେ ୬ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରନ୍ତି। କିନ୍ତୁ ଯେବେଠୁ ଲକ୍‌ଡାଉନ ହେଇଛି, ସେମାନେ ହାତ ବାନ୍ଧି ବସି ରହିଛନ୍ତି। ଟଙ୍କାଟିଏ ରୋଜଗାର ନ ଥିବା ବେଳେ ବାହାରୁ ଆସି ଭଡ଼ାରେ ରହୁଥିବା ପିଲାମାନେ ନାନା ଆର୍ଥିକ ସଂକଟରେ ପଡ଼ିଛନ୍ତି। ଏପରିକି ଘର ଭଡ଼ା ବି ଦେବା ସମ୍ଭବ ହୋଇପାରୁ ନାହିଁ।

ଏନେଇ ସ୍ଥାନୀୟ କୋରିୟର ସଂସ୍ଥା ‘ସ୍କାଏ କିଙ୍ଗ୍‌’ର ପ୍ରବନ୍ଧକ ଲକ୍ଷ୍ମୀଧର ମାର୍ଥା କହିଛନ୍ତି, ଆମ କୋରିୟର ସଂସ୍ଥାରେ ୪୨ ଜଣ ପିଲା କାମ କରନ୍ତି। ସେମାନେ ଦୈନିକ ୨ହଜାରରୁ ୨୫ଶହ ପର୍ଯ୍ୟନ୍ତ ପାର୍ସଲ ନେଇ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପହଞ୍ଚାଇ ଥାଆନ୍ତି। ଆମ ଭଳି କ୍ଷୁଦ୍ର କୋରିୟର ସଂସ୍ଥାର କୋରିୟର ଯା’ଆସର ସୂତ୍ର ହେଉଛି ବସ୍‌, ଟ୍ରେନ ଓ ଫ୍ଲାଇଟ୍‌। ତେଣୁ ଏସବୁ ବନ୍ଦ ରହିଥିବାରୁ କୌଣସି ପାର୍ସଲ ଆସୁନାହିଁ କି ଯାଇପାରୁନାହିଁ। ତେଣୁ କୋରିୟର ବୟମାନେ ଘରେ ବସି ରହିବା ପାଇଁ ଏକରକମ ବାଧ୍ୟ ହୋଇଛନ୍ତି। କେବଳ ପୂର୍ବରୁ ଯେଉଁ ପାର୍ସଲଗୁଡ଼ିକ ପହଞ୍ଚି ସାରିଥିଲା, ଯଦି ସେ ସମ୍ପର୍କରେ କେହି ଫୋନ କରି ମଗାଉଛନ୍ତି ସେଗୁଡ଼ିକ କେବଳ ଅତ୍ୟାବଶ୍ୟକ କ୍ଷେତ୍ରରେ ନେଇ ଦେବାକୁ ପଡ଼ୁଛି। ଡିଟିଡିସି ଏକ ବୃହତ୍‌ ସଂସ୍ଥା ହୋଇଥିବାରୁ ଏବଂ ତା’ର ନିଜସ୍ବ ପରିବହନ ବ୍ୟବସ୍ଥା ଥିବାରୁ ସେମାନଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ବିଶେଷ ନ ଥାଇପାରେ। ମାତ୍ର ଅନେକ ‌କ୍ଷୁଦ୍ର କୋରିୟର ସଂସ୍ଥା କ୍ଷତିଗ୍ରସ୍ତ ହୋଇଛନ୍ତି। ସେଥିପାଇଁ କୋରିୟର ବୟ ଭାବେ କାମ କରୁଥିବା ହଜାର ହଜାର ପିଲା ବେକାର ହୋଇ ବସି ରହିଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍ଗିନ ହୋଇପଡ଼ିଛି। ଘର ଭଡ଼ା ଦେଇ ଏଠାରେ ଜୀବିକା ନିର୍ବାହ ସହ ଘରକୁ ପଇସା ପଠାଉଥିବା ବ୍ୟକ୍ତିବିଶେଷ ଉପାୟଶୂନ୍ୟ ହୋଇ ଗଲେଣି। ଅନ୍ତତଃ ଯଦି ପଞ୍ଜୀକୃତ କୋରିୟର ସଂସ୍ଥାର କୋରିୟର ବୟମାନଙ୍କୁ ସରକାରୀ ସ୍ତରରୁ କିଛି ସହାୟତା ପ୍ରଦାନ କରାଯାଇ ପାରନ୍ତା ତେବେ ଚିନ୍ତାରେ କାଳାତିପାତ କରୁଥିବା ଏହି ବ୍ୟକ୍ତିମାନେ ରାହା ପାଇଯାଆନ୍ତେ।

ସମ୍ବନ୍ଧିତ ଖବର