ଭୁବନେଶ୍ବର: ଲକ୍ଡାଉନ ଭୟ ସହିତ ରୋଜଗାର ମିଳିବା ବନ୍ଦ ହେଲାଣି। ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ ୫୦ ବଙ୍ଗାଳୀ ପ୍ରବାସୀ ଶ୍ରମିକ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ଦିଘା ଦେଇ ନିଜ ଘରକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ଭୁବନେଶ୍ବର ସହିତ କଳାହାଣ୍ଡି, ଝାରସୁଗୁଡ଼ା, ହାଇଦ୍ରାବାଦରେ ରହି କାମ କରୁଥିବା ଶ୍ରମିକ ରହିଛନ୍ତି। ବର୍ତ୍ତମାନ ବାହାର ରାଜ୍ୟକୁ ବସ ସେବା ବନ୍ଦ ରହିଛି, ଏହା ସତ୍ତ୍ବେ ବସଟି କିଭଳି ଗଲା ଏହାକୁ ନେଇ ସ୍ପଷ୍ଟ କାରଣ ଜଣା ପଡ଼ିନାହିଁ।
ଗତବର୍ଷ ଲକ୍ଡାଉନରେ ଯେଉଁଭଳି କଷ୍ଟ ଭୋଗିଛୁ, ଭୁଲିବାର ନାହିଁ। ଅଖିଆ-ଅପିଆ ରହିବାକୁ ପଡ଼ିଲା, ସେଥିରେ ପୁଣି ପୁଲିସ ମାଡ଼। ଏବେ ସପ୍ତାହାନ୍ତ ସଟ୍ଡାଉନ ଘୋଷଣା ହୋଇଥିବା ବେଳେ ଏହା ୧୫ ଦିନ କିମ୍ବା ଏକ ମାସର ହୋଇଯାଇ ପାରେ। ତେଣୁ ଅଧିକ ଟଙ୍କା ଦେଇ ଯାତ୍ରା କରିଥିବା କହିଛନ୍ତି ଅଧିକାଂଶ। ଖାମନଗରରେ ରାଜମିସ୍ତ୍ରି କାର୍ଯ୍ୟ କରୁଥିବା ହବିବ(୨୫) କହିଛନ୍ତି, ୨ ଦିନ ହେଲା କାର୍ଯ୍ୟ ବନ୍ଦ ହୋଇଗଲା। ଆଗକୁ ଅନିଶ୍ଚିତ ପରିସ୍ଥିତି ଯୋଗୁଁ ୮ ଜଣ ଏକାଠି ଘରକୁ ଫେରିଯାଉଛନ୍ତି। ଗତରାତିରେ ନିଜର ୭ ଜଣ ସାଥୀଙ୍କ ସହିତ ହାଇଦ୍ରାବାଦରୁ ଭୁବନେଶ୍ବର ପହଞ୍ଚିଥିବା ମାଲଦାର ଶ୍ୟାମ ମଣ୍ଡଳ(୫୦) କହନ୍ତି, ପୂର୍ବର ଅଭିଜ୍ଞତା ତାଙ୍କୁ ଅନେକ କଥା ଶିଖାଇ ଦେଇଛି। ନିଜ ଅଞ୍ଚଳର କାମ ମିଳୁନି ବୋଲି ଜାନୁଆରି ମାସରେ ହାଇଦ୍ରାବାଦ ଯିବାକୁ ହେଲା। ୨୦୨୦ର ସ୍ଥିତି ଯୋଗୁଁ ଆଉ ବିଶ୍ବାସ ହେଉନି। କଳାହାଣ୍ଡି ଜିଲ୍ଲା ମୁନିଗୁଡ଼ାର ସୋନୁ ମଲ୍ଲିକ କହିଛନ୍ତି, ଗତ ମାସ ସେ କଳାହାଣ୍ଡି ଯାଇଥିଲେ। ଆଶା ଥିଲା, ରୋଜଗାର କରିବେ କିନ୍ତୁ ପୁଣି ୨୦୨୦ର ପୁନରାବୃତ୍ତି ତେଣୁ ତାଙ୍କ ସମେତ ୪ ଜଣ ସାଥୀ କଳାହାଣ୍ଡିରୁ ଭୁବନେଶ୍ବର ପହଞ୍ଚିଛନ୍ତି ଏଠୁ ପଶ୍ଚିମବଙ୍ଗର ମହନ୍ତପୁର ଯିବେ। ୨୯ ତାରିଖ ହେବାକୁ ଥିବା ଭୋଟ ଗ୍ରହଣ ମଧ୍ୟ ଫେରିଯିବାର ଅନ୍ୟତମ କାରଣ ବୋଲି ସମସ୍ତେ କହିଛନ୍ତି।
ଦେଢ଼ ବର୍ଷ ହେଲା ମିଳିନି ରାଜମିସ୍ତ୍ରିଙ୍କ ୫୩ ହଜାର
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ରାଜମିସ୍ତ୍ରି କାର୍ଯ୍ୟ କରୁଥିବା ବଙ୍ଗାଳୀ ପ୍ରବାସୀ ଶ୍ରମିକ ଜେଲୁ ମଲ୍ଲିକ କହନ୍ତି, କରୋନା ଆଳରେ ପ୍ରାପ୍ୟର ୫୩ ହଜାର ଟଙ୍କା ମିଳିନାହିଁ। ଲକ୍ଡାଉନ ଆଶଙ୍କା ଯୋଗୁଁ ବାଧ୍ୟ ହୋଇ ଘରକୁ ଫେରି ଯାଉଛନ୍ତି। ସେହି ଟଙ୍କା ପାଇବେକି ନାହିଁ ଏହାକୁ ଅନିଶ୍ଚିତତା ମଧ୍ୟରେ ଅଛନ୍ତି। ପଶ୍ଚିମବଙ୍ଗ ବରଫଖାନା ଗାଁର ଜେଲୁ କହନ୍ତି, ତାଙ୍କ ଗାଁର ଅଧିକାଂଶ ବ୍ୟକ୍ତି ଓଡ଼ିଶାର ବିଭିନ୍ନ ସ୍ଥାନରେ ନିର୍ମାଣ ଶ୍ରମିକ ଭାବେ କାମ କରୁଛନ୍ତି। ଗାଁର ଠିକାଦାରମାନେ ସେମାନଙ୍କୁ ଏଠାକୁ ଆଣନ୍ତି। ଗତବର୍ଷ ମଧ୍ୟ ଘର ପାଇଁ ଟଙ୍କା ଆବଶ୍ୟକ ଥିଲା, କିନ୍ତୁ ଠିକାଦାର ଟଙ୍କା ଦେଲା ନାହିଁ। ବାଧ୍ୟ ହୋଇ ଫେରିବାକୁ ହେଲା। ଫେରି ଆସିଲେ ବକେୟା ପ୍ରାପ୍ୟ ମିଳିବ ବୋଲି ଠିକାଦାର ଆଶ୍ବାସନା ଦେବା ପରେ ଜାନୁଆରି ମାସରେ ଆସିଲେ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଦେଢ଼ ବର୍ଷର ଟଙ୍କା ମିଳିଲା ନାହିଁ। ଠିକାଦାରକୁ ପଚାରିଲେ ବିଲଡ୍ର ଟଙ୍କା ଦେଉନଥିବା କହୁଛି। ଏକୁଟିଆ ତାଙ୍କର ନୁହେଁ ତାଙ୍କ ଭଳି ୧୫ ଶ୍ରମିକଙ୍କ ଲକ୍ଷାଧିକ ଟଙ୍କା ଠିକାଦାର ଦେଇ ନାହିଁ। ଲକ୍ଡାଉନ ଆଶଙ୍କାରେ ବାଧ୍ୟ ହୋଇ ଘରକୁ ଫେରି ଯାଉଛନ୍ତି। ଗତରାତିରେ ଅନ୍ୟମାନଙ୍କ ସହିତ ସେମାନେ ଏଠାରେ ପହଞ୍ଚିଥିଲେ।