ଭୁବନେଶ୍ୱର : ସପ୍ତାହାନ୍ତ ସଟ୍ଡାଉନ୍ ନୁହେଁ, ଭୁବନେଶ୍ୱରକୁ ଫେରିଲା ଲକ୍ଡାଉନ୍। କେତେକ ନିର୍ଦ୍ଦିଷ୍ଟ ଜରୁରୀକାଳୀନ ସେବା ଛଡ଼ା ଅନ୍ୟ ସମସ୍ତ କାରବାର ଉପରେ ଲାଗିଲା କଟକଣା। ସକାଳ ୬ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଛାଡ଼ିଦେଲେ ସମସ୍ତ ଦୋକାନ ବନ୍ଦ ରହିବ। ସରକାରଙ୍କ ଏଭଳି ଘୋଷଣା ଆସନ୍ତାକାଲି ଠାରୁ ଲାଗୁ ହେବାକୁ ଯାଉଛି। ଏଥିପାଇଁ ପୁଲିସ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି। ପୂର୍ବରୁ ସରକାରଙ୍କ ଘୋଷଣାକୁ ଲୋକମାନେ ମାନୁନଥିବା ଦେଖାଯାଇଥିଲା। ଏଣୁ ଏଥର କମିସନରେଟ୍ ପୁଲିସ କଠୋର ହେବାକୁ ସ୍ଥିର କରିଛି। କୌଣସି ପରିସ୍ଥିତିରେ ଅଣସ୍ବୀକୃତିପ୍ରାପ୍ତ ଗାଡ଼ିକୁ ନ ଛାଡ଼ିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କେବଳ ସ୍ବାସ୍ଥ୍ୟଗତ, ବିବାହ ଓ ଅନ୍ୟାନ୍ୟ ଜରୁରୀକାଳୀନ କାମରେ ସ୍ବୀକୃତି ନେଇ ବାହାରକୁ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ପୂର୍ବବତ୍ ଡାଏଲ-୧୦୦ ମଧ୍ୟ କାମ କରିବ। ଅତି ଜରୁରୀ ସେବା ପାଇଁ ଭୁବନେଶ୍ୱରରେ ଲୋକମାନେ ଏହି ସେବାର ସୁବିଧା ନେଇ ପାରିବେ।
ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦୋକାନ ଯେଭଳି ବନ୍ଦ ରହିବ ସେ ନେଇ ନିଜ ନିଜ ଥାନା ଅଞ୍ଚଳରେ ଆଇଆଇସି ନଜର ରଖିବେ। ତା’ ଛଡ଼ା ମୋବାଇଲ ପାଟ୍ରୋଲିଂ ଭ୍ୟାନ୍ ବିଭିନ୍ନ ସମୟରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସ୍ବୀକୃତିପ୍ରାପ୍ତ ଗାଡ଼ି ଛଡ଼ା ଅନ୍ୟ କୌଣସି ଗାଡ଼ି କିଭଳି ରାସ୍ତାରେ ଚାଲି ପାରିବ ନାହିଁ ସେ ନେଇ ଟ୍ରାଫିକ୍ ପୁଲିସ ନଜର ରଖିବ। ଏଥିପାଇଁ ୪୨ଟି ଜାଗାରେ ନାକା କରାଯିବ ବୋଲି ଜଣାପଡ଼ିଛି। ନାକାବନ୍ଦୀ କରାଯାଇ ସ୍ବୀକୃତି ନ ଥିବା ଗାଡ଼ିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଜାତୀୟ ରାଜପଥରେ ମଧ୍ୟ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକୁ ଚଳାଚଳ କରିବା ପାଇଁ ସ୍ବୀକୃତି ମିଳିଛି। ଅନ୍ୟଗାଡ଼ିଗୁଡ଼ିକୁ ଜଗିବା ପାଇଁ ମଧ୍ୟ ସ୍ବତନ୍ତ୍ର ଟିମ୍ ନଜର ରଖିବ। ପୂର୍ବବତ୍ ଢାବାଗୁଡ଼ିକ କେବଳ ଖାଦ୍ୟ ପାର୍ସଲ ଦେବେ। ସେଠାରେ ବସାଇ ଖାଇବାକୁ ଦେବେ ନାହିଁ। ଏଣୁ ଏହାକୁ ନିଶ୍ଚିତ କରିବା ପାଇଁ ବିଭିନ୍ନ ସମୟରେ ଢାବା ଉପରେ ଅଚାନକ ଚଢ଼ଉ କରାଯିବ ବୋଲି ଜଣାପଡ଼ିଛି। ବାଇକ୍ ଉପରେ ମଧ୍ୟ କଟକଣା ରହିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/road-add.jpg)