ଅନିଶ୍ଚିତତାରେ କ୍ୟାଟରିଂ, ଟେଣ୍ଟ୍‌ ହାଉସ୍‌ ମାଲିକ ଓ ଶ୍ରମିକ : ଦୁର୍ଦ୍ଦିନରେ ୫ ଲକ୍ଷ ପରିବାର

ଭୁବନେଶ୍ବର : କ୍ୟାଟରିଂ ଓ ଟେଣ୍ଟ୍‌ ହାଉସ୍‌ ଉପରେ ନିର୍ଭରଶୀଳ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ୫ ଲକ୍ଷ ପରିବାର ଏବେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ଭାରତରେ କରୋନା ପ୍ରବେଶ କରିବା ଠାରୁ ଆ‌ଜି ପର୍ଯ୍ୟନ୍ତ ସମସ୍ତ ସାମାଜିକ କାର୍ଯ୍ୟ ବନ୍ଦ ରହିଛି। ଫଳରେ ଏହି ସଂସ୍ଥାନ ସହ ଜଡ଼ିତ କର୍ମଚାରୀ ଓ ତାଙ୍କ ପରିବାର ଏବେ ଭୋକ ଉପାସରେ ଦିନ କାଟୁଛନ୍ତି। କୌଣସି ରୋଜଗାର ନ ଥାଇ ମଧ୍ୟ କ୍ୟାଟରିଂ ଓ ଟେଣ୍ଟ୍‌ ହାଉସ୍‌‌ରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ଆମେ ପ୍ରତିମାସରେ ଭରଣାପୋଷଣା ଖର୍ଚ୍ଚ ଦେଇଆସୁଛୁ। କିନ୍ତୁ ବର୍ତ୍ତମା‌ନଠାରୁ କ୍ୟା‌ଟରିଂ ମାଲିକ ଓ ଟେଣ୍ଟ୍‌ ହାଉସ୍‌ ମାଲିକମାନେ ନିଜ କର୍ମଚାରୀଙ୍କୁ ଆଉ ଦରମା ଦେବା ସକ୍ଷମ ନାହାନ୍ତି ବୋଲି ଆଜି ‘ଅଲ୍‌ ଓଡ଼ିଶା କ୍ୟାଟିରିଂ ଆଣ୍ଡ୍‌ ଟେଣ୍ଟ୍‌ ହାଉସ୍‌ ସପ୍ଲାୟର୍ସ ଓନର୍ସ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି।

ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଅନ୍‌ଲକ୍‌-୧ରେ ଅନେକ ସଂସ୍ଥା ପାଇଁ କଟକଣା କୋହଳ କରାଯାଇଛି। ଏଭଳି ପରିସ୍ଥିତିରେ ବାହାଘର ପାଇଁ କଟକଣାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏଥିରେ ତୁରନ୍ତ କୋହଳ ନୀତି ଗ୍ରହଣ କରାଯିବା ଉଚିତ ବୋଲି ଆସୋସିଏସନ ପକ୍ଷରୁ ଦାବି କରାଯାଇଛି।

ଆସୋସିଏସନ ଦର୍ଶାଇଛି, ପୂର୍ବରୁ ଅନୁମତି ମିଳିଥିବା ୫୦ ଜଣଙ୍କ ପରିବର୍ତ୍ତେ ଲୋକ ସଂଖ୍ୟାକୁ ୩୦୦କୁ ବୃଦ୍ଧି କରାଯିବା ଉଚିତ। ବିବାହ ଓ ଭୋଜି ସହ ଜଡ଼ିତ ଥିବା ସମସ୍ତ ସଂସ୍ଥା ବର୍ତ୍ତମାନ ରୁଗ୍‌ଣ ଅବସ୍ଥାରେ ରହିଛନ୍ତି। ଏଣୁ ସରକାର ଏନେଇ କିଛି ବ୍ୟବସ୍ଥା କରନ୍ତୁ। ସରକାର ଯାହା ଏସ୍‌ଓପି ଜାରି କରିବେ ତାହାକୁ ସମସ୍ତେ ମାନିବୁ। କିନ୍ତୁ ଏ ସବୁ ସଂସ୍ଥା ସହ ଜଡ଼ିତ ଲକ୍ଷ ଲକ୍ଷ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନିଅନ୍ତୁ। ନଚେତ ଆଗାମୀ ଦିନରେ ଏହା ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଥିବା ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି। ଏଥିସହ ନୂତନ ଏମ୍‌ଏସ୍‌ଏମ୍‌ଇ ନିୟମ ଅନୁଯାୟୀ, ଏହି କ୍ଷୁଦ୍ର ବ୍ୟବସାୟରେ ସମ୍ପୃକ୍ତ ଲୋକମାନଙ୍କୁ ସହଜ ଓ ସୁଧ ମୁକ୍ତ ଋଣ ପ୍ରଦାନ କରାଗଲେ ଆଗାମୀ ଦିନରେ ସେମାନଙ୍କ ଜୀବନଜୀବିକା ଉପାର୍ଜନର ପଥ ପରିଷ୍କାର ହେବ ବୋଲି ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ୍‌ର ସଭାପତି ବିନୟ ଭୂଷଣ ପଟ୍ଟନାୟକ, ଦେବୀପ୍ରସାଦ ରଥ, ପ୍ରବୋଧ କୁମାର ଦାସ, ଗୁରୁଚରଣ ଦାସ ଓ ଅଟଳ ବିହାରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର