ଅନଲକ୍‌ମୁହାଁ ଭୁବନେଶ୍ବର, ୧୮ରୁ ଲକ୍‌ଡାଉନ୍ ଉଠିପାରେ

ନାଇଟ୍‌ କର୍ଫ୍ୟୁ ଓ ସଟ୍‌ଡାଉନ୍ ରହିବ!

ଟିକାକରଣ ବଢ଼ିବା, ଆକ୍ରାନ୍ତଙ୍କ ସଂଖ୍ୟା କମିବା ଶୁଭ ସୂଚନା
ବାହାର ଜିଲ୍ଲାରୁ ଆସି ଟେଷ୍ଟିଂ କରୁଥିବାରୁ ପଜିଟିଭ୍ ହାର ସଙ୍ଗେସଙ୍ଗେ କମିବନି

ଭୁବନେଶ୍ବର : ରାଜଧାନୀରେ ‌ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ତଳକୁ ଖସିଗଲାଣି। ସଂକ୍ରମିତ ହାର ୧୨ରୁ ୧୩% ମଧ୍ୟରେ ଅଛି। ପ୍ରତିଦିନ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା’ର ଦୁଇଗୁଣା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ହସ୍ପିଟାଲ ଉପରେ ଚାପ ନାହିଁ। ଟାର୍ଗେଟ୍ ଟିକାକରଣର ପ୍ରାୟ ୫୦% ଲୋକଙ୍କର ଟିକାକରଣ ହୋଇଗଲାଣି। ତେଣୁ ରାଜ୍ୟ ସରକାର ଆଉ ଛୋଟ ବ୍ୟବସାୟୀ ଓ ଲକ୍ଷ ଲକ୍ଷ କର୍ମଚାରୀଙ୍କ ରୋଜଗାରରେ ବାଧକ ନ ସାଜି ଲକ୍‌ଡାଉନ୍ ଉଠାଇବାକୁ ଯୋଜନା କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ରାଜଧାନୀରେ ସ୍ଥିତି ଏବେ ନିୟନ୍ତ୍ରଣକୁ ଆସିଥିବାରୁ ଜୁନ୍‌ ୧୭ପରେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଜୁନ୍ ୩୦ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଓ ସପ୍ତାହନ୍ତ ସଟ୍‌ଡାଉନ୍ ଜାରି ରହିପାରେ ବୋଲି ବିଏମ୍‌ସି ସୂତ୍ରରୁ ଜାଣିବାକୁ ମିଳିଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମେ’ ମାସରେ ଦିନକୁ ୨୫୦ରୁ ୩୦୦ଜଣ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଦିନକୁ ପ୍ରାୟ ୧୦୦ ଜଣ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ୁଛି। ଏବେ ବିଭିନ୍ନ ହସ୍ପିଟାଲରେ ଆଇସିୟୁ ଓ ଅକ୍ସିଜେନ୍ ଶଯ୍ୟା ଖାଲି ଅଛି। ରାଜଧାନୀର ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର ସମସ୍ୟା ନାହିଁ। ବହୁ ଲୋକ ଘରେ ରହି ସୁସ୍ଥ ହୋଇଯାଉଛନ୍ତି। ଏପରିକି ଗତ ଏକ ସପ୍ତାହ ହେଲା ପଜିଟିଭ୍ ହାର ୧୩% ପାଖାପାଖି ରହିଛି। ଏହାକୁ ନଜରରେ ରଖିଲେ ଆମେ ଲକ୍‌ଡାଉନ୍ କୋହଳ କରିବା ନେଇ ପ୍ରସ୍ତାବ ଦେବୁ।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ୫ଦିନରେ ୨୭୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୫୧୫ ଜଣ ସୁସ୍ଥ ହୋଇଛନ୍ତି। ଜୁନ୍‌ ୭ରେ ୪୪୭୩ ଜଣଙ୍କର ଟେଷ୍ଟିଂ ହୋଇଥିବାବେଳେ ୬୬୧ଜଣ ଆକ୍ରାନ୍ତ (୧୪.୭୭%)ହୋଇଥିଲେ, ୮ରେ ୪୫୦୭ ଟେଷ୍ଟ ହୋଇଥିବାବେଳେ ୫୪୭ଜଣ(୧୨.୧୩%), ୯ରେ ୪୩୬୭ ଟେଷ୍ଟ ହୋଇଥିବାବେଳେ ୫୬୮ଜଣ (୧୩%), ୧୦ରେ ୩୫୩୦ ଟେଷ୍ଟ ହୋଇଥିବାବେଳେ ୪୮୫ଜଣ (୧୩.୭୩%)ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁନ୍‌ ୧୧ରେ ୩ହଜାରରୁ ଅଧିକ ଟେଷ୍ଟିଂ ହୋଇଥିବାବେଳେ ୪୩୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବରରେ ପ୍ରାୟ ୧୦ଲକ୍ଷ ଲୋକ ରହୁଥିବାବେଳେ ବହୁ ଲୋକ ବାହାରୁ ଆସୁଛନ୍ତି। ଏପରିକି ବାହାର ଜିଲ୍ଲାରୁ ଆସି ଏଠାରେ ଟେଷ୍ଟିଂ କରୁଛନ୍ତି। ତେଣୁ ୫%କୁ ପଜିଟିଭ୍ ହାର ଖସିବାକୁ ଆଉ ପ୍ରାୟ ଏକ ମାସ ଲାଗିବ। ତେଣୁ ଲକ୍‌ଡାଉନ୍ କୋହଳ ପାଇଁ ଭୁବନେଶ୍ବରରେ ୫% ପଜିଟିଭ୍ ହାର ‌ହିସାବକୁ ନ ନେବାକୁ ଆମେ ରାଜ୍ୟ ସରକାରଙ୍କୁ କହିବୁ। ଭୁବନେଶ୍ବରରେ ଲକ୍‌ଡାଉନ୍ ଜାରି ରଖି ସାରା ଓଡ଼ିଶାରେ କୋହଳ କଲେ ବିଶେଷ କିଛି ପ୍ରଭାବ ପଡ଼ିବନି। ତେଣୁ ଏଠାରେ ନାଇଟ୍‌ କର୍ଫ୍ୟୁ ଓ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରଖି ଲକ୍‌ଡାଉନ୍ ଉଠାଇବାକୁ ଆମେ ପ୍ରସ୍ତାବ ଦେବୁ। ଯଦି ରାଜ୍ୟ ସରକାର ଆମ ମତାମତ ମାଗନ୍ତି ତେବେ ପ୍ରସ୍ତାବ ଦେବୁ। ସରକାରଙ୍କ ପାଖରେ ଡ୍ୟାସ୍‌ବୋର୍ଡରେ ସବୁ ତଥ୍ୟ ରହୁଥିବାରୁ ସେମାନେ ତାହା ଦେଖି ନିଷ୍ପତ୍ତି ନେଇପାରନ୍ତି।

ସେହିପରି ଯଦି ରାଜଧାନୀରେ ଏବେ ଲକ୍‌ଡାଉନ୍ କୋହଳ ହୁଏ ତେବେ ହାଟ, ବଜାର, ମାର୍କେଟ୍ କମ୍ପ୍ଲେକ୍ସ, ଘ‌େରାଇ କାର୍ଯ୍ୟାଳୟ ଆଦି ଖୋଲିବାକୁ ଅନୁମତି ଦେବୁ। କିନ୍ତୁ କୌଣସି ସଭାସମିତି ପାଇଁ ଅନୁମତି ମିଳିବନି। ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ କିଛି ନିୟମ କୋହଳ ହୋଇପାରେ। ହୋଟେଲ ଖୋଲିବ, ବସ୍ ଚଳାଚଳ କରିବାକୁ ଅନୁମତି ମିଳିପାରେ। କିନ୍ତୁ ସପିଂ ମଲ୍‌, ସିନେମା ହଲ୍‌, ସୁଇମିଂ ପୁଲ୍‌, ସ୍ପା, ଜିମ୍ ଆଦି ଖୋଲିବାକୁ ସମୟ ‌ଲାଗିବ।

ସମ୍ବନ୍ଧିତ ଖବର