ଭୁବନେଶ୍ବର: ପ୍ରକୃତ ଶିକ୍ଷା ସ୍ବାର୍ଥପରତାର ପରିପନ୍ଥୀ। ଶିକ୍ଷା ଏକ ପବିତ୍ର ପ୍ରକ୍ରିୟା ଓ ଏହା ମଣିଷ ଭିତରେ ନିଃସ୍ବାର୍ଥପରତା ଜାଗ୍ରତ କରାଇଥାଏ। ଶିକ୍ଷା ମଣିଷ ଭିତରେ ଅନ୍ୟକୁ ଆଲୋକ ଦେଖାଇବାର ପ୍ରବୃତ୍ତି ସୃଷ୍ଟି କରେ। ରୋଜଗାର ପାଇଁ ଭଲ ନିଯୁକ୍ତି ସନ୍ଧାନ କରିବା ଶିକ୍ଷାର ମୂଳ ଲକ୍ଷ୍ୟ ନୁହେଁ, ବରଂ ସଭ୍ୟତାକୁ ଉନ୍ନତ ମାର୍ଗ ପ୍ରଦର୍ଶନ କରିବା ହେଉଛି ଶିକ୍ଷା। ଶିକ୍ଷା ଜଣକୁ ମଣିଷ କରି ଗଢ଼ୁଥିବାବେଳେ ଗବେଷଣା ଉନ୍ନତ ସମାଜ ଗଢ଼ିବା ପାଇଁ କାମ କରେ। ଗବେଷଣା ଜଟିଳ ସମସ୍ୟା ସମାଧାନର ବାଟ ବତାଏ। ଗବେଷଣା ମଣିଷକୁ ନୂତନ ଜ୍ଞାନ ସହ ଯୋଡ଼ିବା କାରଣରୁ ସମାଜ ସମୃଦ୍ଧ ହୁଏ। ତେଣୁ ପ୍ରକୃତ ଶିକ୍ଷାର ଅଧିକାରୀ ସର୍ବଦା ଗବେଷଣାରେ ନିଜକୁ ସଂଶ୍ଳିଷ୍ଟ କରି ରଖିଥାଏ। ସୋମବାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ସେଆ)ରେ ‘ଶିକ୍ଷା ଓ ଗବେଷଣା’ ଉପରେ ଆୟୋଜିତ ଏକ ବକ୍ତୃତା ପ୍ରଦାନ କାର୍ଯ୍ୟକ୍ରମରେ ଭାରତର ଲୋକପାଳ ଜଷ୍ଟିସ୍ ପିନାକୀଚନ୍ଦ୍ର ଘୋଷ ଏଭଳି କହିଛନ୍ତି। ସ୍ବାମୀ ବିବେକାନନ୍ଦଙ୍କ ଉକ୍ତିସମୂହକୁ ଉଦ୍ଧାର କରି ଜଷ୍ଟିସ୍ ଘୋଷ କହିଲେ ଯେ ଶିକ୍ଷା ଏକ ଜୀବନବ୍ୟାପୀ ନିରନ୍ତର ପ୍ରକ୍ରିୟା ଓ ଜୀବନରେ ପୂର୍ଣ୍ଣତାପ୍ରାପ୍ତି ହିଁ ଶିକ୍ଷା। ସମାଜ ପାଇଁ ଆଲୋକବର୍ତ୍ତିକା ହୋଇପାରିବା ହିଁ ଜୀବନରେ ପୂର୍ଣ୍ଣତା। ତ୍ୟାଗ ଓ ସେବା ହେଉଛି ଜୀବନ ପୂର୍ଣ୍ଣତାର ଶ୍ରେଷ୍ଠ ନିଦର୍ଶନ। ସେ କହିଥିଲେ ଯେ ଶିକ୍ଷାର ପ୍ରକୃତ ଲକ୍ଷ୍ୟ ହେଉଛି ସମାଜ ପାଇଁ ନିଜକୁ ପୂର୍ଣ୍ଣଭାବେ ଉତ୍ସର୍ଗ କରିଦେବା। କାରଣ ଶିକ୍ଷାର ଶକ୍ତି ହେଉଛି ସତ୍ୟର ଶକ୍ତି। ତେଣୁ ଶିକ୍ଷା ଜଣଙ୍କୁ ସତ୍ୟ ସନ୍ଧାନୀ କରିଥାଏ ଓ ଏହା ତାକୁ ପ୍ରଶସ୍ତ କରି ଗଢ଼ି ତୋଳେ। ତେବେ ସବୁଠାରୁ ବଡ଼ କଥା ହେଉଛି ଶିକ୍ଷକ। ଉପଯୁକ୍ତ ଶିକ୍ଷକଙ୍କ ବିନା ଠିକ୍ ଶିକ୍ଷା ପ୍ରାପ୍ତି ଅସମ୍ଭବ। ଶିକ୍ଷାପ୍ରାପ୍ତି ପାଇଁ ଉପଯୁକ୍ତ ଶିକ୍ଷକଙ୍କ ଅବଦାନ ଅତୁଳନୀୟ। ସେ ହିଁ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ। ଶିକ୍ଷକ ଚରିତ୍ର ଗଢ଼ନ୍ତି, ଉପଯୁକ୍ତ ପଥ ପ୍ରଦର୍ଶନ କରନ୍ତି ଓ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ପ୍ରଦାନ କରନ୍ତି। ତେଣୁ ଏକ ସୁସ୍ଥ ଶିକ୍ଷିତ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ସେହିଭଳି ଗବେଷଣା ହେଉଛି ମଣିଷ ଅର୍ନ୍ତଦୃଷ୍ଟିର ପ୍ରଶସ୍ତିକରଣ ପ୍ରକ୍ରିୟା ବୋଲି ସେ ମତ ରଖିଥିଲେ। ସମାଜକୁ ନୂତନ ଜ୍ଞାନ ସହ ଯୋଡ଼ିବା ହେଉଛି ଗବେଷଣା। ଏହା ମଣିଷକୁ ଚତୁର ନୁହେଁ, ବୁଦ୍ଧିମାନ କରାଏ। କାରଣ ଚତୁରତାରେ ସ୍ବାର୍ଥ ଜଡ଼ିତଥିବାବେଳେ ବୁଦ୍ଧିମତାରେ ନିଃସ୍ବାର୍ଥପରତା ଓ ପରୋପକାର ଥାଏ ବୋଲି ସେ କହିଥିଲେ। ଗଛ ଯେମିତି ଲଗାଉ ଲଗାଉ ଫଳ ଦେଇନଥାଏ, ଶିକ୍ଷା ସେହିଭଳି ଦୀର୍ଘ ଗବେଷଣା ପରେ ସୁଫଳ ପ୍ରଦାନ କରିଥାଏ ବୋଲି ସେ କହିଥିଲେ। ଏହି ଅବସରରେ ସୋଆର କୁଳପତି ପ୍ରଫେସର ଆର୍.କେ ଚୌହାନ ସ୍ବାଗତ ଭାଷଣ ଦେଇଥିବାବେଳେ ସୋଆର ପ୍ରତିଷ୍ଠାତା ପ୍ରଫେସର ମନୋଜରଂଜନ ନାୟକ ଜଷ୍ଟିସ୍ ଘୋଷଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଧିତ କରିଥିଲେ।
ଶିକ୍ଷା ସ୍ବାର୍ଥପରତାର ପରିପନ୍ଥୀ: ଲୋକପାଳ
/sambad/media/post_attachments/wp-content/uploads/2020/01/sf65h4sf8574hsf654hsf65h132fs1h65sf4h98sf7h65sf14hsf214hsfhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)