ଲକ୍‌ଡାଉନ ଦେଇଛି ସୁଯୋଗ, ୟୁ-ଟ୍ୟୁବ୍ ପାଲଟିଛି ଗୁରୁ

ପୁରୁଣା ଭୁବନେଶ୍ୱର: କରୋନାର ଦ୍ବିତୀୟ ଲହର ଲକ୍‌ଡାଉନ ସମୟରେ ଛୋଟ ପିଲାମାନେ ଘରେ ଖେଳୁଛନ୍ତି ତ’ ଆଉ କେହି ଟିଭି ଦେଖି କିମ୍ବା ସାପ ଶିଡ଼ି ଖେଳି ସମୟ ବିତାଉଛନ୍ତି। ତେବେ ଘରେ ରହି ଅନ୍ୟ କିଛି ଶିଖିବାକୁ ମିଳୁନଥିବା ବେଳେ କିଛି ପିଲା ୟୁ-ଟ୍ୟୁବ୍‌ରୁ ଶିଖି ନିଜ ଦକ୍ଷତା ବୃଦ୍ଧି କରୁଛନ୍ତି। ବାପା, ମା’ଙ୍କ ପ୍ରେରଣା ଯୋଗୁଁ ଲକ୍‌ଡାଉନର ଏତେ ଲମ୍ବା ସମୟକୁ କିଭଳି ଗଠନମୂଳକ ଉପାୟରେ ଅତିବାହିତ କରିହେବ, ସେ ନେଇ ସମସ୍ତେ ରାସ୍ତା ଖୋଜିଛନ୍ତି। ଏଥିରେ ୟୁ-ଟ୍ୟୁବ୍‌ ବେଶ୍ ସହାୟକ ହୋଇଛି। ବିଶେଷକରି ଛୋଟ ଛୋଟ ପିଲାମାନେ ନିଜକୁ ଆହୁରି ଅଧିକ ଦକ୍ଷ କରିବା ପାଇଁ ୟୁ-ଟ୍ୟୁବ୍ ଭିଡିଓଗୁଡ଼ିକର ଭରପୂର ଲାଭ ଉଠାଉଥିବା ଦେଖିବାକୁ ମିଳୁଛି। ନୃତ୍ୟଶିଳ୍ପୀଙ୍କ ପାଇଁ ୟୁ-ଟ୍ୟୁବର ବିଭିନ୍ନ ଚ୍ୟାନେଲ ନୂଆ ନୂଆ ଉପାଦାନ ଖଞ୍ଜି ଦେଉଛି। ବିଲ୍‌କୁଲ ନାଚ ଜାଣି ନ ଥିବା ପିଲାଙ୍କ ପାଇଁ ୟୁ-ଟ୍ୟୁବ୍‌ ସହଜ ଓ ସରଳ ହୋଇଛି। ୟୁ-ଟ୍ୟୁବ୍‌ର ବିଭିନ୍ନ ଚ୍ୟାନେଲ୍‌ ନୂଆ ଶିଖାଳିଙ୍କ ପାଇଁ ସହଜ ହେଉଛି। ଏସବୁ ଶିଖି ଛାତ୍ରଛାତ୍ରୀ ଫେସ୍‌ବୁକ୍‌ ଆଦିରେ ପୋଷ୍ଟ କରି ପ୍ରଶଂସା ସାଉଁଟୁଛନ୍ତି। ଏବେ ପ୍ରଚୁର ସମୟ ଥିବାରୁ ଓ ବିନା ଖର୍ଚ୍ଚରେ ଏତେ ସୁଯୋଗ ହାତପାହାନ୍ତାରେ ଥିବାରୁ ଛାତ୍ରୀମାନେ ନୃତ୍ୟ ଶିଖିବା ତଥା କସରତ ପାଇଁ ଏହି ଉପାୟ ବାଛି ନେଇଛନ୍ତି। ଏମିତି ଜଣେ ଛାତ୍ରୀ ହେଉଛନ୍ତି ଘାଟିକିଆର ସାଇଶ୍ରୀ ଦାଶ(୧୧)।

ସାଇଶ୍ରୀ କୁହନ୍ତି, ପୂର୍ବରୁ ଘରେ ବାପା ବ୍ୟାୟାମ କରିବାକୁ କହୁଥିବା ବେଳେ ମାମା ନାଚ ଶିଖିବାକୁ କହୁଥିଲେ। ନୃତ୍ୟ କରିବା ମୋର ବହୁତ ପସନ୍ଦ। ଏଣୁ ମୁଁ ନୃତ୍ୟ ଦ୍ବାରା ନିଜ ଶରୀରକୁ ଫିଟ୍ ରଖିବା ସହ ନୃତ୍ୟରେ ଅଧିକ ଦକ୍ଷ ହେବାକୁ ଚେଷ୍ଟା କରୁଛି। ଏଥିରେ ୟୁ-ଟ୍ୟୁବ୍‌ ବେଶ୍‌ ସହାୟକ ହୋଇଛି। ୟୁ-ଟ୍ୟୁବ୍‌ରେ ଓଡ଼ିଶୀ ନୃତ୍ୟର ଗୁରୁ ବନ୍ଦନା, ମଙ୍ଗଳା ଚରଣ, ଅଭିନୟ ଶିଖିଛି। ଆଗକୁ ଆହୁରି ଶିଖିବା ଲକ୍ଷ୍ୟ ରହିଛି। ସେହିପରି କପିଳ ପ୍ରସାଦର ଛାତ୍ର ରୁତୁରାଜ ଦାସ ଅଭିନୟକୁ ଆପଣାଇଛନ୍ତି। ୟୁ-ଟ୍ୟୁବ୍‌ରେ ଅଭିନୟ ଶିଖି ୧୫ଟି ଷ୍ଟୋରି କରିଛନ୍ତି। ଏଥିରେ ନିଜେ ବାପା, ମା’ଙ୍କ ସହ ପୁଅ ଅଭିନୟ ନିଜେ କରିଛନ୍ତି। ଏହି ଭିଡିଓକୁ ସେ ୟୁ-ଟ୍ୟୁବ୍‌ରେ ଅପ୍‌ଲୋଡ କରିଛନ୍ତି। ସେହିପରି ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ନଗରରେ ରହୁଥିବା ଆସ୍‌ମା‌ ସାହୁ ଚିତ୍ର ଶିଖିବାର ଆଗ୍ରହ ଯୋଗୁଁ ୟୁ-ଟ୍ୟୁବ୍‌ରେ ଚିତ୍ର ଶିଖୁଛନ୍ତି। ବିଭିନ୍ନ ପଶୁପକ୍ଷୀ ଚିତ୍ର ଏବେ ସେ ଭଲ ଭାବେ ଆଙ୍କି ପାରୁଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର