ବୁଧବାରରୁ ଲକ୍‌ଡାଉନ୍‌, ରାଜଧାନୀରେ ଦୈନିକ ୫୦ କୋଟି କ୍ଷତିର ଆକଳନ

ପ୍ରଭାବିତ ହେବେ ୨୦ ହଜାର ବ୍ୟବସାୟୀ
ଏବେଠୁ ମୁଣ୍ଡରେ ହାତ ଦେଲେଣି, ରିଲିଫ ଘୋଷଣା ଦାବି

ଭୁବନେଶ୍ବର : ବୁଧବାରଠାରୁ ସାରା ରାଜ୍ୟ‌ରେ ଆରମ୍ଭ ହେବ ୧୫ ଦିଦିଆ ଲକଡାଉନ। ଏଥିଯୋଗୁଁ କେବଳ ରାଜଧାନୀରେ ପ୍ରତିଦିନ ୫୦ କୋଟି ଟଙ୍କା ହିସାବରେ ଓଡ଼ିଶା ୨ ହଜାର କୋଟି କ୍ଷତି ସହିବ ବୋଲି ଆକଳନ କରାଯାଉଛି। ଏଥିଯୋଗୁଁ ରାଜଧାନୀର ଛୋଟବଡ଼ ୨୦ ହଜାର ବ୍ୟବସାୟୀ ପ୍ରଭାବିତ ହେବାର ଆଶଙ୍କା ରହିଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘର କର୍ମକର୍ତ୍ତା ସୁଧାକର ପଣ୍ଡା। ତେଣୁ ସରକାର ବ୍ୟବସାୟୀମାନଙ୍କ ପାଇଁ ରିଲିଫ ଘୋଷଣା କରିବାକୁ ସଂଘ ଦାବି କରିଛି।

କଳିଙ୍ଗ ବିହାରରେ ହୋଟେଲ କରି ପରିବାର ପ୍ରତିପୋଷଣ କରୁଥିବା ଶ୍ରୀଧର ପାତ୍ର କହନ୍ତି, ତାଙ୍କର ଦୈନିକ ହଜାରେରୁ ୨ ହଜାର ଟଙ୍କା ଆୟ ହୁଏ। ଗତବର୍ଷ ମହାମାରୀ ଯୋଗୁଁ ମାର୍ଚ ମାସରୁ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ହେଲା। କରୋନା ଯୋଗୁଁ ସ୍ଥିତି ମଧ୍ୟ ସ୍ବାଭାବିକ ହୋଇନଥିଲା। ପୂର୍ବ ବର୍ଷର ଜମା ଟଙ୍କାରେ କୌଣସି ପ୍ରକାର ଚଳିଗଲେ। ଚଳିତ ବର୍ଷ ୧୫ ଦିନିଆ ଲକ୍‌ଡାଉନ୍‌ ଘୋଷଣା ପରେ କଣ କରିବେ ଚିନ୍ତା କରି ପାରୁନାହାନ୍ତି। ଗତବର୍ଷ ଲକ୍‌ଡାଉନ୍‌ ପରେ ତାଙ୍କର କିଛି ବ୍ୟବସାୟୀ ବନ୍ଧୁ ଋଣ କରି ବ୍ୟବସାୟୀ ସମ୍ପ୍ରସାରଣ କରିଥିଲେ। ଏହାର ସୁଧ ବର୍ତ୍ତମାନ ସୁଦ୍ଧା ପରିଶୋଧ ମଧ୍ୟ କରି ନାହାନ୍ତି। ଏପଟେ ପୁଣିଥରେ ଲକ୍‌ଡାଉନ୍‌ ଘୋଷଣା ହେଲାଣି। ଆୟ ବନ୍ଦ, କିନ୍ତୁ ଋଣ ଓ ସୁଧ ବଢ଼ିଚାଲିବ। ତେଣୁ ସ୍ଥିତି କିଭଳି ହେବ ତାହା ଭାବି ପାରୁନାହାନ୍ତି ବୋଲି କହିଛନ୍ତି ଶ୍ରୀଧର।

ଜୟଦେବ ବିହାରରେ ବିଉଟିପାର୍ଲର କରିଥିବା ଶେଫାଳୀ ବେହେରା କହିଛନ୍ତି, କିଛି ବର୍ଷ ହେଲା ତାଙ୍କ ବ୍ୟବସାୟ କମିବା ଆରମ୍ଭ ହୋଇଥିଲା। ଗତବର୍ଷ ବର୍ଷତମାମ କ୍ଷତି ସହିଲେ। ପ୍ରଥମେ ଲକ୍‌ଡାଉନ୍‌ ଯୋଗୁଁ ଦୋକାନ ବନ୍ଦ ରହିଲା ଏବଂ ପରେ କରୋନାରେ କେହି ଆସିଲେ ନାହିଁ। ଚଳିତ ବର୍ଷ ବ୍ୟବସାୟ ସ୍ବାଭାବିକ ହେବା ବେଳକୁ ପୁଣି ଏବେ ଲକ୍‌ଡାଉନ୍‌। ଏଭଳି ସ୍ଥିତିରେ ଦୋକାନ ଭଡ଼ା, କର୍ମଚାରୀଙ୍କୁ ଦରମା କିଭଳି ଦିଆହେବ ତାକୁ ନେଇ ଚିନ୍ତା ବଢିଛି। ପାର୍ଲର ବ୍ୟବସାୟରେ ଥିବା ସବୁ ମହିଳାଙ୍କ ସ୍ଥିତି ଏହିଭଳି ରହିଛି।

ସୂଚନା ଅନୁଯାୟୀ, ରାଜଧାନୀରେ ପ୍ରାୟ ୨୦ ହଜାର ଦୋକାନ ରହିଛି। ଏଥିରୁ ୧୫ ହଜାର ଛୋଟ, ୩୦୦୦ରୁ ୩୫୦୦ ମଧ୍ୟମଧରଣର, ୫୦୦ରୁ ୧ ହଜାର ହୋଲସେଲର କିମ୍ବା ବଡ଼ ବ୍ୟବସାୟୀ। ଲଗାତାର ଦୁଇ ବର୍ଷ ଧରି ଲକ୍‌ଡାଉନ୍‌ ଯୋଗୁଁ ବ୍ୟବସାୟ ଉପରେ ନିଯୁକ୍ତି ପାଇଁ ପ୍ରତ୍ୟକ୍ଷ, ପରୋକ୍ଷ ଭାବରେ ନିର୍ଭରଶୀଳ ଲୋକେ ବେକାର ହୋଇଯିବେ। ଏହି ବ୍ୟବସାୟୀମାନେ ବ୍ୟାଙ୍କ ସମେତ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥାଠାରୁ ଋଣ ନେଇଥାଆନ୍ତି। ଗୋଟିଏ ପକ୍ଷରେ ବ୍ୟବସାୟ ବନ୍ଦ ହୋଇଯିବ। କିନ୍ତୁ ଋଣର ସୁଧ, ଦୋକାନ, ଭଡ଼ା ଖର୍ଚ, କର୍ମଚାରୀଙ୍କ ଦରମା ଜାରି ରହିବ। ତେଣୁ ଏଥିପ୍ରତି ସରକାର ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବ୍ୟବସାୟୀ ସଂଘ କହିଛି। ଦାରିଦ୍ର୍ୟ, ଅନଟନ ବଢ଼ିବା ସହିତ ଅପରାଧ ବୃଦ୍ଧିର ଆଶଙ୍କା କରାଯାଉଛି। ଅନେକ ଦୋକାନୀ କର୍ମଚାରୀ ଛଟେଇ ହେବାର ଆଶଙ୍କା ରହିଛି। ତେଣୁ ଏଭଳି ସ୍ଥିତିରେ ବ୍ୟାଙ୍କ ଋଣ ସୁଧ ଛାଡ଼, ଛୋଟ ବ୍ୟବସାୟୀଙ୍କୁ ଆର୍ଥିକ ପ୍ୟାକେଜ, ଶ୍ରମଜୀବୀଙ୍କୁ ଆର୍ଥିକ ଭତ୍ତା, ବ୍ୟବସାୟୀଙ୍କ ପାଇଁ ଫ୍ରି ବୀମା ଦେବା ପାଇଁ ବ୍ୟବସାୟୀ ସଂଘ ଦାବି କରିଛି।

ଏହାଛଡ଼ା ଲକ୍‌ଡାଉନ୍‌କୁ ନେଇ ସରକାରଙ୍କ ଜାରି ନିର୍ଦେଶ ସ୍ପଷ୍ଟ ନ ଥିବା ବ୍ୟବସାୟୀ ସଂଘ କହିଛି। ଏ ସଂକ୍ରାନ୍ତରେ ସଂଘ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଦିଆଯାଇଛି। ଏଥିରେ କୁହାଯାଇଛି, ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶକ ଦୋକାନ ବନ୍ଦ ରହିବ। କିନ୍ତୁ ରିଟେଲର ନିଜ ସାମଗ୍ରୀ ନେଇ ହୋଲସେଲର୍‌ ପାଖକୁ କିଭଳି ଯିବେ, ତାଙ୍କଠାରୁ କିଭଳି ସାମଗ୍ରୀ ଆଣିବେ ତାକୁ ନେଇ ସ୍ପଷ୍ଟ କରାଯାଇ ନାହିଁ। ଅନଲାଇନ ବ୍ୟବସାୟରେ ଅତ୍ୟାବଶକ ସାମଗ୍ରୀ ଡେଲିଭରିର ଅନୁମତି ରହିଛି। ତେଣୁ ଅତ୍ୟାବଶକ ହୋଇନଥିଲେ ଏହାର ଡେଲିଭରି ବନ୍ଦ ପାଇଁ ନୋଟିଫିକେସନ ଜାରି ହେବା ଉଚିତ। ଏଥିସମେତ ଆହୁରି ଅନେକ ବିନ୍ଦୁ ଉପରେ ପ୍ରଶ୍ନ ରହିଛି।

ସମ୍ବନ୍ଧିତ ଖବର