ଚନ୍ଦ୍ରଶେଖରପୁର : ନା ରହିଛି ଗାଡ଼ି ଯାତାୟାତର ଭୟ, ନାଦୁର୍ଘଟଣାର ଆଶଙ୍କା। ଲକ୍ଡାଉନ୍ ପାଇଁ ସବୁଆଡ଼େ ଏବେ ରାସ୍ତାଘାଟ ଶୂନଶାନ୍। ଫଳରେ ରାଜରାସ୍ତା ଏବେ ବସ୍ତିବାସିନ୍ଦାଙ୍କ ପାଇଁ ଖେଳପଡ଼ିଆ ପାଲଟିଛି। କିଏ ରସ୍ତା ଉପରେ କ୍ରିକେଟ୍ ଖେଳୁଛି ତ ପୁଣି କିଏ ସାଇକେଲ ଷ୍ଟଣ୍ଟ୍ ଦେଖାଉଛି। ଏମିତିକି ରାସ୍ତାକଡ଼ରେ ତାସ, ଲୁଡୁ ଖେଳ ଚାଲୁଛି। ସତେଯେମିତି ବସ୍ତିବାସିନ୍ଦା ପୂରା ରାଜରାସ୍ତାକୁ ନିଜ ଅଧୀନରେ ରଖିଛନ୍ତି। ବର୍ତମାନ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ଭିଏସ୍ଏସ୍ନଗର ବାଣୀବିହାର ପୋଷ୍ଟାଲ୍ କଲୋନି ବ୍ରିଜ୍ ନିକଟ ତାରିଣୀ ବସ୍ତିରେ। ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଓଭରବ୍ରିଜ୍ ତଳେ ରହିଥିବା ଏହି ବସ୍ତି ଲୋକମାନେ ଅପରାହଣ୍ରୁ ରାତି ତମାମ ରାସ୍ତା ଉପରେ ଦିନ କାଟୁଛନ୍ତି। ବାଣୀବିହାର ଓଭରବ୍ରିଜ୍ ଛକରେ ବାଉଁଶ ବାଡ଼ ପକାଯାଇ ବ୍ୟାରିକେଡ୍ ନିର୍ମାଣ କରାଯାଇଥିବାରୁ ଉକ୍ତ ରାସ୍ତା ଦେଇ କେହି ଯାତାୟାତ କରୁନାହାନ୍ତି। ଫଳରେ ରାସ୍ତା ଉପରେ ଖଟି କରୁଛନ୍ତି ବସ୍ତିବାସିନ୍ଦା। ଏମିତିକି କିଛି ଲୋକ ରାତିରେ ରାସ୍ତା ଉପରେ ଖଟିଆ ପକାଇ ଶୋଇ ପଡ଼ୁଛନ୍ତି। ଅନ୍ୟପକ୍ଷରେ ରାସ୍ତା ଉପରେ ବସ୍ତିବାସିନ୍ଦା ଖଟି କରୁଥିବା ବେଳେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରହୁନାହିଁ ବୋଲି ସ୍ଥାନୀୟ ପୋଷ୍ଟାଲ କଲୋନି ବାସିନ୍ଦା ଅଭିନନ୍ଦନ ମିଶ୍ର କହିଛନ୍ତି। ରାସ୍ତା ଅବରୋଧ ଥିବାରୁ ପୁଲିସ୍ ଭ୍ୟାନ୍ ବି ପାଟ୍ରୋଲିଂ ପାଇଁ ଆସି ପାରୁନାହିଁ। ଫଳରେ ବସ୍ତିବାସିନ୍ଦା ନିଜ ମନମାନି କରୁଛନ୍ତି। ସେମାନଙ୍କୁ କଲୋନି ବାସିନ୍ଦା ବାରଣ କଲେ ବସ୍ତିର କିଛି ଅସାମାଜିକ ଯୁବକ ଗାଳିଗୁଲଜ କରୁଥିବା ନେଇ ଅଭିଯୋଗ ହୋଇଛି।
ବାରଣ କରିବାକୁ କେହି ନାହାନ୍ତି, ନଦୀ, ନାଳରେ ଅମାନିଆଙ୍କ ଜଳକ୍ରୀଡ଼ା
ଚନ୍ଦ୍ରଶେଖରପୁର : କରୋନା ପାଇଁ ସାରା ଦେଶ ଲକ୍ଡାଉନ୍। ଗ୍ରାମଠାରୁ ସହର ସବୁଆଡ଼େ ରାସ୍ତାଘାଟ ଶୂନ୍ଶାନ୍। ଏପରି ସମୟରେ ରାଜଧାନୀ ଉପକଣ୍ଠ ନଦୀ, ନାଳ ତୁଠରେ ଚାଲିଛି ବେଲଗାମ ଜଳକ୍ରୀଡ଼ା। ଗ୍ରାମର ପିଲାମାନେ ଗ୍ରୀଷ୍ମରେ ଜଳକ୍ରୀଡ଼ାର ମଜା ଉଠାଉଛନ୍ତି। ଆଉ ସେମାନଙ୍କୁ ବାରଣ କରିବା ପାଇଁ କେହି ନାହାନ୍ତି। ଏହାଦ୍ବାରା ଉଭୟ ଲକ୍ଡାଉନ୍ ଓ ସାମାଜିକ ଦୂରତାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ହେଉଛି।ମଞ୍ଚେଶ୍ବର ଦୟାୱେଷ୍ଟ କେନାଲ୍ ଓ କୁଆଖାଇ ନଦୀର ବିଭିନ୍ନ ଘାଟରେ ଅମାନିଆ ପିଲାଙ୍କ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳୁଛି। କେବେ ସାଇଫନ୍ ଉପରୁ ତ ପୁଣି କେବେ ବନ୍ଧ ଉପରୁ ଦୌଡ଼ି ପାଣି ଭିତରକୁ ଅତି ବିପଜ୍ଜନକ ଭାବେ ଡେଉଁଛନ୍ତି। ବିଶେଷକରି ଭୋଟପଡ଼ା ସାଇଫନ୍, ଶଗଡ଼ବୁଲା, ଅଞ୍ଜନା ମା’ ଗଣ୍ଡ ଓ କେଳାସାହି ତୁଠରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ସେହିଭଳି କୁଆଖାଇ ମଞ୍ଚେଶ୍ବର ପଠାରୁ ବରିମୁଣ୍ଡ ପଠା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଯୁବକମାନେ ଘଣ୍ଟା ଘଣ୍ଟା ଧରି ଗାଧୋଉଛନ୍ତି। ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ପୁଲିସ୍ ପାଟ୍ରୋଲିଂ ଏତେଟା କଡ଼ାକଡ଼ି ହେଉ ନଥିବାରୁ ଯୁବକମାନେ ଲକ୍ଡାଉନ୍ ଉଲ୍ଲଙ୍ଘନ କରି ନଦୀ, ନାଳ ଓ କେନାଲ୍ରେ ଏପରି ବେପରୁଆ ଭାବେ ଗାଧୋଉଛନ୍ତି।
ଏ ସଂପର୍କରେ ମଞ୍ଚେଶ୍ବର ଥାନା ପୁଲିସ୍ କହିଛି ଯେ ଲକ୍ଡାଉନ୍ ସମୟରେ ଗୋଟିଏ ତୁଠରେ ଅଧିକ ଲୋକ ଏକାଠି ରହିଲେ ସେମାନଙ୍କୁ ବାରଣ କରାଯାଉଛି। ଅନ୍ୟପକ୍ଷରେ କିଛି ନାଳ ଓ ନଈକୂଳିଆ ଲୋକ ଓ ବେପରୁଆ ଯୁବକ ଏ ନିୟମ ମାନୁ ନାହାନ୍ତି। ଅଞ୍ଚଳରେ ପାଟ୍ରୋଲିଂ ଗାଡ଼ି ଥିବା ପର୍ଯ୍ୟନ୍ତ ସବୁ ଠିକ୍ ରହୁଛି। ପୁଲିସ ଗାଡ଼ି ଚାଲିଯିବା ପରେ କିଛି ଅମାନିଆ ବିପଦକୁ ନିମନ୍ତ୍ରଣ କରୁଛନ୍ତି। ସେମାନଙ୍କୁ ସେମାନଙ୍କ ଅଭିଭାବକ ସଚେତନ କରାଇଲେ ସ୍ଥିତି ଠିକ୍ ହୋଇପାରନ୍ତା ବୋଲି ସେ କହିଛନ୍ତି।