ଲକ୍‌ଡାଉନ୍‌ରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା: ମହିଳା କମିସନରେ ହାଜର ହେଲେନି ଓଟିଭି ଏମ୍‌ଡି

୫ ତାରିଖରେ ସାନି ହାଜର ପାଇଁ ନୋଟିସ

ଭୁବନେଶ୍ବର: ଆଜି ବି ମହିଳା କମିସନ୍‌ଙ୍କ ନିକଟରେ ହାଜର ହେଲେନି ଓଟିଭିର ପରିଚାଳନା ନିର୍ଦ୍ଦେଶିକା (ଏମ୍‌ଡି) ଜାଗିମଙ୍ଗତ ପଣ୍ଡା। ଲକ୍‌ଡାଉନ୍‌ରେ ରାଜଧାନୀ‌ରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିସନ୍‌ଙ୍କ ନିକଟରେ ହାଜର ହେବା ପାଇଁ ଶ୍ରୀମତୀ ପଣ୍ଡାଙ୍କୁ ଡିସିପି ସମନ କରିଥିଲେ। ହାଜର ହେବା ପାଇଁ ଅକ୍ଟୋବର ୧ ତାରିଖ, ପୂର୍ବାହ୍ନ ୧୧ଟା‌‌ରେ ସମୟ ଧାର୍ଯ୍ୟ ହୋଇଥିଲା, କିନ୍ତୁ ସେ ହାଜର ହୋଇନଥିଲେ। ଶ୍ରୀମତୀ ପଣ୍ଡାଙ୍କ ବଦଳରେ ତାଙ୍କ ଓକିଲ ଓ ଲୋକସମ୍ପର୍କ ଅଧିକାରୀ କମିସନ୍‌ରେ ହାଜର ହୋଇଥିଲେ। ଏହାକୁ ନେଇ କମିସନ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଜି କାହିଁକି ହାଜର ହେଲେନି, ସେ ନେଇ ଲିଖିତ ଉତ୍ତର ରଖିବାକୁ ଶ୍ରୀମତୀ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କମିସନ୍‌ର ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି, ନାବାଳିକାକୁ ନ୍ୟାୟ ଦେବା ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ହେଲେ ଶ୍ରୀମତୀ ପଣ୍ଡାଙ୍କୁ ଜେରାର ଆବଶ୍ୟକତା ରହିଛି। କିନ୍ତୁ ନିଜେ ହାଜର ହେଉନଥିବାରୁ ସମସ୍ୟା ଉପୁଜିଛି। ତେଣୁ ପୁଣିଥରେ ୫ ତାରିଖରେ ତାଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରାଯାଇଛି। ଉକ୍ତ ଦିନ ଯଦି ସେ ନିଜେ ହାଜର ନ ହେବେ, ତାହାର ଯଥେଷ୍ଟ ପୂର୍ବରୁ କମିସନ୍‌ଙ୍କୁ ଅବଗତ କରାଇବେ। ତାଙ୍କ ପାଇଁ କିଏ ହାଜର ହେବେ, ସେ ନେଇ ମଧ୍ୟ ଲିଖିତ ଭାବେ ଜଣାଇବେ। ଅନ୍ୟପଟେ ପୀଡ଼ିତାଙ୍କ ଓକିଲ ଭାଗ୍ୟବତୀ ରାଉତରାୟ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଭଳି ବିଳମ୍ବ ଜାଣି ଜାଣି କରାଯାଉଥିବାରୁ ପୀଡ଼ିତା ନ୍ୟାୟ ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନାବାଳିକା ଦୁଷ୍କର୍ମ ନେଇ ଗତ ଅଗଷ୍ଟ ୩୦ରେ ମହିଳା ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୁଲିସ। ଏଥିରେ ଓଟିଭି କର୍ମଚାରୀ, ସୁରକ୍ଷାକର୍ମୀ ଓ ପୁଲିସ କର୍ମଚାରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା। ଝିଅକୁ ଦୁଷ୍କର୍ମ ନେଇ ଓଟିଭି ଏମ୍‌ଡିଙ୍କୁ ପୀଡ଼ିତାଙ୍କ ମା’ ଫୋନ୍ ଯୋଗେ ଜଣାଇଥିଲେ। କିନ୍ତୁ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବା ସହ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିଲେ ବୋଲି ଗତ ୧୩ ତାରିଖରେ ପୀଡ଼ିତାଙ୍କ ମା’ ମହିଳା କମିସନ୍‌ ଅଧ୍ୟକ୍ଷାଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ଏଥିସହ ସେ ଫୋନ ବାର୍ତ୍ତାଳାପର ଅଡିଓ ଦେଇଥିଲେ। ଏହାପରେ କମିସନ୍‌ ଓଟିଭି ଏମ୍‌ଡିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନୋଟିସ୍ ଜାରି କରିଥିଲେ। ଶ୍ରୀମତୀ ପଣ୍ଡା କମିସନ୍‌ରେ ହାଜର ହୋଇଥିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଦର୍ଶାଇ ଚାଲି ଯାଇଥିଲେ। ପରେ ଆଜି ପୁଣିଥରେ ହାଜର ହେବା ପାଇଁ ଭୁବନେଶ୍ୱର ଡିସିପିଙ୍କ ଜରିଆରେ ମହିଳା କମିସନ୍‌ ସମନ୍‌ କରିଥିଲେ।

ସମ୍ବନ୍ଧିତ ଖବର