ଭୁବନେଶ୍ବର: କରୋନା ମହାମାରୀ ପାଇଁ ସମଗ୍ର ବିଶ୍ବ ଏବେ ଅଚଳ ପ୍ରାୟ ହୋଇପଡ଼ିଛି। ଦେଶବ୍ୟାପୀ ଳକ୍ଡାଉନ୍ଜାରି ହୋଇଥିବାରୁ ସମସ୍ତଙ୍କୁ ଘରେ ରହିବାକୁ ପଡ଼ୁଛି। ଅନେକେ ନିଜ ଚିତ୍ତବିନୋଦନ ପାଇଁ ବହି ପଢ଼ିବାକୁ ପସନ୍ଦ କରୁଛନ୍ତି। ତେବେ, ଲେଖକଟିଏ ନିଜର କାବ୍ୟ, ଗଦ୍ୟ ଅଥବା ଗ୍ରନ୍ଥ ଲେଖିବା ପାଇଁ ସର୍ବଦା ସମୟ ଖୋଜିଥାଏ। ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସମାଜିକ କୋଳାହଳ ମଧ୍ୟରେ ସେ ନିଜର ଭାଷା ସଂଯୋଜନା କରିବାକୁ ସମୟ ପାଏ ନାହିଁ।
ତେଣୁ ଏହି ଲକ୍ଡାଉନ୍ ଲେଖକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି। ସାମାଜିକ କୋଳାହାଳରୁ ଦୂରରେ ରହି ସେମାନେ ନିଜର କବିତା, ଉପନ୍ୟାସ ଅଥବା ଗଦ୍ୟ ସଂରଚନା ପାଇଁ ଯଥେଷ୍ଟ ସମୟ ପାଇ ପାରୁଛନ୍ତି। ଅପରପକ୍ଷରେ ଏହି ଜଟିଳ ସମୟରେ କରୋନା ମହାମାରୀ ସଂପର୍କରେ ବିଭିନ୍ନ ଲେଖକଙ୍କ ଦ୍ବାରା ଲେଖାଯାଉଥିବା ବିଭିନ୍ନ କବିତା ଏବଂ ପ୍ରବନ୍ଧଗୁଡ଼ିକ ଲୋକଙ୍କ ମନରେ ବଞ୍ଚିବାର ଆଶା ସଂଚାର କରୁଛି।
ସ୍କୁଲ ସମୟ କବିତା ପଢ଼ି ଆଶ୍ଚର୍ଯ୍ୟ ହେଉଛି
ଲକ୍ଡାଉନ୍ ଥିବାରୁ ଯଥେଷ୍ଟ ସମୟ ମିଳୁଛି। ଏହି ସମୟରେ ମୁଁ ବିଭିନ୍ନ ବହି ପଢ଼ୁଛି। ପୂର୍ବରୁ ଲେଖିଥିବା କବିତାଗୁଡ଼ିକୁ ପଢ଼ି ସେଥିରେ ଥିବା ଭୁଲ୍ଗୁଡ଼ିକ ସଂଶୋଧନ କରୁଛି। ନିଜର ଭାବାଧାରାକୁ ଭାଷାର ସଂରଚନା କରିବା ନିମନ୍ତେ ଏହା ଏକ ଉପଯୁକ୍ତ ସମୟ। ମୋର ଗୋଟିଏ ବହି ଛପାଇବା ପାଇଁ ଯୋଜନା କରିଥିଲି। କିନ୍ତୁ ଲକ୍ଡାଉନ୍ ଚାଲିଥିବାରୁ ତାହା ଛାପା ହୋଇପାରିଲା ନାହିଁ। ବର୍ତ୍ତମାନ କରୋନା ସଂପର୍କିତ ୩ଟି କବିତା ଲେଖିଛି। ସ୍କୁଲ ସମୟରେ ଲେଖିଥିବା କବିତାଗୁଡ଼ିକୁ ପଢ଼ିବାର ସୁଯୋଗ ମିଳୁଛି। ତେବେ ମୋର ପୂର୍ବ ରଚିତ ଗ୍ରନ୍ଥାବଳୀ ଅଥବା ବହି ପଢ଼ି ସେଥିରେ ଥିବା ଶବ୍ଦ ସମ୍ଭାରକୁ ଦେଖି ନିଜେ ଆଶ୍ଚର୍ଯ୍ୟ ହେଉଛି।
ପ୍ରତିଭା ଶତପଥୀ
ଏବେ ନିର୍ଦ୍ଦିଷ୍ଟ ଯୋଜନା କରି ଲେଖିବା ସମ୍ଭବ ନୁହେଁ
ପୂର୍ବ ତୁଳନାରେ ବର୍ତ୍ତମାନ ଲେଖିବାର ପରିମାଣ ବଢ଼ିଛି। ହେଲେ ଲେଖିବାଠୁ ଚିନ୍ତାର ପରିମାଣ ଅଧିକ ହୋଇଯାଉଛି। ବର୍ତ୍ତମାନ ପରିସ୍ଥିତିରେ ନିର୍ଦ୍ଦିଷ୍ଟ ଯୋଜନା କରି ଲେଖିବା ସମ୍ଭବ ନୁହେଁ। ବ୍ୟକ୍ତିଗତ ଭାଗ୍ୟ ବିଶ୍ବର ଭାଗ୍ୟ ସହ ଯୋଡ଼ି ହୋଇଯାଇଛି। ଏହି ସମୟରେ ସାହିତ୍ୟଠୁ ମାନବିକତା ବଳି ଯାଇଛି। ତଥାପି ଲେଖା ମାଧ୍ୟମରେ ଆଶା ଫେରାଇ ଆଣିବା ପାଇଁ ଚେଷ୍ଟା କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ମହାମାରୀ ଉପରେ ୬ଟି କବିତା ଲେଖିଛି। ‘ମହାମାରୀରେ ପ୍ରାର୍ଥନା’ ମୋର ଶେଷ କବିତା ଥିଲା। ଏହାସହ ରାଜନୈତିକ ପ୍ରବନ୍ଧ ମଧ୍ୟ ଲେଖିଛି। ସାଧାରଣତଃ ସାହିତ୍ୟିକ ମୁକ୍ତ ଚିନ୍ତାଧାରାରେ ଲେଖିବାକୁ ପସନ୍ଦ କରେ କିନ୍ତୁ ବର୍ତ୍ତମାନ ଭୟର ଆତଙ୍କ ମଧ୍ୟରେ ଲେଖିବାକୁ ପଡ଼ୁଛି।
ହରପ୍ରସାଦ ଦାସ
ବାସ୍ତବ ଓ ଅବାସ୍ତବ ମଧ୍ୟରେ ସଂପର୍କ ଲେଖୁଛି
ପୂର୍ବରୁ ମୁଁ ଏକ ନୂଆ ଉପନ୍ୟାସ ଲେଖିବା ପାଇଁ ଘୋଷଣା କରିଥିଲି। ଲକ୍ଡାଉନ୍ ମୋତେ ଏହାର ଅଗ୍ରଗତିରେ ବହୁତ ସହାୟତା କରୁଛି। ଲକ୍ଡାଉନ୍ ପୂର୍ବରୁ ମାସକରେ ୩ଟା ୪ଟା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ୁଥିବାରୁ ଯଥେଷ୍ଟ ସମୟ ମିଳୁ ନ ଥିଲା। ବର୍ତ୍ତମାନ ମୁଁ ମଣିଷ ମନ ଭିତରେ ଥିବା ଅବାସ୍ତବ ଚିନ୍ତାଧାରାରେ ବାସ୍ତବତାର ରାସ୍ତା ସଂପର୍କରେ ଲେଖୁଛି। ଅର୍ଥାତ ବାସ୍ତବ ଏବଂ ଅବାସ୍ତବ ମଧ୍ୟରେ ଥିବା ସଂପର୍କ ଲେଖୁଛି। ଏହି ସମୟ ଏକ ମୁକ୍ତ ଚେତନା ଯୋଗାଇ ଦେଉଛି। କୋଳାହଳ କମି ଯାଇଥିବାରୁ ଏବଂ ପୂର୍ବ ଅପେକ୍ଷା ବର୍ତ୍ତମାନ ବାତାବରଣ ସ୍ବଚ୍ଛ ଥିବାରୁ ଋଷି ଆଶ୍ରମରେ ରହିବା ପରି ମନେ ହେଉଛି।
ଶାନ୍ତନୁ କୁମାର ଆଚାର୍ଯ୍ୟ
ଏବେ କୌଣସି ପ୍ରବନ୍ଧ ସଂରଚନା ଅସମ୍ଭବ
ଲକ୍ଡାଉନ୍ ପାଇଁ ପ୍ରଚୁର ସମୟ ମିଳୁଥିଲେ ମଧ୍ୟ ଏହାକୁ ବିନିଯୋଗ କରିପାରୁ ନାହିଁ। କରୋନା ସଂକଟ ସର୍ବଦା ମୁଣ୍ଡରେ ଘୂରି ବୁଲୁଛି। ବିଶ୍ବର ଚିନ୍ତାରେ କୌଣସି ପ୍ରବନ୍ଧ ସଂରଚନା କରିବା ଅସମ୍ଭବ ହୋଇପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ଗଳ୍ପ ଲେଖିଛି। ଏହାସହ ଖାଲି ସମୟରେ ବହି ପଢ଼ି ସମୟ ଅତିବାହିତ କରୁଛି।
ବୀଣାପାଣି ମହାନ୍ତି