ଜଙ୍ଗଲ ସଫାରିରେ ତାଲା, ୪ ମାସ ହେଲା ଗଡ଼ୁନି ୫ ସଫାରି

୨୦୧୯ରେ ଫନି, ଏବେ କରୋନା ମାଡ଼

ଚନ୍ଦ୍ରଶେଖରପୁର: ୨୦୧୯ ମାର୍ଚ୍ଚ ମାସରେ ଚନ୍ଦକା-ଡମପଡ଼ା ଜଙ୍ଗଲରେ ଆରମ୍ଭ ହୋଇଥିଲା ‘ଜଙ୍ଗଲ ସଫାରି’। ପର୍ଯ୍ୟଟକଙ୍କୁ ଚନ୍ଦକା ଜଙ୍ଗଲ ସମେତ ଭରତପୁର ସଂରକ୍ଷିତ ଜଙ୍ଗଲ, ଡେରାସ, ଡମପଡ଼ାର ପ୍ରାକୃତିକ ପରିବେଶରେ ବୁଲାଇବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଚନ୍ଦକା ଜଙ୍ଗଲର ଗୋଡ଼ିବାରି ଓ ଭରତପୁର ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ସଫାରି ଆରମ୍ଭ ହୋଇଥିଲା। ପରବର୍ତୀ ସମୟରେ ଡେରାସ ଓ ଡମପଡ଼ାରେ ସଫାରି ଚଲାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ତେବେ ଆରମ୍ଭ ହେବା ଦିନଠାରୁ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ‘ଜଙ୍ଗଲ ସଫାରି’ ପ୍ରଭାବିତ ହେଉଛି। ଆରମ୍ଭ ହେବାର ଦୁଇ ଦିନ ଭିତରେ ବାତ୍ୟା ‘ଫନି’ ଦ୍ବାରା ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଓ ଭରତପୁର ଜଙ୍ଗଲ ବ୍ୟାପକ କ୍ଷତି ହୋଇଥିଲା। ଯେଉଁଥିପାଇଁ ୪ରୁ ୫ମାସ ଲାଗି ଜଙ୍ଗଲ ସଫାରିକୁ ବନ୍ଦ କରିବାକୁ ପଡ଼ିଥିଲା। ଆଉ ଏବେ କରୋନା ଦ୍ବାରା ୪ ମାସ ହେଲା ସଫାରିରେ ତାଲା ପଡ଼ିଛି। କେବେ କରୋନା ସ୍ଥିତି ସୁଧୁରିବ ଓ ‘ଜଙ୍ଗଲ ସଫାରି’ ପୁଣି ଗଡ଼ିବ, ତାହା କେହି କହିପାରୁ ନାହାନ୍ତି।

ଜଙ୍ଗଲ ସଫାରି ଆରମ୍ଭ ହେବା ପରେ ପ୍ରଥମେ ପ୍ରଥମେ ପର୍ଯ୍ୟଟକଙ୍କ ଆଗ୍ରହ ମଧ୍ୟ ଦେଖିବାକୁ ମିଳିଥିଲା। ରାଜଧାନୀ ଉପକଣ୍ଠରେ ଏଭଳି ସୁବିଧା ହୋଇଥିବାରୁ ରାଜ୍ୟ ଭିତର ଓ ବାହାରର ପର୍ଯ୍ୟଟକମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ଗାଡ଼ିରେ ବସି ବୁଲିଥିଲେ। ୨୦୧୯ ମେ’ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନ ଭଲ ଥିଲା। ହେଲେ ମେ’ରେ ବାତ୍ୟା ଫନି ଦ୍ବାରା ଜଙ୍ଗଲରେ ବ୍ୟାପକ କ୍ଷତି ହୋଇଥିଲା। ଜୀବଜନ୍ତୁ ବି ବାଟବଣା ହୋଇଯାଇଥିଲେ। ଯେଉଁଥିପାଇଁ ସଫାରିକୁ ବନ୍ଦ କରି ଦିଆଯାଇଥିଲା। ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସେପ୍ଟେମ୍ବର ମାସ ବେ‌ଳକୁ ପୁଣିଥରେ ଆରମ୍ଭ ହୋଇଥିଲା। ୫ ମାସ ଠିକ୍‌ଠାକ୍‌ ଚାଲିଛି କି ନାହିଁ, ଗତ ମାର୍ଚ୍ଚଠାରୁ ଆରମ୍ଭ ହୋଇଥିବା କରୋନା କଟକଣା ଯୋଗୁଁ ସଫାରି ବନ୍ଦ। ମାର୍ଚ୍ଚ ୧୫ ଠାରୁ ଜଙ୍ଗଲ ଭିତରକୁ ସଫାରି ଗଡ଼ି ନାହିଁ। ଭରତପୁରରେ ଏବେ ହାତୀଙ୍କ ସମେତ ହରିଣ, ବାରହା, ନେଉଳ, ମୟୂର, ବଣ ବିଲେଇ, ଠେକୁଆ ଆଦି ବନ୍ୟପ୍ରାଣୀ ରହିଥିଲେ ମଧ୍ୟ ସେସବୁ ଉପଭୋଗ କରିବାରୁ ପର୍ଯ୍ୟଟକ ବଞ୍ଚିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ‘ଜଙ୍ଗଲ ସଫାରି’ ଲାଗି ମୋଟ ୫ଟି ଗାଡ଼ିକୁ ନିୟୋଜିତ କରାଯାଇଥିଲା। ସେଥିମଧ୍ୟରୁ ଭରତପୁରରେ ଦୁଇଟି ରହିଥିବା ବେଳେ ଗୋଡ଼ିବାରିରେ ୩ଟି ଗାଡ଼ି ରଖାଯାଇଛି। ଏହି ସଫାରି ପାଇଁ ଜଣିକିଆ ବୁକିଂ କରାଯାଇପାରିବ ନାହିଁ। ଭରତପୁର ଜଙ୍ଗଲ ଭିତରେ ଯେଉଁମାନେ ବୁଲିବାକୁ ଚାହିଁବେ ସେମାନେ ୧୦୫୦ ଟଙ୍କା ଦେଇ ୮ ଟିକିଆ ଗାଡ଼ିଟିକୁ ବୁକିଂ କରିବାକୁ ହେବ। ସକାଳ ୭ଟା ୩୦ରୁ ୮ଟା ୩୦, ୮ଟା ୪୫ରୁ ୯ଟା ୪୫, ଅପରାହ୍‌ଣ ୩ଟାରୁ ୪ଟା, ଅପରାହ୍‌ଣ ୪ଟା ୧୫ରୁ ୫ଟା ୧୫ମଧ୍ୟରେ ବୁଲି ପାରିବେ। ସେହିପରି ଚନ୍ଦକା ଗୋଡ଼ିବାରିରେ ୩ଟି ଜଙ୍ଗଲ ସଫାରି ରହିଛି। ଅଧିକ ଗାଡ଼ି ଉପଲବ୍ଧ ଥିବାରୁ ୬ଟି ସମୟରେ ପର୍ଯ୍ୟଟକଙ୍କୁ ବୁଲାଇ ନିଆଯିବାର ବ୍ୟବସ୍ଥା ହୋଇଛି। ସକାଳ ୮ଟାରୁ ଅପରାହ୍‌ଣ ୪ଟା ୩୦ ମଧ୍ୟରେ ୬ଟି ଟ୍ରିପ୍‌ରେ ପର୍ଯ୍ୟଟକଙ୍କୁ ଜଙ୍ଗଲ ଭିତରକୁ ବୁଲାଇବାକୁ ନିଆଯିବ। ବଡ଼ ଗାଡ଼ିରେ ଅତି ‌ବେଶିରେ ୧୨ ଜଣ ଯାଇପାରିବେ ଏବଂ ଘଣ୍ଟାଏ ବୁଲିବା ଲାଗି ୧୨୬୦ ଟଙ୍କା ଦେବାକୁ ପଡ଼େ। ୮ସିଟ୍‌ ବିଶିଷ୍ଟ ଗାଡ଼ିରେ ଯିବା ପାଇଁ ୮୪୦ ଟଙ୍କା ଦେବାକୁ ହୋଇଥାଏ। ଏହି ସଫାରିଟି ଗୋଡ଼ିବାରି ପ୍ରବେଶ ପଥରୁ ଛାଡ଼ିଥାଏ।

ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ‘ଜଙ୍ଗଲ ସଫାରି’ ପ୍ରତି ପର୍ଯ୍ୟଟକଙ୍କ ଚାହିଦା ଥିଲା। ପ୍ରତିଦିନ ଦୁଇରୁ ୩ ଟ୍ରିପ୍‌ରେ ପର୍ଯ୍ୟଟକଙ୍କୁ ଜଙ୍ଗଲ ଭିତରକୁ ନିଆଯାଉଥିଲା। ଗତବର୍ଷ ବାତ୍ୟା ‘ଫନି’ ଓ ଏଥର କରୋନା ଯୋଗୁଁ ସଫାରି ଏକପ୍ରକାର ବନ୍ଦ ହୋଇଯାଇଛି। ଗାଡ଼ିଗୁଡ଼ିକ ସେମିତି ଅଟକି ରହିଛି। ରାଜ୍ୟ ସରକାରଙ୍କଠାରୁ ନିର୍ଦେଶ ମିଳିବା ପରେ ‘ଜଙ୍ଗଲ ସଫାରି’ ଗଡ଼ିବ।

ସମ୍ବନ୍ଧିତ ଖବର