ଭୁବନେଶ୍ବର : ଲକ୍‌ଡାଉନ୍‌ ଉଲ୍ଲଙ୍ଘନ କରି ଗାଡ଼ି ଧରି ବାହାରକୁ ବାହାରିବା ଓ ମାସ୍କ ନ ପିନ୍ଧିବା ଲୋକଙ୍କଠାରୁ କମିସନରେଟ୍‌ ପୁଲିସ ପ୍ରାୟ ମାସକ ମଧ୍ୟରେ ୯୬ଲକ୍ଷ ୭୭ ହଜାର ୭ଶହ ଟଙ୍କା ଜରିମାନା ଆଦାୟ କରିଛି। ତେବେ ଲକ୍‌ଡାଉନ୍‌ ଭାଙ୍ଗି ପୁଲିସକୁ ନୟାନ୍ତ କରୁଥିବା ଉଲ୍ଲଂଘନକାରୀଙ୍କ ସଂଖ୍ୟା ଆଜି କମିଛି। ଗତକାଲି ଦ୍ବୈତନଗରୀରେ ଲକ୍‌ଡାଉନ୍‌ ଉଲ୍ଲଙ୍ଘନ କରି ୧୫୬୬ ଜଣ ବାଇକ୍‌ ଚାଳକ ଧରାପଡ଼ିଥିବା ବେଳେ ଆଜି ୮୯୯ଜଣ ଜରିମାନା ଗଣିଛନ୍ତି। ସେହିଭଳି ଗତକାଲି ମାସ୍କ ନ ପିନ୍ଧି ଧରା ପଡ଼ିଥିବା ଉଲ୍ଲଂଘନକାରୀଙ୍କ ସଂଖ୍ୟା ୨୯୪ଥିବା ବେଳେ ଆଜି ଏହି ସଂଖ୍ୟା ୨୬୯କୁ ଖସି ଆସିଛି। ଏହି ସଂଖ୍ୟା କମୁଥିବାରୁ ପୁଲିସ ଟିକିଏ ଆଶ୍ବସ୍ତ ହୋଇଛି।

Advertisment

ସୂଚନାଯୋଗ୍ୟ, ଜରୁରୀ କାମ ପାଇଁ ଗାଡ଼ି ବ୍ୟବହାର କରିବାକୁ ହେଲେ ପାସ୍‌ କିମ୍ବା ୧୦୦ ଡାଏଲ କରି ସ୍ବୀକୃତି ନେବାକୁ କୁହାଯାଇଛି। ପ୍ରତ୍ୟେକ ଦିନ ଶହ ଶହ ଲୋକ ଏହି ଡାଏଲ-୧୦୦ର ଫାଇଦା ନେଉଛନ୍ତି। କିନ୍ତୁ ଅନେକ ଉଲ୍ଲଂଘନକାରୀ ଅଛନ୍ତି, ଯେଉଁମାନେ ମିଛ କହି ବାହାରକୁ ଆସୁଛନ୍ତି। କେହି କେହି ଗ୍ୟାସ୍‌ ସିଲିଣ୍ଡର ନେବା ନାମରେ ବାଇକ୍‌ ପଛରେ କାଲି ସିଲିଣ୍ଡର ଲଦି ସହର ବୁଲୁଥିବା ବେଳେ କେହି ପରିବା ଝୁଡ଼ି ଲଦି ବ୍ୟକ୍ତିଗତ କାମ କରୁଛି। ଏଭଳି ମିଛ କହି ବୁଲୁଥିବା ବେଳେ ପୁଲିସ ନଜରକୁ ଆସୁଛନ୍ତି। ପଚରାଉଚରା ବେଳେ ପୁଲିସ ହାତରେ ଧରା ପଡ଼ୁଛନ୍ତି।

ଯାଞ୍ଚରେ ଧରାପଡ଼ିଲେ, ବିଧାୟକଙ୍କ ଗାଡ଼ି କହି ଖସିଲେ
ଭୁବନେଶ୍ବର : ସୋମବାର ସକାଳ ପ୍ରାୟ ୯ଟା। ରାଜଭବନ ଛକରୁ ଏଜି ଛକ ଆସୁଥିଲା ଏକ ଧଳାରଙ୍ଗର ଇନୋଭା କାର। ଏଜି ଛକ ପୂର୍ବରୁ ଚେକ୍‌ପୋଷ୍ଟ ନିକଟରେ ଇନୋଭା କାରକୁ ଅଟକାଇଥିଲେ ଉପସ୍ଥିତ ପୁଲିସ କର୍ମଚାରୀ। ଯାଞ୍ଚ ସମୟରେ ଗାଡ଼ି ଭିତରେ ଡ୍ରାଇଭର୍‌ ଓ ଜଣେ ଯୁବକ ବସିଥିବା ଦେଖିବାକୁ ପାଇଥିଲେ ପୁଲିସ କର୍ମଚାରୀ। କିନ୍ତୁ ସେମାନଙ୍କ ପାଖରେ କୌଣସି ପାସ୍ ନ ଥିଲା। ପୁଲିସ ପଚାରିବା ସମୟରେ ଏହି ଗାଡ଼ି ଜଣେ ଶାସକ ଦଳର ବିଧାୟକଙ୍କର ବୋଲି ଭିତରେ ବସିଥିବା ଯୁବକଜଣଙ୍କ କହିଥିଲେ। ଏହାପରେ ପୁଲିସ ସେମାନଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ ଗାଡ଼ି‌ରେ ବିଧାୟକ ନ ଥିଲେ କି ସେମାନଙ୍କ ପାଖରେ କୌଣସି ପାସ୍ ବି ନ ଥିଲା। ପ୍ରଶ୍ନ ଉଠୁଛି, ଏହି ଗାଡ଼ି ସତରେ କଣ ବିଧାୟକଙ୍କର, ଯଦି ବିଧାୟକଙ୍କ ଗାଡ଼ି ତା’ ହେଲେ ସେ ନଥିଲେ ବି ଗାଡ଼ି କାହିଁକି ରାଜଧାନୀ ରାଜରାସ୍ତାରେ ଚକ୍କର କାଟୁଥିଲା, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଧାୟକ କାହିଁକି ନିଜ ଅକ୍ତିଆରରେ ଗାଡ଼ି ରଖୁ ନାହାନ୍ତି, ତାଙ୍କ ଅନୁପସ୍ଥିତିରେ ଯଦି ଗାଡ଼ି ବ୍ୟବହାର ହେଉଛି, ତା’ ହେଲେ ଗାଡ଼ିରେ କାହିଁକି ପାସ୍ ଲଗାଯାଉନାହିଁ, ବିଧାୟକଙ୍କ ଗାଡ଼ି ବୋଲି କହି କିଛି ଫାଇଦା ଉଠାଉଛନ୍ତି କି। ଅନ୍ୟପକ୍ଷରେ ଗାଡ଼ିରେ ଥିବା ବ୍ୟକ୍ତି ବିଧାୟକଙ୍କ ଗାଡ଼ି ବୋଲି କହିବାରୁ ପୁଲିସ କର୍ମଚାରୀ ବିଶ୍ବାସ କଲେ କେମିତି, ପୁଲିସ କର୍ମଚାରୀ ଅଧିକ ଯାଞ୍ଚ କରି ଗାଡ଼ି ଛାଡ଼ିଥିଲେ କି, ନା ବିଧାୟକଙ୍କ ନାଁ ଶୁଣି ଭୟରେ ଇନୋଭା କାରକୁ ଛାଡ଼ି ଦେଇଥିଲେ। ଏହି ଘଟଣାର ଅନୁସନ୍ଧାନ ହେବ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।