ଧଉଳି/ବାଲିଅନ୍ତା : କରୋନା ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟରେ ହସ୍ତଶିଳ୍ପ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଫଳରେ ପାରମ୍ପରିକ ଓ ଆଧୁନିକ ଲଳିତ କଳା ଶିଳ୍ପକୁ ବୃତ୍ତି କରି କୁଟୁମ୍ବ ପୋଷୁଥିବା ଶିଳ୍ପୀସମୂହଙ୍କୁ ଏବେ ଚିନ୍ତା ଘାରୁଛି। ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କେନ୍ଦ୍ରଗୁଡ଼ିକରେ ତାଲା ଝୁଲୁଥିବାରୁ ୧ମାସରୁ ଅଧିକ ଦିନ ହେଲା କାରିଗରମାନେ ହାତବାନ୍ଧି ବସିଛନ୍ତି। ଏକାମ୍ରକ୍ଷେତ୍ରଠାରୁ ଆରମ୍ଭ କରି ରାଜଧାନୀ ଉପକଣ୍ଠ ଧଉଳି, ବାଲିଅନ୍ତା ଆଦି ଅଞ୍ଚଳରେ ପାଖାପାଖି ୩ ହଜାର ହସ୍ତଶିଳ୍ପୀ କାରିଗର ଏବେ ଅତି ଦୟନୀୟ ଭାବେ ଦିନ କାଟୁଥିବା କହିଛନ୍ତି ଧଉଳି ଶାନ୍ତିସ୍ତୂପ ପରିସର ଚାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପଞ୍ଚାନନ ସାମଲ। ଏହି ଶିଳ୍ପୀମାନେ ତିଆରି କରିଥିବା ପଟ୍ଟଚିତ୍ର, ତାଳପତ୍ର ବା ପୋଥିଚିତ୍ର, ମୃତ୍ତିକା ଓ ଖଡ଼ିପଥରରେ ବିଭିନ୍ନ ଦେବଦେବୀଙ୍କ ପ୍ରତିମୂର୍ତ୍ତି ବିକ୍ରି କରିବା ଆଉ ସମ୍ଭବ ହେଉ ନାହିଁ। ହାତୀ, ଘୋଡ଼ା, ସିଂହ, ଗୃହ ଉପକରଣ, ସାଜସଜ୍ଜା ସାମଗ୍ରୀ ମଧ୍ୟ ଗଚ୍ଛିତ ରହିଛି।

Advertisment

ହସ୍ତଶିଳ୍ପ କାରିଗରମାନେ ରାଜ୍ୟ ବାହାର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଆଗ୍ରା ଓ ପଶ୍ଚିମବଙ୍ଗ ଭଳି ଅନ୍ୟ ରାଜ୍ୟରେ ଥିବା ଶିଳ୍ପ ବଜାରକୁ ଏସବୁ ପଠାଇ ଗୁଜୁରାଣ ମେଣ୍ଟାଇଥାନ୍ତି। ଏଥିସହ ସ୍ଥାନୀୟ ହସ୍ତଶିଳ୍ପ ବିକ୍ରୟ କେନ୍ଦ୍ରକୁ ନେଇ ସେମାନଙ୍କ କାରୁକାର୍ଯ୍ୟପୂର୍ଣ୍ଣ କଳା ସାମଗ୍ରୀ ବିକ୍ରି କରିଥାନ୍ତି। ସରକାରୀସ୍ତରରେ ଆୟୋଜିତ ଏକାମ୍ର ହାଟ ଓ ଉତ୍କଳିକା ଭଳି ପ୍ରଦର୍ଶନୀ‌ରେ ତାହା ବିକ୍ରି କରି ମିଳୁଥିବା ଅର୍ଥରେ ପରିବାର ଚଳାନ୍ତି। ହେଲେ ଲକଡାଉନ୍‌ ପାଇଁ ସବୁ ବନ୍ଦ ହୋଇଯାଇଛି। ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ କଳା ସାମଗ୍ରୀ ମଧ୍ୟ ବିକ୍ରି ହୋଇପାରୁନି। ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ କେନ୍ଦ୍ର ବନ୍ଦ ହେବା ପରେ କିଛି ଶିଳ୍ପୀ ପରିବାର ଘରେ ଏସବୁ ଜିନିଷଗୁଡ଼ିକ ତିଆରି କରୁଛନ୍ତି। ତିଆରି ସିନା ହେଉଛି କିନ୍ତୁ ବିକ୍ରି ହୋଇପାରୁନି।

ଜଣେ ମୃତ୍ତିକା ଶିଳ୍ପୀଙ୍କ କହିବାନୁଯାୟୀ, ଲକ୍‌ଡାଉନ୍‌ ଫଳରେ ପ୍ରସ୍ତୁତ ସାମଗ୍ରୀ ଚଉରା, ଦେବଦେବୀଙ୍କ ମୁଖା, ଗୃହ ସାଜସଜ୍ଜା ସାମଗ୍ରୀ ଓ ପାତ୍ର ଜିଲ୍ଲା ବାହାରକୁ ପଠା ଯାଇପାରୁନାହିଁ। ଶାନ୍ତିସ୍ତୂପ, ହୀରାପୁର ଚଉଷଠି ଯୋଗିନୀ ପୀଠ ଓ ଜୟଦେବ ପୀଠ ସିଲ୍‌ ହେବା ପରେ ପର୍ଯ୍ୟଟକ ନଆସିବା ଦ୍ବାରା ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ କେନ୍ଦ୍ର ମଧ୍ୟ କ୍ଷତିର ସମ୍ମୁଖୀନ ହୋଇଛି।

ଇଟିପୁର ଗ୍ରାମର ଭାସ୍କର୍ଯ୍ୟ ଶିଳ୍ପୀ ବସନ୍ତ କୁମାର ମହାରଣା, ବାବାଜୀ ମହାରଣା, ବିଜୟ ମହାରଣା ଓ ତ୍ରିଲୋଚନ ମହାରଣାଙ୍କ କହିବାନୁଯାୟୀ, ଭଗବାନ ବୁଦ୍ଧ ଓ ଗଣେଶଙ୍କ ଛୋଟ ମୂର୍ତ୍ତି ତିଆରି କରି ଗୋଟାକୁ ୫୦୦ ରୁ ୧୦୦୦ଟଙ୍କା ମୂଲ୍ୟରେ ବିକ୍ରି କରି ସେଥିରେ ପରିବାର ଚଳିଯାଉଥିଲା। ଏବେ ମୂର୍ତ୍ତି ତିଆରି ହେଉଛି, ହେଲେ ବିକ୍ରି ନାହିଁ। ଏଭଳି ସ୍ଥିତିରେ ଆମ ଭଳି ଶିଳ୍ପୀକୁଳଙ୍କ ନିକଟରେ ସ୍ବତନ୍ତ୍ର କରୋନା ସହାୟତା ପହଞ୍ଚି ନଥିବାରୁ ବଞ୍ଚିବା ଦୁର୍ବିସହ ହୋଇପଡ଼ୁଛି। ବାଲିଅନ୍ତାରେ ପଟ୍ଟଚିତ୍ର ଶିଳ୍ପୀ ଦେବାଶିଷ ସେଠୀ ଘରେ ୫୦ହଜାର ଟଙ୍କାର ପଟ୍ଟଚିତ୍ର ତିଆରି କରି ରଖିଥିଲେ ମଧ୍ୟ ଦିଲ୍ଲୀକୁ ପଠାଇ ପାରୁନଥିବା ଜଣାଇଛନ୍ତି। ଅନୁରୂପ ଭାବେ ବାଲିପାଟଣାର ତାଳପତ୍ର ଶିଳ୍ପୀ ଶ୍ରୀକାନ୍ତ ବେହେରା ଓ ତାଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ରିଲିଫ ପାଣ୍ଠିରୁ ସହାୟତା ଦେବାକୁ ଦାବି କରିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଲକଡାଉନ୍ ସୁଯୋଗରେ ଧଉଳି ଥାନା ଓ ଉତ୍ତରା ଫାଣ୍ଡି ଅନ୍ତର୍ଗତ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ଧଉଳି, ଗୁଡ଼ିଆପୋଖରୀ, ଶିଶୁପାଳ ଓ ବୁଦ୍ଧିପଡ଼ା ଆଦି ସ୍ଥାନରେ ରାସ୍ତାକଡ଼ରେ ବିକ୍ରି ଉଦ୍ଦେଶ୍ୟରେ ଥିବା ୩୦ଟି ପ୍ରତିମୂର୍ତ୍ତି ଚୋରି ହୋଇଯାଇଥିବା ସୂଚନା ମିଳିଛି। ହେଲେ ପୁଲିସ ନିଜ ଉପରୁ ଦୋଷ ଖସାଇ ଏଭଳି କୌଣସି ଅଭିଯୋଗ ଥାନାକୁ ଆସିନଥିବା କହିଛି। ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ମୂତ୍ତିଗୁଡ଼ିକୁ ଲୁଟି ନେବାକୁ ଏଠାରେ ଲୁଟେରା ସକ୍ରିୟ ହୋଇପଡ଼ିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।