ଏଥର ସବୁ ମାସରେ ‘ଆମ ଲୋକକଳା’…

ଭୁବନେଶ୍ବର: ଏଣିକି ପ୍ରତି ମାସରେ ଲୋକ କଳା ଉପ‌ଭୋଗ କରିବାର ସୁଯୋଗ ମିଳିବ। ସଂସ୍କୃତି କ୍ୟାଲେଣ୍ଡରରେ ଏହା ଏକ ନିୟମିତ ମାସିକ କାର୍ଯ୍ୟକ୍ରମ ଭାବେ ସାମିଲ୍‌ ହେବ। ଭୁବନେଶ୍ବରରେ ଏହା ଆରମ୍ଭ ହେଉଥିଲେ ହେଁ ପରେ ଅନ୍ୟ ଜିଲ୍ଲାକୁ ଏହା ସଂପ୍ରସାରିତ କରାଯିବା ପାଇଁ ପ୍ରୟାସ କରାଯିବ ବୋଲି ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦେଶିକା ସଂଘମିତ୍ରା ଶତପଥୀ କହିଛନ୍ତି। ଲୁପ୍ତପ୍ରାୟ ଲୋକକଳାକୁ ପୁନରୁଦ୍ଧାର କରିବା ଏବଂ ଲୋକକଳା କଳାକାରଙ୍କୁ ସେମାନଙ୍କ କଳା ପରିବେଷଣ ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟ ନେଇ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଉପନିର୍ଦେଶକ ଦେବାନନ୍ଦ ବରିହା କହିଛନ୍ତି। ରାଜ୍ୟ ‌ଅଭିଲେଖାଗାରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଷୋୟୀ କହିଲେ, ୨୦୧୧ ଏପ୍ରିଲ୍‌ ୧ରୁ ଲୋକକଳାକୁ ନେଇ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ପାରମ୍ପରିକ କଳାକାରମାନେ ଯେପରି ନିଜର କଳାକୁ ବଞ୍ଚାଇ ରଖିପାରିବେ ସେଥିପାଇଁ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ପ୍ରଚାର ପାଇଁ ସେମାନଙ୍କୁ ସାମିଲ୍‌ କରାଯାଇଛି। ଏପର୍ଯ୍ୟନ୍ତ ୨ଲକ୍ଷରୁ ଅଧିକ ଜନ ସଚେତନତା କାର୍ଯ୍ୟକ୍ରମ ପରିବେଷଣର ସୁଯୋଗ ପାଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ୧୨ଟି ବିଭାଗ ପକ୍ଷରୁ ୩୫ କୋଟି ଟଙ୍କାର ଆଇସି ପାଣ୍ଠି ଯୋଗାଇ ଦିଆଗଲାଣି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର