ଲକ୍‌ଡାଉନ୍‌; ପ୍ରଭାବିତ ହେବେ ଅଢ଼େଇ ଲକ୍ଷ ଉଠା ଦୋକାନୀ, ପ୍ରତିଦିନ ଶହେ କୋଟି କ୍ଷତିର ଆଶଙ୍କା

ପ୍ରଧାନମନ୍ତ୍ରୀ ସେବା ନିଧି ଋଣ ବଢ଼ାଇଲା ଚିନ୍ତା

ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି। ଏଥିଯୋଗୁଁ ରାଜ୍ୟର ଅଢ଼େଇ ଲକ୍ଷ ଉଠାଦୋକାନୀ ପ୍ରଭାବିତ ହେବାକୁ ଯାଉଥିବାବେଳେ ପ୍ରତିଦିନ ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟବସାୟ କ୍ଷତି ହେବା ନେଇ ଆଶଙ୍କା କରିଛି ଉଠାଦୋକାନୀ ମହାସଂଘ। ସ୍ଥିତି ଏଭଳି ହୋଇଛି ଯେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସେବା ନିଧି ଯୋଜନାରେ ଋଣ ନେଇ ଅକଳ ପଡ଼ିଯାଇଛନ୍ତି ଅଧିକାଂଶ ଉଠାଦୋକାନୀ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ସେବା ନିଧି ଯୋଜନା ଅନ୍ତର୍ଗତରେ ଦିଆଯାଇଥିବା ଋଣ ଛାଡ଼ କରିବା ଏବଂ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍‌ଡାଉନ୍‌ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିବା କହିଛନ୍ତି ଉଠାଦୋକାନୀ ମହାସଂଘର ପ୍ରତାପ ସାହୁ।

ଅଣ୍ଟା ସଳଖି ଆସୁଥିଲା, ଆଶା କରିଥିଲେ ସବୁ ପ୍ରକାର ପ୍ରତିକୂଳ ସ୍ଥିତି ସତ୍ତ୍ବେ ସ୍ଥିତି ସ୍ବାଭାବିକ ହୋଇଯିବ। କିନ୍ତୁ ପୁନର୍ବାର କରୋନା ଜନିତ ଲକ୍‌ଡାଉନ୍‌ ରାଜଧାନୀର ଖଣ୍ଡଗିରିରେ ଜୁସ୍‌ ଦୋକାନ କରିଥିବା ନିରଞ୍ଜନ ପ୍ରଧାନଙ୍କ ଚିନ୍ତା ବଢ଼ାଇ ଦେଇଛି। ନିରଞ୍ଜନ କହନ୍ତି, ଫନି ଏବଂ ଏହାର କିଛି ମାସ ପରେ ଲକ୍‌ଡାଉନ୍‌ ତାଙ୍କ ବେପାରକୁ ବରବାଦ କରି ଦେଇଥିଲା। ଅମଲାତନ୍ତ୍ରିକ ବ୍ୟବସ୍ଥାରେ ଧନ୍ଦି ହୋଇ ସବୁ ପ୍ରକାର ସରକାରୀ ସହାୟତାରୁ ବଞ୍ଚିତ ହେଲେ। ଫନି କ୍ଷତି ଯୋଗୁଁ ତାଙ୍କୁ ମିଳିବାକୁ ଥିବା ୧୦ ହଜାର, ଲକ୍‌ଡାଉନ୍‌-୧ରେ ସରକାରୀ ଘୋଷଣା ଅନୁସାରେ ମିଳିବାକୁ ଥିବା ୩ ହଜାର ଟଙ୍କା ବି ମିଳିଲା ନାହିଁ। ଏ ସଂକ୍ରାନ୍ତରେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ କୌଣସି ଲାଭ ହୋଇନଥିଲା। ପରିବାରକୁ ବଞ୍ଚାଇବା ପାଇଁ ଅସ୍ଥାୟୀ ଭାବରେ ପରିବା ବିକ୍ରି କରି ଚଳିଲେ। ନୟାଗଡ଼ରୁ ଆସି ଏଠି ରହୁଥିବାରୁ ପିଡିଏସ୍‌ ଚାଉଳରୁ ବି ବଞ୍ଚିତ ହୋଇଥିଲେ। ତେବେ ‌ଲକ୍‌ଡାଉନ୍‌ କୋହଳ ପରେ ଉଠାଦୋକାନୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନିଧି ଯୋଜନାରେ ଋଣ ପ୍ରଦାନର ଘୋଷଣା ହେଲା। ଏଥିପାଇଁ ସେ ହକଦାର ଥିଲେ। କିନ୍ତୁ ଆବଶ୍ୟକ ଦସ୍ତାବିଜ ଥାଇ ମଧ୍ୟ ଋଣରୁ ବଞ୍ଚିତ ହେଲେ। ନିଜ ଅଧ୍ୟବସାୟରେ ଜୁସ୍‌ ଦୋକାନ ଠିଆ କରାଇଲେ। ବର୍ତ୍ତମାନ ପୁଣି ଲକ୍‌ଡାଉନ୍‌ ଘୋଷଣା ହେଲାଣି। ଏଭଳି ସ୍ଥିତିରେ ପରିବାରକୁ କିଭଳି ଚଳାଇବେ ଚିନ୍ତା କରି ପାରୁନଥିବା କହନ୍ତି ନିରଞ୍ଜନ।

ଅନ୍ୟପକ୍ଷରେ ରାଜଧାନୀରେ ଫୁଲ ଗଛ, ସାର ବିକ୍ରି କରୁଥିବା ଉଠାଦୋକାନୀ ଅନୁଜ ପ୍ରଧାନ କହନ୍ତି, ପ୍ରଧାନମନ୍ତ୍ରୀ ନିଧି ଯୋଜନାର ଋଣ ପାଇ ସେ ଫସି ଯାଇଛନ୍ତି। ବର୍ତ୍ତମାନ ଦୋକାନ ବନ୍ଦ ଯୋଗୁଁ ଆୟ ବନ୍ଦ ହୋଇ ଯାଇଛି। ଏଭଳି ସ୍ଥିତିରେ ଋଣ ପରିଶୋଧ ନେଇ ଜଟିଳ ଅବସ୍ଥା ସୃଷ୍ଟି ହୋଇଛି। କେବଳ ଅନୁଜ ନୁହନ୍ତି; ରାଜଧାନୀର ସମୁଦାୟ ୨୫ ହଜାର ଉଠା ଦୋକାନୀଙ୍କ ମଧ୍ୟରୁ ଋଣ କରିଥିବା ପ୍ରାୟ ୧୫ ହଜାର ଦୋକାନୀଙ୍କ ଅବସ୍ଥା ଏହିଭଳି ରହିଥିବା କହିଛି ଉଠା ଦୋକାନୀ ସଂଘ। ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବି ଏହି ସ୍ଥିତି ରହିଛି। ପରିବା ଦୋକାନୀଙ୍କ ଛଡ଼ା ଅନ୍ୟ କାହାକୁ ବିକ୍ରିର ଅନୁମତି ନାହିଁ। ସେଥିରେ ପୁଣି ଜଣେ ଦୋକାନ ଠାରୁ ଦୂରରେ ଘର ପାଖରେ ବିକ୍ରି କଲେ ଦୋକାନୀମାନଙ୍କ ମଧ୍ୟରେ ବିବାଦ ସୃଷ୍ଟିର ଆଶଙ୍କା ରହିଛି। ଲକ୍‌ଡାଉନ୍‌ର ପ୍ରଥମ ଦିନରେ ବଲାଙ୍ଗୀରରେ ପରିବା ବିକ୍ରି ନେଇ ପୁଲିସ-ଦୋକାନୀ ମୁହାଁମୁହିଁ ହେବା ପରେ ଜଣେ ନିରାଶ ଦୋକାନୀ ପରିବା ଫିଙ୍ଗି ଦେଇଥିବା ଜଣାପଡ଼ିଛି। କିଛି ଖାଦ୍ୟ ଦୋକାନୀ ୧୨ଟା ଭିତରେ ଦୋକାନ ଖୋଲିଲେ ମଧ୍ୟ କରିଥିବା ଖର୍ଚ ଅନୁଯାୟୀ ଟଙ୍କା ମିଳିବା ନେଇ ଅନିଶ୍ଚିତତାରେ ଅଛନ୍ତି।

ଏହା ପୂର୍ବରୁ ରାତି କର୍ଫ୍ୟୁ ଯୋଗୁଁ ଫାଷ୍ଟଫୁଡ୍‌ ଦୋକାନୀ କ୍ଷତିଗ୍ରସ୍ତ ହୋଇ ସାରିଛନ୍ତି। ରାଜଧାନୀରେ ଦୋକାନ କରିଥିବା ଉଠାଦୋକାନୀ ବିଭିନ୍ନ ଜିଲ୍ଲାରୁ ଆସିଥାଆନ୍ତି। ପିଡିଏସ ଚାଉଳରୁ ବି ସେମାନେ ବଞ୍ଚିତ। ଲଗାତାର ଦୁଇ ବର୍ଷ ହେଲା ଉଠାଦୋକାନୀମାନେ ଏଭଳି ଦୁର୍ଦ୍ଦଶା ଦେଇ ଗତି କରୁଛି। ତେଣୁ ଗତବର୍ଷ ଭଳି ଚଳିତ ବର୍ଷ ସେମାନଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ଦିଆ ନ ଗଲେ ଅବସ୍ଥା ସଙ୍ଗିନ ହେବ ବୋଲି କହିଛି ଉଠା ଦୋକାନୀ ମହାସଂଘ। ଏଥିସହିତ ସେମାନଙ୍କ ଋଣ ମଧ୍ୟ ଛାଡ଼ କରାଯିବାର ଆବଶ୍ୟକତା ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର