ଭୁବନେଶ୍ବର: ଶୁକ୍ରବାର ରାତି ପ୍ରାୟ ଗୋଟାଏ। ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ରାସ୍ତାରେ ଥିବା ଏକ ବାର୍ ସମ୍ମୁଖରେ ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ପରସ୍ପରକୁ ପିଟିବା ସହ ରାସ୍ତା ଉପରେ ଗାଳିଗୁଲଜ କରୁଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଉଭୟ ଗୋଷ୍ଠୀର ଯୁବକ ଯୁବତୀ ରାସ୍ତାରେ ଗଡ଼ାଗଡ଼ି ହୋଇଥିଲେ। ଡ୍ରେସ୍ର ଅବସ୍ଥା ନଥିଲା। କାହା ଦେହରେ ଅଧା ପୋଷାକ ଥିଲା ତ ଆଉ କାହା ସାର୍ଟ ଚିରି ଯାଇଥିଲା। ବାର୍ର କିଛି ବାଉନ୍ସର୍ ଯୁବକ ଯୁବତୀଙ୍କୁ ଅତର୍କିତ ଆକ୍ରମଣ କରିବାରୁ ଦୁଇଜଣ ଆହତ ମଧ୍ୟ ହୋଇଥିଲେ। ଅବଶ୍ୟ ମାରପିଟ୍ ପରେ ସମସ୍ତେ ନିଜ ନିଜ ବାଟରେ ଚାଲି ଯାଇଥିଲେ। କେହି ଥାନାକୁ ଯାଇ ନଥିଲେ କି ଅଭିଯୋଗ କରିନଥିଲେ।
ଶନିବାର ରାତି ପ୍ରାୟ ସାଢ଼େ ୧୨ଟାରେ ସମାନ ଧରଣର ଆଉ ଏକ ଘଟଣା ଘଟିଥିଲା। ଡମଣା- ଓମ୍ଫେଡ୍ ରାସ୍ତାରେ ଦୁଇଜଣ ମାତାଲ ଯୁବକ ଓ ଯୁବତୀ ଉତ୍ପାତ କରୁଥିଲେ। ବଡ଼ ପାଟିରେ ଚିତ୍କାର କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ। ସେମାନଙ୍କ ରୂପଭେକ ଓ ବ୍ୟବହାର ଦେଖି ରାସ୍ତାରେ ଯାଉଥିବା ଲୋକେ ହଡ଼ବଡ଼େଇ ଯାଉଥିଲେ। ଦୁଇ ଜଣ ସଙ୍ଗେସଙ୍ଗେ ବାର୍ରୁ ବାହାରିବା ପରେ ରାସ୍ତାରେ ଏଭଳି କାଣ୍ଡ ଘଟଣାଇଥିଲେ।
ପାହାନ୍ତା ଯାଏ କବାଟକିଳା ବେପାର
ରାସ୍ତାରେ ଯୁବକ ଯୁବତୀଙ୍କ ଉତ୍ପାତ
ବାହାରେ ସୁରକ୍ଷା ଦେଉଛି ପୁଲିସ
କେବଳ ଏହି ଦୁଇଟି ଘଟଣା ନୁହେଁ; ପ୍ରତିଦିନ ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାର୍ ବାହାରେ ଏଭଳି ଘଟଣା ଘଟୁଥିବା ନଜରକୁ ଆସୁଛି। ବିଶେଷକରି ପଟିଆ, ଚନ୍ଦ୍ରଶେଖରପୁର, କଟକ ରୋଡ୍, କିଟ୍ ରୋଡ୍ ଅଞ୍ଚଳରେ ଅଧିକାଂଶ ବାର୍ ବେଆଇନ ଭାବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି। ନିୟମ ଅନୁଯାୟୀ ରାତି ୧୨ଟା ସୁଦ୍ଧା ସବୁ ବାର୍ ବନ୍ଦ ହୋଇଯିବା କଥା। ମାତ୍ର ବାର୍ ମାଲିକମାନେ ସବୁ ନିୟମକୁ ଉଲ୍ଲଂଘନ କରି ପାହାନ୍ତା ପର୍ଯ୍ୟନ୍ତ ଖୋଲା ରଖୁଛନ୍ତି। ବାର୍ଠାରୁ କିଛି ଦୂରରେ ଗ୍ରାହକଙ୍କ ଗାଡ଼ି ପାର୍କିଂର ବ୍ୟବସ୍ଥା କରି ରାତି ୩ରୁ ୪ପର୍ଯ୍ୟନ୍ତ କବାଟକିଳା ବେପାର ଚଲାଉଛନ୍ତି। ନିର୍ଦ୍ଦିଷ୍ଟ ଡେସିବେଲ୍ରେ ଡିଜେ ବଜାଇବା ପାଇଁ ଅନୁମତି ଥିବା ବେଳେ କିଛି ବାର୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅତ୍ୟଧିକ ସାଉଣ୍ଡ୍ ଦେଇ ଗୀତ ବଜାଉଛନ୍ତି। ଫଳରେ ସ୍ଥାନୀୟ ବାସିନ୍ଦା ରାତିରେ ଶାନ୍ତିରେ ଶୋଇପାରୁନଥିବା ଅଭିଯୋଗ ହେଉଛି।
ପୁଲିସ ପାଟ୍ରୋଲିଂ ହେଉନଥିବାର ସୁଯୋଗ ନେଇ ବାର୍ ମାଲିକମାନେ ଚତୁରତାର ସହ ବାର୍ ସାମ୍ନା ପଟୁ ଲାଇଟ୍ ଲିଭାଇ ଦେଉଛନ୍ତି। ଗେଟ୍ କିମ୍ବା ସଟର୍ ପକାଇ ସିକ୍ୟୁରିଟି ଗାର୍ଡ ବାହାରେ ଜଗି ବସି ରହୁଛି। ଯେଉଁ ଗ୍ରାହକମାନେ ସେଠାକୁ ଯାଉଛନ୍ତି ଗେଟ୍ ଖୋଲି ଦିଆଯାଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଭିତରେ ଡିଜେ ମ୍ୟୁଜିକ୍ର ତାଳେତାଳେ ଝୁମୁଛନ୍ତି ଯୁବକ ଯୁବତୀ। ସେଠାରୁ ବାହାରି କିଏ ରାସ୍ତାରେ ଗଡ଼ିଲାଣି ତ ଆଉ କିଏ ଲୋକଙ୍କୁ ଗାଳିଗୁଲଜ କଲାଣି। ବିଡ଼ମ୍ବନାର କଥା ଯେ ନିର୍ଦ୍ଦିଷ୍ଟ କିଛି ବାର୍ ଆଗରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ ପିସିଆର୍ ଛିଡ଼ା ହେଉଛି। ମାତ୍ର ପୁଲିସ୍ କର୍ମଚାରୀମାନେ ଯେମିତି ସବୁ ଦେଖିବା ପରେ ବି ଆଖି ବୁଜି ଦେଉଛନ୍ତି। ନା ମତୁଆଲା ଯୁବକ/ଯୁବତୀ ସେମାନଙ୍କୁ ଖାତିର୍ କରୁଛନ୍ତି ନା ପୁଲିସ ସେମାନଙ୍କୁ ତାଗିଦ୍ କରୁଛି। ତେଣୁ ପୁଲିସ କର୍ମଚାରୀ ଓ ବାର୍ ମାଲିକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଅଭିଯୋଗ ହେଉଛି।
ଏ ସଂପର୍କରେ ଜୋନ୍-୬ ଏସିପି ପ୍ରକାଶ ପାଲ କହିଛନ୍ତି ଯେ ଆମେ ନିୟମ ଉଲ୍ଲଂଘନ କରୁଥିବା ବାର୍ ଉପରେ ଚଢ଼ଉ କରୁଛୁ। ଜରିମାନା ବି ଆଦାୟ କରୁଛୁ। ଯଦି କୌଣସି ବାର୍ ଏଭଳି ନିୟମ ଉଲ୍ଲଙ୍ଘନ କରୁଛନ୍ତି, ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
ଫାଇଦା ଉଠାଉଛନ୍ତି ଅପରାଧୀ
ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଞ୍ଚଳର ବିଭିନ୍ନ ନିଛାଟିଆ ରାସ୍ତାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅସାମାଜିକଙ୍କ ଆଡ଼ା ଜମୁଛି। ନିଶା ପାଇଁ ହେଉ କିମ୍ବା ଅନ୍ୟ କୌଣି ଆପରାଧିକ ଲକ୍ଷ୍ୟ ରଖି ରାସ୍ତାରେ ଯାଉଥିବା ଏକୁଟିଆ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। କେବଳ ସେତିକି ନୁହେଁ, ବାର୍ଗୁଡ଼ିକ ବିଲମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବାର ସେମାନେ ଫାଇଦା ଉଠାଉଛନ୍ତି। ସାଙ୍ଗରେ ମାରଣାସ୍ତ୍ର ଧରି ଅପରାଧୀମାନେ ଗ୍ରାହକ ବେଶରେ ବାର୍ ଭିତରେ ପଶୁଛନ୍ତି। ଭିତରେ ମତୁଆଲା ଯୁବତୀମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ବାହାରକୁ ଆସି ଗଣ୍ଡଗୋଳ ବାହାନାରେ ଅପରାଧ କରି ଲୁଟ୍ପାଟ୍ ମଧ୍ୟ କରୁଛନ୍ତି। ସେଠାରୁ ଯଦି କିଛି ନ ମିଳୁଛି, ତାହେଲେ ରାସ୍ତାରେ ଯାଉଥିବା ଲୋକଙ୍କୁ ଟାର୍ଗେଟ୍ କରି ଲୁଟ୍ପାଟ୍ କରୁଛନ୍ତି।