ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଲକ୍ଡାଉନ ହେଉଥିବାରୁ ପୂର୍ବତଟ ରେଳପଥରେ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ମାସ ୨୭ତାରିଖରେ ସମ୍ପୂର୍ଣ୍ଣ ଲକ୍ଡାଉନ ହେଉଥିବାରୁ ସିଆଲ୍ଦାରୁ ଛାଡୁଥିବା ସିଆଲ୍ଦା-ଭୁବନେଶ୍ୱର ଦୁରନ୍ତ ସ୍ପେସାଲକୁ ୨୮ ଓ ୩୧ତାରିଖରେ ବାତିଲ କରାଯିବ। ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ସିଆଲ୍ଦା ଦୁରନ୍ତ ସ୍ପେସାଲ ୨୯ ଓ ସେପ୍ଟେମ୍ବର ପହିଲାରେ ବାତିଲ ରହିବ। ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସାଲ ୨୭ତାରିଖ ଦିନ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ।
ଆଂଶିକ ବାତିଲ ହେଉଥିବା ଟ୍ରେନଗୁଡ଼ିକ ମଧ୍ୟରେ ୨୬ରେ ସିକନ୍ଦରାବାଦରୁ ଛାଡୁଥିବା ସିକନ୍ଦରାବାଦ-ହାଓଡ଼ା ଫଲ୍କନମା ସ୍ପେସାଲ ଏକ୍ସପ୍ରେସ ଏହାର ଯାତ୍ରା ଭୁବନେଶ୍ୱରଠାରେ ସମାପ୍ତ କରିବ। ହାଓଡ଼ା ପର୍ଯ୍ୟନ୍ତ ଯିବ ନାହିଁ l ୨୭ ତାରିଖରେ ହାଓଡ଼ାରୁ ଛାଡୁଥିବା ହାଓଡ଼ା-ସିକନ୍ଦରାବାଦ ଫଲକନମା ସ୍ପେସାଲ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡ଼ିବ ଏବଂ ଏହି ତାରିଖ ଦିନ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ। ପ୍ରତ୍ୟାହାର କରାଯାଇଥିବା ରହଣି ମଧ୍ୟରେ ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସାଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀରୁ ଆସୁଥିବା ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ପୁରୁଷୋତ୍ତମ ଏକ୍ସପ୍ରେସ ୨୬ତାରିଖରେ ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀଠାରେ ରହଣି କରିବ ନାହିଁ। ଭୁବନେଶ୍ୱରରୁ ଛାଡ଼ୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସାଲ ରାଜଧାନୀ ଏକ୍ସପ୍ରେସ ୨୭ତାରିଖରେ ଓ ନୂଆଦିଲ୍ଲୀରୁ ଆସୁଥିବା ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ରାଜଧାନୀ ଏକ୍ସପ୍ରେସ ଅଗଷ୍ଟ ୨୬ରେ ଉଭୟ ଦିଗରୁ ହିଜଲୀଠାରେ ରହଣି କରିବ ନାହିଁ। ଉପରୋକ୍ତ ଟ୍ରେନ ଗୁଡିକର ଯାତ୍ରୀମାନେ ଏଥିପ୍ରତି ଧ୍ୟାନ ଦେଇ ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଯାଇଛି।