ସବୁ ଜିଲ୍ଲାରେ ହେବ ଲୋକକଳା ଗ୍ରାମ

ଭୁବନେଶ୍ୱର: ଲୋକକଳାକୁ ତୃଣମୂଳ ସ୍ତରରୁ ପ୍ରୋତ୍ସାହନ ମିଳିବ। ପାରମ୍ପରିକ କଳାକୁ ବଞ୍ଚାଇ ରଖିଥିବା କଳାକାରଙ୍କୁ ଗ୍ରାମ୍ୟ ସ୍ତରରୁ ସାମିଲ୍‌ କରାଯିବ। ଏହି ଉଦ୍ଦେଶ୍ୟ ସାକାର କରିବ ‘ଲୋକକଳା ଗ୍ରାମ’। ରାଜ୍ୟର ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ଲୋକକଳା ଗ୍ରାମ ଗଠନ କରାଯିବ ବୋଲି କହିଛନ୍ତି ସଂସ୍କୃତି ବିଭାଗର ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ। ଏଥିସହିତ ଏପ୍ରିଲ୍‌ ୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ନଗର କଳା ସଂସ୍କୃତି ସଂଘଗୁଡ଼ିକୁ ତତ୍ପର କରାଯିବ। ଭୁବନେଶ୍ୱର ସମେତ ବ୍ରହ୍ମପୁର, କଟକ, ବାରିପଦା, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ ଓ ପୁରୀ ଭଳି ୯ଟି ସହରାଞ୍ଚଳରେ ଏହା କାର୍ଯ୍ୟ କରିବ। ସଂସ୍କୃତି ବିଭାଗ ଅଧୀନରେ ସମଗ୍ର ରାଜ୍ୟରେ ବ୍ଲକ୍‌, ଜିଲ୍ଲା ଓ ସହରାଞ୍ଚଳରେ କାର୍ଯ୍ୟରତ କଳା ସଂସ୍କୃତି ସଂଘକୁ ଅଧିକ ସଶକ୍ତ ଓ ଚଳଚଞ୍ଚଳ କରିବା ଉପରେ ଏପରି ଗୁରୁତ୍ୱ ଦିଆଯାଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।

ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଆୟୋଜନ, କଳା ସଂସ୍କୃତି ସଂଘର କର୍ମକର୍ତାମାନଙ୍କୁ ତାଲିମ୍‌ ପ୍ରଦାନ ଏବଂ ବ୍ଲକ୍‌ କଳା ସଂସ୍କୃତି ସଂଘର ଦକ୍ଷତା ବୃଦ୍ଧି ଉପରେ ଶ୍ରୀ ପଟ୍ଟନାୟକ ସଂଘର କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ। ମାଲକାନଗିରି, ଗଜପତି, ପୁରୀ, ଖୋର୍ଧା, ସମ୍ବଲପୁର, ବଲାଙ୍ଗୀର, ଜଗତସିଂପୁର, ଭଦ୍ରକ, ବୌଦ୍ଧ, ଦେବଗଡ଼,ସୋନପୁର, ନୂଆପଡ଼ା ଓ ନୟାଗଡ଼ରେ ରାଜ୍ୟସ୍ତରୀୟ ଶିଳ୍ପୀ ତାଲିମ୍‌ କାର୍ଯ୍ୟକ୍ରମ ଆୟୋଜନ ସହ ଜାନୁଆରି ମାସ ସୁଦ୍ଧା ଶେଷ କରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହିତ ପ୍ରତ୍ୟେକ ଜିଲ୍ଲାରେ ଲୋକକଳା ମହୋତ୍ସବ ଆୟୋଜନ କରାଯିବ। ମାର୍ଚ ସୁଦ୍ଧା ଖୋର୍ଧା, ଜଗତସିଂହପୁର, ପୁରୀ, ଗଞ୍ଜାମ, କୋରାପୁଟ, ନୂଆପଡ଼ା, ସମ୍ବଲପୁର, ଭଦ୍ରକ, ବାଲେଶ୍ୱର ଓ କଳାହାଣ୍ଡିରେ ଏହି ଉତ୍ସବ ଆୟୋଜନ କରାଯିବ। ରାଜ୍ୟ ସରକାର ଏହି କଳା ସଂସ୍କୃତି ସଂଘର ପରିଚାଳନା ନିମନ୍ତେ ୮.୦୫ କୋଟି ଟଙ୍କାର ଆବର୍ତନ ପାଣ୍ଠି ଯୋଗାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର