ଭୁବନେଶ୍ବର : ଶନିବାର ଓ ରବିବାର ଦୁଇଦିନିଆ ସଟ୍ଡାଉନ୍ ହଟିବା ପରେ ଆଜି ରାତିରୁ ଆରମ୍ଭ ହୋଇଯାଇଛି ୧୪ ଦିନିଆ ଲକ୍ଡାଉନ୍। ରାତି ୯ଟା ପରେ ବିଧିବଦ୍ଧ ଭାବରେ ଲକ୍ଡାଉନ୍ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ଅଧଘଣ୍ଟାଏ ପୂର୍ବରୁ ସହରରେ ୧୫ରୁ ୨୦ ପିସିଆର ଏକାଠି ଭ୍ୟାନ୍ ସାଇରନ୍ ଦେଇ ବୁଲିଥିଲା। କାହାରିକୁ କେଉଁଠି ଛିଡ଼ା ହେବାକୁ ଦେଇ ନଥିଲା। ସମସ୍ତ ଦୋକାନ ବନ୍ଦ କରିବାକୁ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ଜରିଆରେ ନିର୍ଦ୍ଦେଶ ଦେଇଥିଲା। ଗୋଟିଏ ଗୋଟିଏ ଅଞ୍ଚଳରେ ଗାଡ଼ିଗୁଡ଼ିକ ପାଖାପାଖି ତିନି ରାଉଣ୍ଡ ବୁଲିଥିଲା। ଦୋକାନ ବନ୍ଦ ହୋଇଯିବା ପରେ ପୂର୍ବରୁ ଚିହ୍ନଟ ହୋଇଥିବା ନାକାଗୁଡ଼ିକରେ ପୁଲିସ ଛିଡ଼ା ହୋଇ ଯାଇଥିଲେ। ବାଇକ୍ଠାରୁ ଆରମ୍ଭ କରି ଟ୍ରକ୍ ପର୍ଯ୍ୟନ୍ତ ଟିକିନିଖି ଯାଞ୍ଚ ହେଉଥିଲା। ପରିଚୟପତ୍ର ସହ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଦେଖିବା ପରେ ଛଡ଼ା ଯାଉଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ନାକାବନ୍ଦୀ ଜାରି ରହିଥିଲା।
ସୂଚନାଯୋଗ୍ୟ, ସହରର ୪୨ ଜାଗାରେ ନାକାବନ୍ଦୀ ପାଇଁ ଚିହ୍ନଟ ହୋଇଛି। ଏହି ସବୁ ଜାଗାମାନଙ୍କରେ ଆଜି ରାତିରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଗାଡ଼ି ମୋଟର ଯାଞ୍ଚ ହେବ। ବିନା ସ୍ବୀକୃତିରେ କୌଣସି ଗାଡ଼ିକୁ ଛଡ଼ା ଯିବ ନାହିଁ। ଏହି ପ୍ରକ୍ରିୟା ଆଜି ରାତି ୯ରୁ ଆରମ୍ଭ ହୋଇ ଯାଇଛି।