ଲକ୍‌ଡାଉନ ନେଲା ବାପାଙ୍କ ଜୀବିକା: ବିପଦରେ ଝିଅର ଦୃଷ୍ଟିଶକ୍ତି

ଭୁବନେଶ୍ବର: ନିଜ ଜୀବନର ଅନ୍ଧକାରକୁ ଗ୍ରହଣ କରି ନେଇଥିଲେ ଅଶୋକ ଓ ସୁମିତ୍ରା। ଝିଅ ପୂଜା ଜନ୍ମ ହେବା ପରେ ପୁଣି ଆଲୁଅର ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ। ଝିଅର ଭବିଷ୍ୟତ ଗଢ଼ିବା ପାଇଁ ରେଳବାଇରେ ଠିକା କର୍ମଚାରୀ ଭାବରେ କଠିନ ପରିଶ୍ରମ କରୁଥିଲେ ଅଶୋକ। କିନ୍ତୁ ୨୦୨୦ ଲକ୍‌ଡାଉନ ତାଙ୍କ ସଂସାରକୁ ଯେମିତି ଖିନ୍‌ଭିନ କରିଦେଲା। ଅଶୋକ ଜୀବିକା ହରାଇବା ସହିତ ୩ ବର୍ଷୀୟା କୁନିଝିଅ ପୂଜାର ଦୃଷ୍ଟିଶକ୍ତି ହରାଇବା ଆଶଙ୍କା ସୃଷ୍ଟି ହୋଇଛି। କର୍କଟ ରୋଗ ଯୋଗୁଁ ଗତ ବର୍ଷ ନଭେମ୍ବର ମାସରେ ପୂଜାର ଗୋଟିଏ ଆଖି ଅସ୍ତ୍ରୋପଚାର ହୋଇ ଡୋଳା ବାହାର କରି ଦିଆଯାଇଥିଲା। ଅନ୍ୟ ଆଖିର ଦୃଷ୍ଟିଶକ୍ତି ବଞ୍ଚାଇବା ପାଇଁ ଆଉ ଏକ ଅସ୍ତ୍ରୋପଚାରର ଆବଶ୍ୟକତା ଥିବା କହୁଛନ୍ତି ଡାକ୍ତର। ଏଥିପାଇଁ ୫ରୁ ୮ ଲକ୍ଷ ଟଙ୍କା ଖର୍ଚ ନେଇ ଆକଳନ କରାଯାଇଛି। ହେଲେ ଏତେଗୁଡ଼ିଏ ଟଙ୍କା ଯୋଗାଡ଼ କରିବା ଅଶୋକଙ୍କ ପକ୍ଷେ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ଝିଅର ଦୃଷ୍ଟିଶକ୍ତି ବଞ୍ଚାଇବା ଲାଗି ସେ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କ ସହାୟତା ଲୋଡ଼ିଛନ୍ତି।

ତୃତୀୟ ଥର ଅସ୍ତ୍ରୋପଚାର ଅପେକ୍ଷାରେ ପୂଜା
ସହାୟତା ପାଇଁ ଦୃଷ୍ଟିହୀନ ଦମ୍ପତିଙ୍କ ନିବେଦନ

ରାଜଧାନୀର ଭରତପୁରରେ ରୁହନ୍ତି ଦୃଷ୍ଟିହୀନ ଦମ୍ପତି ଅଶୋକ ଏବଂ ସୁମିତ୍ରା। ୨୦୨୦ ମସିହା ଲକ୍‌ଡାଉନରେ ଚାକିରି ଚାଲି ଯିବା ପରେ ବସଷ୍ଟାଣ୍ଡରେ ଫେରିରେ ବହି ବିକ୍ରି କରି ଜୀବିକା ନିର୍ବାହ କରୁଛନ୍ତି। ଚାକିରି ଚାଲିଯିବା ନେଇ ଅଶୋକ ଦୁଃଖିତ ନାହାନ୍ତି କୁନି ଝିଅର ଦୃଷ୍ଟିଶକ୍ତି କେମିତି ଫେରି ଆସିବ ସେ ନେଇ ତାଙ୍କ ନିଦ ହଜି ଯାଇଛି। ଅଶୋକ କହନ୍ତି, ୨୦୨୦ ମସିହା ପୂଜାକୁ ମାତ୍ର ୬ ମାସ ହୋଇଥାଏ, ତା ମୁଣ୍ଡ ମାଡ଼ ହୋଇ ଆଖି ଲାଲ ହୋଇଗଲା। ତୁରନ୍ତ ସେ କ୍ୟାପିଟାଲ ହସ୍ପିଟାଲରେ ଦେଖାଇଲେ। ମାତ୍ର ଡାକ୍ତର କିଛି ହୋଇ ନାହିଁ କହି ଡ୍ରପ୍‌ ଲେଖିଦେଲେ। ଏହା ସତ୍ତ୍ବେ ପୂଜାର ଅବସ୍ଥାରେ ସୁଧାର ନହେବାରୁ ୭ ଦିନ ପରେ ପୁଣି ଡାକ୍ତରଙ୍କୁ ଦେଖାଇଲେ। ଡାକ୍ତର ସେହି ଡ୍ରପ୍‌ ପକାଇବାକୁ କହିଲେ। ପୂଜାର ଅବସ୍ଥାରେ ସୁଧାର ନହେବାରୁ ୨୦୨୧ ମସିହାରେ ଏଲଭି ପ୍ରସାଦରେ ଦେଖାଇବା ପରେ ବିଭିନ୍ନ ପ୍ରକାର ପରୀକ୍ଷା-ନିରୀକ୍ଷାରୁ ଆଖିର ବାମପଟ ଡୋଳାର ପଛପଟେ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା।

ଏଥିପାଇଁ ତୁରନ୍ତ ଏକ ଅସ୍ତ୍ରୋପଚାର କରାଯାଇଥିଲା। ମାତ୍ର ଅସ୍ତ୍ରୋପଚାର ବିଫଳ ହେବାରୁ କେମୋ ଚିକିତ୍ସା କରାଯାଇଥିଲା। ସମୁଦାୟ ୧୨ଟି କେମୋ ପୂଜାଙ୍କୁ ଦିଆଯିବା ପରେ ବି ସେ ସୁସ୍ଥ ହେଲେନାହିଁ। ତେଣୁ ନଭେମ୍ବରରେ ଦ୍ବିତୀୟ ଅସ୍ତ୍ରୋପଚାର କରାଯାଇ ବାମ ପାର୍ଶ୍ବ ଆଖିର ଡୋଳା ବାହାର କରାଯାଇଛି। ବର୍ତ୍ତମାନ ସ୍ଥିତିରେ ଡାହାଣ ଆଖି ବଞ୍ଚାଇବା ପାଇଁ ବଡ଼ ଧରଣର ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିପାଇଁ ୬ ଲକ୍ଷ ଟଙ୍କା ଆବଶ୍ୟକ। ପୂର୍ବରୁ ଝିଅର ଚିକିତ୍ସା ଏବଂ ଅସ୍ତ୍ରୋପଚାର ପାଇଁ ପାଖରେ ଯାହା ଥିଲା ବିକି ସାରିଛନ୍ତି। ଏଣେ ଟଙ୍କା ଯୋଗାଡ଼ ନହେଲେ ୩ ବର୍ଷର କୁନି ପୂଜା ବାପା, ମାଙ୍କ ଭଳି ଦୃଷ୍ଟିହୀନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ସରକାର ଏବଂ ଜନସାଧାରଣ ସହଯୋଗ ଲାଗି ଅଶୋକ ଏବଂ ସୁମିତ୍ରା ଅନୁରୋଧ କରିଛନ୍ତି। ଆକାଉଣ୍ଟ ନମ୍ବର ୭୫୧୨୦୨୧୨୦୦୦୦୬୬୯ରେ ସହଯୋଗ କରିବାକୁ ଅଶୋକ ଅନୁରୋଧ କରିଛନ୍ତି। ଏହାଛଡ଼ା ଫୋନ ନମ୍ବର ୮୪୫୬୦୭୯୬୦୬ରେ ଯୋଗାଯୋଗ କରିବା ଲାଗି ଅଶୋକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର